ETV Bharat / bharat

ଦୋକାନୀ ବିନା ଦୋକାନ - ଦୋକାନୀ ବିନା ଦୋକାନ

ଆଇଜଲରୁ 65 କିଲୋମିଟର ଦୂର ସେଲିଂ ରାଜପଥ କଡ଼ରେ ସେଠାକାର ସ୍ଥାନୀୟ ଲୋକେ ତୃଣମୂଳ ସ୍ତରରେ ବାଣିଜ୍ୟର ଏକ ଅଭିନବ ଦେଶଜ ଉପାୟ ବାହାର କରିଛନ୍ତି । ଯାହାକି “ନାହ୍‌ ଲୋଉ ଦାର୍‌ ସଂସ୍କୃତି” ନାମରେ ପରିଚିତ ଏବଂ ଏହା ଲୋକଙ୍କ ସଚ୍ଚୋଟତା ଉପରେ ନିର୍ଭର କରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୋକାନୀ ବିନା ଦୋକାନ
ଦୋକାନୀ ବିନା ଦୋକାନ
author img

By

Published : Jul 3, 2020, 11:30 AM IST

ଅତନୁ ବିଶ୍ବାସ, ପରିସଂଖ୍ୟାନ ପ୍ରାଧ୍ୟାପକ, ଭାରତୀୟ ପରିସଂଖ୍ୟାନ ସଂସ୍ଥା, କୋଲକାତା

ଆମ ବସ୍‌ ଷ୍ଟାଣ୍ଡ ପାଖ ଖବରକାଗଜ ବିକ୍ରୟ କେନ୍ଦ୍ରରେ, ଅଧା ସମୟରେ କେହି ଲୋକ ନଥାଆନ୍ତି । ଗ୍ରାହକମାନେ ଖବରକାଗଜ ନିଅନ୍ତି ଏବଂ କୋଣରେ ରଖାଯାଇଥିବା ଏକ ଖୋଲା ଟ୍ରେ’ରେ ପଇସା ରଖିଦିଅନ୍ତି । ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦୋକାନ ମାଲିକ ମୋତେ କହିଲେ ଯେ, ସେ ଅନ୍ୟ ବେପାରରେ ବ୍ୟସ୍ତ ରହନ୍ତି । ତା’ହେଉଛି ପାଣିଭର୍ତ୍ତି ଜାର୍‌ ଯୋଗାଣ । ଏବଂ ସେ ସେଠାରେ ନ ରହିଲେ ମଧ୍ୟ ବିକ୍ରୟସ୍ଥଳରୁ ଖବରକାଗଜର ମୂଲ୍ୟ ପାଇବାରେ କୌଣସି ସମସ୍ୟା ହୁଏନାହିଁ ।

ବିଶ୍ବର ସବୁ ସ୍ଥାନରେ ଅଧିକାଂଶ ଲୋକ ନିଶ୍ଚିତ ଭାବରେ ସଚ୍ଚୋଟ । ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ସଚ୍ଚୋଟପଣିଆ ହିଁ ଅନେକ ସମୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରେ । ଉଦାହରଣତଃ, ଆଇଜଲରୁ 65 କିଲୋମିଟର ଦୂର ସେଲିଂ ରାଜପଥ କଡ଼ରେ ସେଠାକାର ସ୍ଥାନୀୟ ଲୋକେ ତୃଣମୂଳ ସ୍ତରରେ ବାଣିଜ୍ୟର ଏକ ଅଭିନବ ଦେଶଜ ଉପାୟ ବାହାର କରିଛନ୍ତି । ଯାହାକି “ନାହ୍‌ ଲୋଉ ଦାର୍‌ ସଂସ୍କୃତି” ନାମରେ ପରିଚିତ ଏବଂ ଏହା ଲୋକଙ୍କ ସଚ୍ଚୋଟତା ଉପରେ ନିର୍ଭର କରେ । କୌଣସି ଲୋକ ବସି ନଥିବା ଦୋକାନ ରୂପରେ ରହିଥିବା ବାଉଁଶ ତିଆରି ଛପର କୁଡ଼ିଆଗୁଡ଼ିକରେ ଝୁଲୁଥିବା ଛୋଟ ଛୋଟ ସାଇନ୍‌ବୋର୍ଡରେ ପନିପରିବା, ଫଳ, ଫୁଲ, କେବେ କେମିତି ଫଳରସ ଭର୍ତ୍ତି ବୋତଲ, ଛୋଟ ଶୁଖୁଆ ଏବଂ ଏମିତି କି ମଧୁର ପାଣିର ଗେଣ୍ଡା ଭଳି ଜିନିଷର ନାମ ଓ ଦର, କୋଇଲା କି ଚକ୍‌ଖଡ଼ିରେ ଲେଖାହୋଇଥାଏ । ଗ୍ରାହକମାନେ ଜିନିଷ ଉଠାଇ ନିଅନ୍ତି ଏବଂ ସେଠାରେ ଥିବା ଏକ ବାକ୍‌ସରେ ପଇସା ରଖିଦିଅନ୍ତି ।

ଦରକାର ହେଲେ, ଗ୍ରାହକମାନେ ସେହି ବାକ୍‌ସରୁ ଖୁଚୁରା ପଇସା ବି ନେଇପାରନ୍ତି । ସେଠାରେ କେବଳ ‘ବିଶ୍ବାସ’ର ନୀତି ହିଁ କାମ କରେ । ଦୋକାନ ମାଲିକମାନେ ସେମାନଙ୍କର କ୍ଷୁଦ୍ର ଝୁମ୍‌ (ବଦଳ ଚାଷ) କ୍ଷେତ ଓ ବଗିଚାକୁ ଚାଲିଯାଆନ୍ତି ଏବଂ ଦୋକାନୀ ଭାବରେ ପରିବାରର କୌଣସି ସଦସ୍ୟଙ୍କୁ ବସାଇବା ସେମାନଙ୍କୁ ପୋଷେଇବ ନାହିଁ । ‘ମାଇ ହୋମ୍‌ ଇଣ୍ଡିଆ’ ନାମକ ଏକ ବେସରକାରୀ ସଂଗଠନର ଏକ ଟ୍ବିଟ୍‌ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କର ଅନ୍ୟ ଏକ ଟ୍ବିଟ୍‌ ସୌଜନ୍ୟରୁ ନିକଟରେ ମିଜୋରାମର ଏହି ନାହ୍‌ ଲୋଉ ଦାର୍‌ ଖବରର ଶିରୋନାମା ପାଲଟିଥିଲା । ମୁଖ୍ୟମନ୍ତ୍ରୀ ଏଥିରେ ମତ ଦେଇଥିଲେ ଯେ, “ବିକ୍ରେତା ଓ କ୍ରେତାମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ଏହା ବେଶ ଭଲ ଉପଯୋଗୀ” ।

ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏଭଳି ‘ଦୋକାନୀ ବିନା ଦୋକାନ’ର ବିକ୍ଷିପ୍ତ ଉଦାହରଣ ରହିଛି । ନାଗାଲାଣ୍ଡର ଲେଶେମି ଗାଁର କେତେକ ଚାଷୀ ଓ କୃଷକ ମଧ୍ୟ ଏହି ପ୍ରଥା ଅନୁସରଣ କରନ୍ତି । ବେଙ୍ଗାଳୁରୁର ‘ଟ୍ରଷ୍ଟ ଶପ୍‌’ ଶୃଙ୍ଖଳ ମଧ୍ୟ ଦିନରାତି ଚବିଶ ଘଣ୍ଟା ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରେ । ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଓ ଦୋସାର ପିଠଉ ପ୍ୟାକେଟ୍‌, ଅଟା ତିଆରି ରୁଟି ଏବଂ ମାଲାବାର ପରଟା ପ୍ରଭୃତି ନେଇ ଗ୍ରାହକମାନେ ପଇସା ରଖି ଦିଅନ୍ତି । କେବେକେବେ ପ୍ରାୟ 90% ଏବଂ ଅନ୍ୟ କେତେକ ଦିନରେ 100% ପ୍ରତିଶତ ବିକ୍ରି ହୋଇଥାଏ ।

ଗତ କୋଡ଼ିଏ ବର୍ଷ ହେଲା, ପ୍ରତି ବର୍ଷ ଗାନ୍ଧି ଜୟନ୍ତୀ ଅବସରରେ ତାମିଲ ନାଡୁର ପାପନାସମ ବସ୍‌ ଷ୍ଟାଣ୍ଡ ଏକ ଲୋକ ନଥିବା ଦୋକାନ ଭାବରେ କାର୍ଯ୍ୟ କରିଆସୁଛି । ପାପନାସମର ରୋଟାରୀ କ୍ଲବ୍‌ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଯୋଜନାରେ ଏହି ବସ୍‌ ଷ୍ଟାଣ୍ଟ ଏକ ଅସ୍ଥାୟୀ ଦୋକାନରେ ପରିଣତ ହୁଏ ଏବଂ ଏଠାରେ ଘରକରଣା ସାମଗ୍ରୀ, ଲେଖାଲେଖି ସାମଗ୍ରୀ ଏବଂ ଜଳଖିଆ ଜିନିଷ ସବୁ ଟେବୁଲରେ ରଖାହୁଏ । ସବୁଥିରେ ମୂଲ୍ୟ ଲେଖାଥିବା ଟ୍ୟାଗ୍‌ ଲାଗିଥାଏ ଏବଂ ପଇସା ରଖିବା ଏବଂ ଖୁଚୁରା ଫେରସ୍ତ ନେବା ଲାଗି ପାଖରେ ବାକ୍‌ସଟିଏ ଥାଏ ।

ଭିନ୍ନକ୍ଷମମାନଙ୍କ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟରତ ଜନଶକ୍ତି ଚ୍ୟାରିଟେବ୍‌ଲ ଟ୍ରଷ୍ଟ୍‌ ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ କେରଳର ଆଝିକୋଡ୍‌ ଅନ୍ତର୍ଗତ ବାଙ୍କୁଲାତୁବାୟାଲ ନାମକ ଉପକୂଳବର୍ତ୍ତୀ ଗାଁରେ, ଏହିଭଳି ସ୍ବୟଂସେବା ଭିତ୍ତିକ ଏକ ଦୋକାନ ସ୍ଥାପନ କରାଯାଇଛି । କୌଣସି ଅବାଞ୍ଛିତ ସ୍ଥିତିକୁ ଏଡ଼ାଇବା ପାଇଁ ସେଠାରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ହେଲେ, ଚଣ୍ଡୀଗଡ଼ର ଧନସ୍‌ରେ ଅବସ୍ଥିତ ସରକାରୀ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଖାତା, କଲମ, ପେନ୍‌ସିଲ ଇତ୍ୟାଦି ପାଠପଢ଼ା ଉପକରଣ ବିକ୍ରି ଲାଗି ଯେତେବେଳେ ଦୋକାନଟିଏ ଖୋଲିଲା, ସେତେବେଳେ ସେଠାରେ ଦୋକାନୀ ନଥିଲେ କି ସିସିଟିଭି କ୍ୟାମେରା ନଥିଲା । କେବଳ “ନିଜେ ନିଜର ସେବା କର, ସଚ୍ଚୋଟ ଭାବରେ ପଇଠ କର” ଲେଖାଥିବା ଏକ ସାଇନ୍‌ବୋର୍ଡ ଲଗାଯାଇଥିଲା ।

ଜାପାନର ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ଏଭଳି ଅନେକ ଦୋକାନୀ ବିହୀନ କ୍ଷୁଦ୍ର ଦୋକାନ ରହିଛି । ଟୋକିଓର ଦକ୍ଷିଣରେ ଥିବା ଉପକୂଳବର୍ତ୍ତୀ କାନାଗାୱା ପ୍ରିଫେକ୍‌ଚର (ଜିଲ୍ଲା)ରେ ୟାମାଦା ପରିବାର ଚଳାଉଥିବା ଏଭଳି ଏକ ଦୋକାନରେ, ଛୋଟିଆ କାଠ ବାକ୍‌ସରେ ଜିନିଷର ମୂଲ୍ୟ ବାବଦ ଅର୍ଥ ପକାଇବା ପୂର୍ବରୁ ଗ୍ରାହକମାନେ ହିସାବପତ୍ର କରି ସଠିକ ଦେୟ ଜାଣିବା ଲାଗି କାଲକୁଲେଟର ମଧ୍ୟ ରହିଛି । ସୁଇଜରଲାଣ୍ଡର ଗିମେଲୱାଲ୍‌ଡ ଗାଁରେ ଏହିଭଳି ଏକ ଖାଲି ରହିଥିବା ଦୋକାନରୁ ପ୍ରେରଣା ପାଇ ହୋଟେଲ ମାଲିକ ଡେଭିଡ୍‌ ୱାଟରହାଉସ୍‌ ଲଣ୍ଡନରେ ଏହି ଧାରଣାକୁ କାର୍ଯ୍ୟକାରୀ କରିବା ଲାଗି ମନ ବଳାଇଥିଲେ । ଟାୱାର ଅଫ୍‌ ଲଣ୍ଡନ ନିକଟରେ ସ୍ଥାପନ କରାଯାଇଥିବା ‘ଟ୍ରଷ୍ଟି’ ନାମରେ ଜଣାଶୁଣା ‘ଦି ଅନେଷ୍ଟି ଶପ୍‌’ ବାସ୍ତବରେ ଏକ ଡବଲ ଡେକର ବସ୍‌ । ଏଠାରେ ଅଧିକାଂଶ ଜିନିଷ 20 ପାଉଣ୍ଡରୁ କମ୍‌ ମୂଲ୍ୟରେ ବିକ୍ରି ହୁଏ । ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ମହଜୁଦ ଜିନିଷର ତଦାରଖ କରାଯାଏ ଏବଂ କେବେହେଲେ କୌଣସି ଜିନିଷ କମ ଥିବା ଜଣାଯାଇନାହିଁ ।

ଏଠାରେ ମନେ ରଖିବା କଥା ଯେ, ଅନ୍‌ଲାଇନ୍‌ କିଣାବିକା ସମୟରେ ଗ୍ରାହକଙ୍କ ଆଚରଣକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରୁ ‘ବିଶ୍ବାସ’ ଗୁରୁତ୍ବପୂର୍ଣ୍ଣ । ସମାନ୍ତରାଳ ଭାବେ, ଲୋକ ନଥିବା ଦୋକାନରୁ କିଣାବିକା କ୍ଷେତ୍ରରେ ଗ୍ରାହକଙ୍କ ସାଧୁତା ଉପରେ ନିର୍ଭର କରାଯାଏ ଏବଂ ଏଥିରୁ ସଚ୍ଚୋଟପଣିଆର ମୂଲ୍ୟବୋଧ ପ୍ରମାଣିତ ହୁଏ । ବାସ୍ତବରେ ଚମତ୍କାର । ରୋଗ ସଂକ୍ରମଣର ଏହି ସମୟରେ ଏହା ବେଶ୍‌ ସହାୟକ ହୋଇପାରେ । କୌଣସି କ୍ଷତି ହେଲେ, ଯଦି ତାହା ସାମଗ୍ରିକ ଲାଭ ତୁଳନାରେ କମ୍‌ ହେଉଥିବ, ତେବେ ଦୋକାନୀ ବିହୀନ ଦୋକାନର ମୂଳଧାରଣା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଉପଯୋଗୀ । କାରଣ, ସେହି ସମୟରେ, ଦୋକାନୀ ଜଣକ, ମିଜୋରାମର ଝୁମ୍‌ ଚାଷ ଭଳି କିମ୍ବା ଆମ ଅଞ୍ଚଳର ଖବରକାଗଜ ବିକ୍ରେତାଙ୍କ ଭଳି ଅନ୍ୟ ଲାଭଦାୟକ କାମ କରିପାରିବେ । ଏଭଳି ଏକ କ୍ଷେତ୍ରରେ ବାଙ୍କୁଲାତୁବାୟାଲର ସ୍ବୟଂସେବା ଦୋକାନ ଭଳି ସିସିଟିଭି କ୍ୟାମେରା ଉପଯୋଗ ଦିଗରେ ପ୍ରୟାସ କରାଯାଇପାରେ ଏବଂ ଦୋକାନୀ ନଥିବା ଦୋକାନର ବ୍ୟବସାୟକୁ ଆଗେଇ ନିଆଯାଇପାରେ ।

ନିଶ୍ଚିତ ଭାବରେ, ଏଭଳି ଏକ ବ୍ୟବସ୍ଥାରେ ସବୁ ପ୍ରକାର ଦୋକାନ ଚାଲି ପାରିବ ନାହିଁ । ଉଦାହରଣତଃ, ଔଷଧ ଦୋକାନରେ ଏକ ନିର୍ଦ୍ଦିଷ୍ଟ ସାମଗ୍ରୀ ଖୋଜି ପାଇବା ପାଇଁ କିଛିଟା ବିଶେଷ ଦକ୍ଷତା ଆବଶ୍ୟକ । କେତେକ ଜିନିଷ ବିକିବା ପାଇଁ ବିକ୍ରୟ ଦକ୍ଷତା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସେ ଯାହାହେଉ, ପନିପରିବା କି ତେଜରାତି ଜିନିଷ ବିକ୍ରି ଭଳି ସିଧାସଳଖ କାରବାର କ୍ଷେତ୍ରରେ ମଧ୍ୟ ଲୋକ ନଥିବା ଦୋକାନ ସଂସ୍କୃତି ବିକଶିତ ହେଲେ, ବିକ୍ରି କ୍ଷେତ୍ରରେ ନିଯୁକ୍ତି ପାଇଥିବା ଅନେକ କର୍ମଚାରୀଙ୍କ ଚାକିରି ଲୁପ୍ତ ହୋଇଯାଇପାରେ । ଏହା ସ୍ପଷ୍ଟ ଯେ, ସେମାନଙ୍କ ପାଇଁ ବିକଳ୍ପ କାମ ଖୋଜିବା ସହଜ ନୁହେଁ । ଯଦିଓ ‘ବିଶ୍ବାସ’ ଏକ ଶ୍ରୁତିମଧୁର ଶବ୍ଦ, ତଥାପି ଦୋକାନଦାରି ସଂସ୍କୃତିରେ ବହୁଳ ମାତ୍ରାରେ ଏହାର ପ୍ରଚଳନ ବାଞ୍ଛନୀୟ ନୁହେଁ । ବାସ୍ତବରେ ହୁଏତ ସନ୍ନିହିତ ବିଶ୍ବାସ, କିମ୍ବା ସିସିଟିଭି ବଳରେ ସୃଷ୍ଟ ଛଦ୍ମ ବିଶ୍ବାସର ଆର୍ଥିକ ଓ ସାମାଜିକ କୁପରିଣତି ଦେଖାଦେଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.