ଜୟପୁର: ରାଜସ୍ଥାନ ଡୁଙ୍ଗରପୁର ହିଂସା ମାମଲା ସମାଧାନର ନାଁ ନେଉନି । ବରଂ ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତା ବଢିବାରେ ଲାଗିଛି । ହିଂସା ମାମଲାରେ ସାମିଲ ଥିବା 13 ଜଣଙ୍କୁ ପୋଲିସ ଶୁକ୍ରବାର ଦିନ ଗିରଫ କରିଥିଲା । ଏବେ ଏସମସ୍ତ ଅଭିଯୁକ୍ତ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଡୁଙ୍ଗରପୁର-ଉଦୟପୁର ସୀମାରେ ଶିକ୍ଷକ ନିଯୁକ୍ତିକୁ ନେଇ ବଡ ଧରଣର ହିଂସାକାଣ୍ଡ ଘଟିଥିଲା । ହିଂସାରେ ସାମିଲ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ୍ ଲଗାତାର ଚେଷ୍ଟା ଜାରି ରଖିଥିଲା । ଏପର୍ଯ୍ୟନ୍ତ ପୋଲିସ ମାମଲାରେ ସମ୍ପୃକ୍ତ 114 ଜଣଙ୍କୁ ଗିରଫ କରିସାରି ଥିବାବେଳେ ଶୁକ୍ରବାର ଅନ୍ୟ 13 ଜଣଙ୍କୁ ଗିରଫ କରିଛି । ଗିରଫ ପରେ ପୋଲିସ ସେମାନଙ୍କର କୋଭିଡ୍ ଯାଞ୍ଚ କରାଇଥିଲା । ତେବେ ଶନିବାର ସମସ୍ତ 13 ଅଭିଯୁକ୍ତ କରୋନା ପଜିଟିଭ ରିପୋର୍ଟ ଆସିଛି । ସେମାନଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁଠୁ ବଡ କଥା ହେଉଛି କି ପୋଲିସ ଏମାନଙ୍କୁ ଗିରଫ କରି ଜେଲରେ ଥିବା ଅନ୍ୟ କଏଦୀଙ୍କ ସହ ରଖିଥିଲା । ତେଣୁ ଅନ୍ୟ କଏଦୀଙ୍କ ସଂକ୍ରମଣକୁ ଏଡାଇ ଦିଆଯାଇ ନପାରେ ।
ସେପଟେ ଜେଲରେ 70 କଏଦୀଙ୍କ ରହିବାର ବନ୍ଦୋବସ୍ତ ଥିବାବେଳେ ପୋଲିସ 100ରୁ ଅଧିକ କଏଦୀଙ୍କୁ ରଖିଛି । ଯାହା ଏବେ ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏବେ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କ କୋରୋନା ଯାଞ୍ଚ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ