ଜୟପୁର: ରାଜସ୍ଥାନ ସରକାର ଆସନ୍ତା ଅଗଷ୍ଟ ମାସରୁ ବେକାରୀ ଭତ୍ତା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଯୁବ ସମ୍ବଳ ଯୋଜନାରେ ଏହି ଭତ୍ତା ପ୍ରଦାନ କରାଯିବ । ଏହି ଯୋଜନାରେ 1ଲକ୍ଷ 60ହଜାର ବେକାରୀ ଯୁବକଯୁବତୀଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍କିଲ ପ୍ଲାନିଙ୍ଗ ଓ ଇଣ୍ଟ୍ରୋପ୍ରେନିଓରସିପ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦନା ଘୋଷଣା କରିଛନ୍ତି ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଯୁବ ସମ୍ବଳ ଯୋଜନାରେ 82 ହଜାର ବେକାରୀ ଯୁବକ ଯୁବତୀ ଉପକୃତ ହେବେ । ପୂର୍ବରୁ ସରକାରଙ୍କ ତରଫରୁ ଡିସେମ୍ବର 2018ରୁ ଚଳିତ ମାସ ପର୍ଯ୍ୟନ୍ତ 83କୋଟି 32ଲକ୍ଷ ଟଙ୍କାର ବେକାରୀ ଭତ୍ତା ପାଇଁ ଆବେଦନ ପତ୍ର ଉପଲବ୍ଧ କରାଯାଇଥିଲା ।
ପୂର୍ବର ବିଜେପି ସରକାର 7ଲକ୍ଷ ପଞ୍ଜୀକୃତ ବେକାରୀଙ୍କ ମଧ୍ୟରୁ 40 ହଜାରଙ୍କୁ ଏହି ଭତ୍ତା ପ୍ରଦାନ କରିଥିଲେ । ହେଲେ ବର୍ତ୍ତମାନର ସରକାର 1ଲକ୍ଷ 60ହଜାର ବେକାରୀ ଯୁବକଯୁବତୀଙ୍କୁ ଏହା ପ୍ରଦାନ କରିବେ ବୋଲି ଚନ୍ଦନା କହିଛନ୍ତି । ଅଗଷ୍ଟମାସ ପୂର୍ବରୁ 83 କୋଟି 32ଲକ୍ଷ ଟଙ୍କା ଏହି ଯୋଜନାରେ ପ୍ରଦାନ କରାଯାଇଥିବାବେଳେ ଡିସେମ୍ବର ପୂର୍ବରୁ ଆଉ 230 କୋଟି ପ୍ରଦାନ କରାଯିବ ।
ଗତ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁରୁଷ ଆବେଦନକାରୀଙ୍କ ପାଇଁ ମାସିକ 3000ଟଙ୍କା, ମହିଳା ଓ ଭିନ୍ନକ୍ଷମଙ୍କ ପାଇଁ 3500ଟଙ୍କାର ବେକାରୀ ଭତ୍ତା ଦିଆଯିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୁବ ସମ୍ବଳ ଯୋଜନାର ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବାବେଳେ ତାଙ୍କର ପରିବାରର ବାର୍ଷିକ ଆୟ 2 ଲକ୍ଷରୁ କମ ହୋଇଥିବା ଦରକାର। ବୟସସୀମା ପୁରୁଷଙ୍କ କ୍ଷେତ୍ରରେ 30ବର୍ଷ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ 35ବର୍ଷ ରହିଛି ।