ବିଧାୟକ ପଦ ପାଇଁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତରେ ବାଚସ୍ପତିଙ୍କ ନୋଟିସ୍ ଜାରି କ୍ଷମତାକୁ ଚ୍ୟାଲେଞ୍ଜ କରିବା ଲାଗି ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ସୁପ୍ରିମ କୋର୍ଟ ଓ ରାଜସ୍ଥାନ ହାଇକୋର୍ଟ ଅନୁମତି ପ୍ରଦାନ କରିବା ଚିନ୍ତାର ବିଷୟ ଏବଂ ଏହାର କାରଣ, 28 ବର୍ଷ ତଳେ ସୁପ୍ରିମ କୋର୍ଟର ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ପ୍ରସଙ୍ଗର ସମାଧାନ କରିସାରିଛନ୍ତି ବୋଲି ସାମ୍ବିଧାନିକ ପ୍ରସଙ୍ଗର ଜଣେ ବିଶେଷଜ୍ଞ କହିଛନ୍ତି ।
ଇଟିଭି ଭାରତ ସହ ଏକ ଏକ୍ସକ୍ଲୁସିଭ୍ ବାର୍ତ୍ତାଳାପ ଅବସରରେ ଲୋକସଭାର ପୂର୍ବତନ ମହାସଚିବ ପି.ଡି.ଟି. ଆଚାରୀ କହିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ମାମଲାରେ ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଏକ ଦଳୀୟ ବୈଠକରେ ଯୋଗ ଦେବାକୁ ମନା କରିବା ପରେ ବାଚସ୍ପତି ସେମାନଙ୍କୁ ନୋଟିସ୍ ଜାରି କରିଥିଲେ ଏବଂ ବାଚସ୍ପତିଙ୍କ ଏହି କ୍ଷମତାକୁ ଚ୍ୟାଲେଞ୍ଜ କରି ବିଧାୟକମାନେ ଦାୟର କରିଥିବା ଆବେଦନର ଶୁଣାଣି କରିବାକୁ ରାଜସ୍ଥାନ ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ସକାଶେ ଜୟପୁରରେ ଆହୂତ ଏକ ଦଳୀୟ ବୈଠକରେ ଯୋଗ ଦେବା ପାଇଁ ଦଳର ନିର୍ଦ୍ଦେଶକୁ ଅବମାନନା କରିବା ପରେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ଅନ୍ୟ 18 ଜଣ କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ଜୁଲାଇ 15 ତାରିଖ ଦିନ ନୋଟିସ୍ ଜାରି କରିଥିଲେ ।
ପି.ଡି.ଟି. ଆଚାରୀ କହିଲେ, ‘ନିୟମ ଅନୁସାରେ ବାଚସ୍ପତି ନୋଟିସ୍ ଜାରି କରିଥାଆନ୍ତି ଏବଂ ଏ ସଂକ୍ରାନ୍ତ ନିୟମାବଳୀ ଦଶମ ପରିଚ୍ଛେଦ ଅନୁସାରେ ପ୍ରଣୀତ ଏବଂ ସଂସଦ ଦ୍ବାରା ଅନୁମୋଦିତ ହୋଇଛି । ଏହି ନିୟମ ଅନୁସାରେ ଯେଉଁ ଆଧାରରେ ନୋଟିସ ଦିଆଯାଇଥାଏ, ତାହାର ଯଥାର୍ଥତା ସଂପର୍କରେ ଆବେଦନକାରୀ ସନ୍ତୁଷ୍ଟ ହେବା ଦରକାର, ବାଚସ୍ପତି ନୁହନ୍ତି ।’
ଆଚାରୀ କହନ୍ତି ଯେ, 1992 ମସିହାର କିହୋତୋ ହୋଲୋହାନ୍ ମାମଲାରେ ବିଦ୍ରୋହୀ ବିଧାୟକମାନଙ୍କୁ ନୋଟିସ୍ ଜାରି କରିବା ସଂପର୍କରେ ବାଚସ୍ପତିଙ୍କ ଅଧିକାରକୁ ସୁପ୍ରିମ କୋର୍ଟର ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ କାଏମ ରଖିସାରିଛନ୍ତି । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ବାଚସ୍ପତିଙ୍କର କୌଣସି ନିଷ୍ପତ୍ତି ହିଁ ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ ହୋଇପାରିବ, କିନ୍ତୁ ନିଷ୍ପତ୍ତି ନେବା ପୂର୍ବରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ।
ଇଟିଭି ଭାରତକୁ ଆଚାରୀ କହିଲେ, ‘କୌଣସି ପ୍ରସଙ୍ଗରେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନର ଯଥାର୍ଥତା ନେଇ ବିଚାର ବିଭାଗ ହସ୍ତକ୍ଷେପ କରିପାରିବ ନାହିଁ ବୋଲି 1992 ମସିହାରେ ଆଇନଗତ ବ୍ୟବସ୍ଥା ହୋଇସାରିଛି ।’
ରାଜସ୍ଥାନ ମାମଲାରେ, ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ଫଳରେ ବର୍ତ୍ତମାନ ପାଇଁ ସଚିନ ପାଇଲଟଙ୍କ ଶିବିରରେ ଥିବା ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ବାଚସ୍ପତିଙ୍କର କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଲାଗୁ ହୋଇଛି ।
ସଚିନ ପାଇଲଟଙ୍କ ପାଇଁ ଆଉ ଏକ ଆଶ୍ବସ୍ତିର ବିଷୟ ହେଲା ଯେ, ଏହି ମାମଲାର ବିଷୟବସ୍ତୁ 1985ର ଦଳବଦଳ ବିରୋଧୀ ଆଇନ ଅନ୍ତର୍ଗତ ବ୍ୟବସ୍ଥା ସଂପର୍କିତ ବୋଲି ଦର୍ଶାଇ ଏଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ପାଇଲଟ କରିଥିବା ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେବାକୁ ଯାଇ ଆଚାରି କହିଲେ,“ଏହାର ଅର୍ଥ ଆପଣ ବାଚସ୍ପତିଙ୍କ ଦ୍ବାରା ନୋଟିସ୍ ଜାରି କରାଯିବାକୁ ଚ୍ୟାଲେଞ୍ଜ କରିପାରିବେ, ଏହି ନୋଟିସ୍ର ସାମ୍ବିଧାନିକ ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରିପାରିବେ ।’
ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟତା
ଆଚାରୀ କହନ୍ତି ଯେ, ଆଇନ ଅନୁସାରେ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଦୁଇଟି ଆଧାରରେ ନୋଟିସ୍ ଜାରି କରାଯାଇପାରେ । ପ୍ରଥମଟି ହେଲା ଯଦି ବିଧାୟକ ଗୃହରେ ଦଳୀୟ ହ୍ବିପ୍ର ଅବମାନନା କରିଥାଆନ୍ତି । ଦ୍ବିତୀୟ ଆଧାରଟି ହେଲା ଯଦି ବିଧାୟକ ନିଜ ଇଚ୍ଛାରେ ଦଳର ସଦସ୍ୟତା ତ୍ୟାଗ କରିଥାଆନ୍ତି ।
ଲୋକସଭାର ଏହି ପୂର୍ବତନ ମହାସଚିବ କହିଲେ ଯେ, “ନିଜ ଇଚ୍ଛାରେ ଦଳୀୟ ସଦସ୍ୟତା ତ୍ୟାଗର ପରିଭାଷା ଆଇନରେ ଦିଆଯାଇନାହିଁ, କିନ୍ତୁ ଏଭଳି ଅନେକ ମାମଲାରେ ସୁପ୍ରିମ କୋର୍ଟ ଏହି ବିଷୟର ବିଶଦ ବ୍ୟାଖ୍ୟା କରିସାରିଛନ୍ତି ।’
କୌଣସି ବିଧାୟକଙ୍କର ଗୋଟିଏ ମାତ୍ର କାର୍ଯ୍ୟ ପ୍ରମାଣ ରୂପେ ଗୃହୀତ ହେବା ଲାଗି ଯଥେଷ୍ଟ ବୋଲି ବୁଝାଇ ଦେବାକୁ ଯାଇ ଆଚାରୀ କହିଲେ, ‘ଏଭଳି ଗୋଟିଏ ମାମଲାରେ ସୁପ୍ରିମ କୋର୍ଟ କହିଥିଲେ ଯେ, ଯଦି ଶାସକ ଦଳର ଜଣେ ସଦସ୍ୟ କେତେକ ବିରୋଧୀ ସଦସ୍ୟଙ୍କ ସହିତ ରାଜ୍ୟପାଳଙ୍କ ପାଖକୁ ଯାଇ ତାଙ୍କ ନିଜ ଦଳର ସରକାର ଭଙ୍ଗ କରିବାକୁ ଅନୁରୋଧ କରନ୍ତି, ତେବେ ଏହାକୁ ହିଁ ନିଜ ଇଚ୍ଛାରେ ସେ ଦଳର ସଦସ୍ୟତା ତ୍ୟାଗ କରିଛନ୍ତି ବୋଲି ଯଥେଷ୍ଟ ପ୍ରମାଣ ରୂପରେ ବିବେଚନା କରାଯିବ ।’
ଅଯୋଗ୍ୟତା ପାଇଁ ବାଚସ୍ପତି କିପରି ନୋଟିସ୍ ଜାରି କରନ୍ତି
ଆଚାରୀ କହନ୍ତି ଯେ, ଥରେ ଯଦି ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ ଦାଖଲ ହୋଇଯାଏ, ତେବେ ନିୟମ ଅନୁସାରେ ସଂପୃକ୍ତ ସଦସ୍ୟଙ୍କୁ ବାଚସ୍ପତି ନୋଟିସ୍ ଜାରି କରନ୍ତି ।
ସେ କହିଲେ, ‘ଏହି ନିୟମାବଳୀରୁ ଗୋଟିଏ ନିୟମ ଅନୁସାରେ କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଆବେଦନକାରୀ ହିଁ ଅଯୋଗ୍ୟତାର ଯଥାର୍ଥ ଆଧାର ସଂପର୍କରେ ନିଜେ ନିଜେ ସନ୍ତୁଷ୍ଟ ହେବା ଦରକାର । ଆବେଦନର ଯଥାର୍ଥତା ସମ୍ପର୍କରେ ସନ୍ତୁଷ୍ଟ ହେବାର ଆଇନଗତ ଦାୟିତ୍ବ ଆବେଦନକାରୀଙ୍କର, ବାଚସ୍ପତିଙ୍କର ନୁହେଁ ।’
ତା’ପରେ ବାଚସ୍ପତି ସଂପୃକ୍ତ ସଦସ୍ୟଙ୍କ ଉତ୍ତର ପାଇବା ପରେ ଏବଂ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ପ୍ରମାଣ ରୂପେ ଦାଖଲ ହୋଇଥିବା ସମସ୍ତ ଦଲିଲ ଦସ୍ତାବିଜ୍ର ପରୀକ୍ଷାନିରୀକ୍ଷା ବି ଏହି ପ୍ରକ୍ରିୟା ସହ ସଂପୃକ୍ତ ।
ବାଚସ୍ପତି ବ୍ୟକ୍ତିଗତ ଭାବେ ସେମାନଙ୍କର ଶୁଣାଣି କରିବେ । ଏହି ସମସ୍ତ ପ୍ରକ୍ରିୟା ଆଇନର ଆବଶ୍ୟକତା । ଏ ସବୁ ସରିବା ପରେ ହିଁ ବାଚସ୍ପତି ମାମଲାରେ ନିଷ୍ପତ୍ତି ନେବେ ବୋଲି ପିଡିଟି ଆଚାରୀ ବୁଝାଇ ଦେଲେ ।
ଆଚାରୀ କହିଲେ ଯେ, ବାଚସ୍ପତି ଥରେ ନିଷ୍ପତ୍ତି ଦେଇସାରିବା ପରେ ହିଁ କୋର୍ଟ ଏହାର ସମୀକ୍ଷା କରିପାରିବେ ଏବଂ ଏହାକୁ ଖାରଜ କରିବେ କି ବଳବତ୍ତର ରଖିବେ ତାହା କୋର୍ଟଙ୍କ ଉପରେ ନିର୍ଭର କରେ ।
ସୁପ୍ରିମ କୋର୍ଟ ଦଳବଦଳ ବିରୋଧୀ ଆଇନର ପରିସର ସମୀକ୍ଷା କରିବେ କି ?
ଏ ସପ୍ତାହରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସି ପି ଯୋଶୀଙ୍କ ଦ୍ବାରା ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ କହିଲେ ଯେ ସେମାନେ ମାମଲାର ବିସ୍ତୃତ ବିବରଣୀ ଶୁଣିବାକୁ ଚାହିଁବେ ।
ସଚିନ ପାଇଲଟଙ୍କ ନେତୃତ୍ବରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରଦାନକୁ ସ୍ଥଗିତ ରଖିବାକୁ ବି ସର୍ବୋଚ୍ଚ ଅଦାଲତ ମନା କରିଦେଲେ ।
ଆଚାରୀ କହିଲେ, ‘ଏହି ପ୍ରସଙ୍ଗରେ ପରିସୀମାର ବ୍ୟାପକତା ବିଚାରକୁ ନେଲେ, 1992 ମସିହାରେ ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହାର ଚୂଡ଼ାନ୍ତ ସମାଧାନ କରିସାରିଥିବା ବେଳେ ଏବେ ପୁଣି, ପ୍ରଥମେ ହାଇକୋର୍ଟଙ୍କ ଦ୍ବାରା ଏବଂ ପରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଦ୍ବାରା, ଏହି ପ୍ରସଙ୍ଗକୁ ପୁନର୍ବିଚାର ପାଇଁ ଗ୍ରହଣ କରାଯିବା କିଛିଟା ଉଦ୍ବେଗର ବିଷୟ ମନେହୁଏ ।’
ସେ ଆହୁରି କହିଲେ, ‘ହୁଏତ ପୂର୍ବରୁ ଏହି ଆଇନକୁ ଚୂଡ଼ାନ୍ତ ରୂପ ଦେଇଥିବା ଖଣ୍ଡପୀଠ ତୁଳନାରେ ଏକ ବଡ଼ ଖଣ୍ଡପୀଠକୁ ସେମାନେ ଏହାକୁ ପଠାଇ ଦେଇପାରନ୍ତି । ସେତେବେଳେ ଖଣ୍ଡପୀଠରେ ପାଞ୍ଚ ଜଣ ବିଚାରପତି ଥିଲେ । ଏବେ ହୁଏତ ସେମାନେ ଏହାକୁ ସାତଜଣିଆ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଇ ଦେବା ସମ୍ଭବ ହୋଇପାରେ ।’
‘ଏହା ଏଭଳି ଏକ ପ୍ରସଙ୍ଗ, ଯାହାର ସମାଧାନ କେବଳ ସୁପ୍ରିମ କୋର୍ଟଙ୍କ ଦ୍ବାରା ସମ୍ଭବ । କାରଣ ଖୋଦ୍ ସୁପ୍ରିମକୋର୍ଟଙ୍କ ବ୍ୟତୀତ ଅନ୍ୟ କୌଣସି କର୍ତ୍ତୃପକ୍ଷ ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ ନାହିଁ ।’
174 ଧାରା ଅନୁସାରେ ରାଜ୍ୟପାଳଙ୍କ କ୍ଷମତା
ଇତିମଧ୍ୟରେ, ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ. ଶୁକ୍ରବାର ଦିନ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ କହିବା ପରେ ରାଜସ୍ଥାନରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି ।
ଆଚାରୀ କହିଲେ, ‘ସମ୍ବିଧାନର 174 ଧାରା ଅନୁସାରେ ରାଜ୍ୟପାଳ ବିଧାସଭା ଅଧିବେଶନ ଡାକନ୍ତି, କିନ୍ତୁ ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ଅନୁସାରେ ହିଁ ରାଜ୍ୟପାଳ ଗୃହର ଅଧିବେଶନ ଡାକିଥାଆନ୍ତି । ଆମର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ଜଣେ ସ୍ବାଧୀନ କର୍ତ୍ତୃପକ୍ଷ ନୁହଁନ୍ତି ।’
ରିପୋର୍ଟ ଅନୁସାରେ, ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କୁ ଦିଆଯାଇଥିବା ସରକାରୀ ପତ୍ରରେ ଅଧିବେଶନର ନିର୍ଦ୍ଦିଷ୍ଟ ତାରିଖ ଦର୍ଶାଯାଇ ନଥିବାରୁ ଏବଂ ଏହା ରାଜ୍ୟ କ୍ୟାବିନେଟ୍ର ଔପଚାରିକ ଅନୁମୋଦନ ପାଇଥିବା ସଂପର୍କରେ ଏଥିରେ ଉଲ୍ଲେଖ କରାଯାଇ ନଥିବାରୁ ରାଜ୍ୟପାଳ କଲରାଜ ମିଶ୍ର ରାଜ୍ୟ ସରକାରଙ୍କ ସୁପାରିସକୁ ଗ୍ରହଣ କରିନାହାନ୍ତି ଏବଂ ଏହି ପ୍ରସଙ୍ଗକୁ ରାଜସ୍ଥାନର ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦେଇଛନ୍ତି ।
କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ