ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡିଛି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ । ନୂଆ ଅଧ୍ୟକ୍ଷର ଚୟନ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଲଗାତାର ଜାରି ରହିଛି । ହେଲେ ଏବେ ସୁଦ୍ଧା ନୂଆ ଅଧ୍ୟକ୍ଷର ଚୟନ ହୋଇପାରିନାହିଁ । ଏଥିପାଇଁ ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ ଏବଂ ସୁଶିଲ କୁମାର ସିନ୍ଧେଙ୍କ ସମେତ ଅନେକ ନାମ ଉପରେ ବିଚାରବିମର୍ଷ ହେଉଛି । କିନ୍ତୁ କୌଣସି ନାମ ଉପରେ ଏବେ ସୁଦ୍ଧା ମୋହର ଲାଗି ପାରିନାହିଁ । ତେବେ ଇତି ମଧ୍ୟରେ ଖବର ମିଳୁଛି କି, ଜଣେ ଯୁବ ଇଞ୍ଜିନିୟର ଏହି ପଦ ପାଇଁ ସେ ଆବେଦନ କରିବାକୁ ଚାହୁଁଛନ୍ତି ।
ପୁଣେର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଗଜାନନ୍ଦ ହାସଲେ କଂଗ୍ରେସର ଅଧ୍ୟକ୍ଷ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସେ ଜୁଲାଇ 23 ତାରିଖରେ ନିଜ ପ୍ରାର୍ଥିପତ୍ର କଂଗ୍ରେସର ସିଟି ୟୁନିଟର ଅଧ୍ୟକ୍ଷ ରମେଶ ବାଗୱେଙ୍କୁ ଦେବେ ବୋଲି ଜଣାପଡିଛି । ତେବେ ମଙ୍ଗଳବାର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବା ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟତା ପ୍ରକ୍ରିୟା ପୂରା କରିବେ ବୋଲି କହିଛନ୍ତି ଗଜାନନ୍ଦ ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପରାଜୟର ସମସ୍ତ ଭାର ନିଜ ଉପରକୁ ନେଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ ।