ଅର୍ଡନାନସ ଫ୍ୟାକ୍ଟରି ବୋର୍ଡ(OFB) ବା ଭାରତୀୟ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନା ବୋର୍ଡର ନିଗମକରଣ ନେଇ ପ୍ରାଥମିକ ସ୍ତରରେ କାର୍ଯ୍ୟ ଆରମ୍ଭ କରିବା ସକାଶେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ କେପିଏମଜି ଆଡଭାଇଜରି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ଏବଂ ଖୈତାନ ଏଣ୍ଡ କୋ ଲିମିଟେଡକୁ କନସଲଟାନସୀ ସଂସ୍ଥା ଭାବେ ନିଯୁକ୍ତି ଦେଇଛି । ଏଇ କିଛି ଦିନ ହେଲା ପ୍ରତିରକ୍ଷା ଶିଳ୍ପ ବେସ୍ (DIB) କ୍ଷେତ୍ରରେ ସରକାରୀ ଏବଂ ବେସରକାରୀ ଉଦ୍ୟୋଗର ଭୂମିକା ବିତର୍କର ପ୍ରସଙ୍ଗ ପାଲଟିଛି। ଗୋଟିଏ ବିଷୟକୁ ନେଇ ଅନେକ ମତ ପ୍ରକାଶ ପାଉଛି, ତାହା ହେଉଛି OFBର କମ୍ପାନିକରଣ। ଅନେକଙ୍କ ମତ ହେଉଛି, ଏହା ହେଉଛି ଏକ ପ୍ଲଗ୍ ସଦୃଶ ଏବଂ ଏହାକୁ ଲଗାଇଦେଲେ ଏଥିରୁ ତୁରନ୍ତ ଲାଭ ମିଳିପାରିବ। ଅଧିକାଂଶ ରାଷ୍ଟ୍ରରେ ଜାତୀୟ ସୁରକ୍ଷା କ୍ଷେତ୍ରକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ବିଚାର କରାଯାଉଥିବାରୁ ଏଥିରେ ପବ୍ଲିକ ଓ ପ୍ରାଇଭେଟ୍ ସେକ୍ଟରର ମିଳିତ ଭୂମିକାକୁ ନେଇ ପ୍ରଶ୍ନବାଚୀ ରହିଛି ।
ଉନ୍ନତ ରାଷ୍ଟ୍ରଗୁଡ଼ିକରେ ବିଶେଷ କରି ଶୀତଳ ଯୁଦ୍ଧ ପରେ ସେନା ବାହିନୀର ଆକାର ଅନେକ ପରିମାଣରେ କମିବାରୁ ଏବଂ ଅସ୍ତ୍ରଶସ୍ତ୍ରର ଚାହିଦା ହ୍ରାସ ପାଇବାରୁ ଏହାର ବ୍ୟବସାୟିକ କାରଣରୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଅଂଶଗ୍ରହଣ ବଢିବା ଦେଖା ଯାଇଥିଲା। ଭାରତରେ କିନ୍ତୁ ପ୍ରତିରକ୍ଷା ଦୃଷ୍ଟିରୁ ପାରିପାର୍ଶ୍ବିକ ସ୍ଥିତି ସମ୍ପୂର୍ଣ୍ଣ ବିପରିତ। ଏଲଏସିରେ ଦିନକୁ ଦିନ ମୁହାଁମୁହିଁ ମୁକାବିଲା ବଢି ବଢି ଚାଲିଛି। ଉତ୍ପାଦନ ମୂଲ୍ୟ ଏବଂ ଦକ୍ଷତା (କଷ୍ଟ ଏଫିସିଏନ୍ସି) ଦୃଷ୍ଟିରୁ ଡିଆଇବି ସର୍ବୋତ୍କୃଷ୍ଟ ହେବା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଏହାର ଘରୋଇକରଣ ନେଇ ଅତି ସାବଧାନତାର ସହ ଆଗକୁ ଯିବାକୁ ପଡ଼ିବ ଯେପରି ଏହା ବିଶ୍ବର ପରିବର୍ତ୍ତିତ ଘଟଣାକ୍ରମରେ କୌଣସି ବାଧା ସୃଷ୍ଟି ନକରିବ। କିଛିଦିନ ପୂର୍ବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆର୍ମି ବେସ୍ ୱାର୍କସପ୍ (ABW) ଗୁଡିକରେ ସରକାରୀ ପରିଚାଳିତ କମ୍ପାନି ପରିଚାଳନାଧିନ ଅର୍ଥାତ୍ GOCO ମଡେଲ ପ୍ରଚଳନ ପାଇଁ ଆବଶ୍ୟକ ରଣନୀତି ଏବଂ ଯୋଜନା କାର୍ଯ୍ୟକାରିତା ସକାଶେ ପ୍ରାଇସୱାଟର ହାଉସ କୁପର୍ସ (ପିଡବ୍ଲୁସି)କୁ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲା। ଏବିଡବ୍ଲୁ ସେନାବାହିନୀର ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତିର ମେଣ୍ଟେନାନସ, ରିପେୟାର ଏବଂ ଅପରେସନ ଅର୍ଥାତ୍ MRO(ରକ୍ଷଣାବେକ୍ଷଣ, ମରାମତି ଏବଂ ବ୍ୟବହାରିକ) ସପୋର୍ଟ ଯୋଗାଇଥାଏ। ଏହି କୋର୍ ସେକଟରକୁ ଘରୋଇ ଉଦ୍ୟୋଗ ହାତରେ ଟେକିଦେବା ନେଇ ସେନା ବାହିନୀର ଏକତରଫା ମନୋଭାବକୁ ନେଇ ପ୍ରଶ୍ନ ଉଠିଥିଲା ।
ଏହି ବିଷୟ ଉପରେ କୌଣସି ଆଲୋଚନା ନହେବା ଲକ୍ଷ୍ୟ କରାଯାଇଥିଲା। ନେତାମାନେ ଆନ୍ତଃବିଭାଗୀୟ ସହଯୋଗ କଥା ବିଚାର ନକରି ଏଥିରୁ ତ୍ବରିତ ଫାଇଦା ପାଇଁ କୌଣସିମତେ GOCO ମଡେଲ କାର୍ଯ୍ୟକାରୀ କରିବାକୁ ମତ ରଖିଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବଳ ପାଇଥିବା ଅର୍ଥ ବଦଳରେ ଏକ ସୌଖିନ ପ୍ରୟାସ ଥିଲା। କୌଣସି ପ୍ରକାର ମିସନ୍ ହାସଲ କରିବାରେ ଏବିଡବ୍ଲ୍ୟୁର ଇଞ୍ଜିନିୟରିଂ ସାମର୍ଥ୍ୟ କେତେ ବାସ୍ତବବାଦୀ ଏବଂ ବିଶ୍ବର ବିଭିନ୍ନ ଭାଗରୁ ସଂଗ୍ରୁହୀତ ଜ୍ଞାନକୌଶଳର ପ୍ରୟୋଗ କରିବାରେ ଏହାର ଭୂମିକାକୁ ରିପୋର୍ଟରେ ଅଣଦେଖା କରାଯାଇଥିଲା। ତିନି ଦଶନ୍ଧି ପୁରୁଣା ବୋଫର୍ସ ଏବେ ବି ନିୟନ୍ତ୍ରଣ ରେଖା ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ପ୍ରମୁଖ କମାଣ ବା ତୋପ ଭାବେ ବ୍ୟବହାର ହେଉଛି। ସର୍ବୋଚ୍ଚ ଶିଖରରେ ଏସବୁ ତୋପ ଦୌଡିବା ଏବଂ ଏଥିରେ କମାଣରୁ ଗୁଳି ବର୍ଷଣ କରିବା ସକାଶେ ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଏହାକୁ ସଦା ସଜାଗ କରି ରଖିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଦେଶର ସୁରକ୍ଷା ପାଇଁ ସବୁଦିନ ସକାଶେ ଲାଗି ରହିଥିବା ବିପଦକୁ ବିଚାର କରି ଆମେ ଯଦି ବିଶ୍ବର ଚିତ୍ରକୁ ଅନୁଧ୍ୟାନ କରିବା ତେବେ ଉପସାଗରୀୟ ଯୁଦ୍ଧ ସମୟରେ ଆମେରିକା ଏବଂ ବ୍ରିଟେନ୍ ଭଳି ରାଷ୍ଟ୍ର ନେଇଥିବା ପଦକ୍ଷେପରୁ ଶିଖିବାକୁ ପଡ଼ିବ।
ସାମରିକ ପ୍ରସ୍ତୁତିକୁ ସବୁବେଳେ ସଜାଗ କରି ରଖିବା, ପରିଚାଳନା ଦକ୍ଷତା ବଢାଇବା ସକାଶେ ପବ୍ଲିକ-ପ୍ରାଇଭେଟ ବ୍ୟାଲାନସଡ ପାର୍ଟନରସିପ୍ (ହାଇବ୍ରିଡାଇଜେସନ) ଜରିଆରେ ଏକ ଶକ୍ତିଶାଳୀ ସଂସ୍ଥାର ଆବଶ୍ୟକତା ଦେଖି ଆମେରିକା ଏବଂ ବ୍ରିଟେନ ସେ ସମୟରେ GOCO ମଡେଲ ପରିହାର କରିଥିଲେ। ସୁଖର କଥା ଏଲଏସିରେ ଅଚଳାବସ୍ଥା କାରଣରୁ ପାରମ୍ପରିକ ଉପାୟରେ ସେନା ବାହିନୀ ସଦା ପ୍ରସ୍ତୁତ ରହିବା କଥା ଗୁରୁତ୍ବ ଏବେ ଅନୁଭବ ହେଉଛି ଏବଂ ଆଶା କରିବା, ସେନା ବାହିନୀ ABW ଗୁଡ଼ିକର ସିଧାସଳଖ ନିୟନ୍ତ୍ରଣ କରିବା ବଦଳରେ କଣ୍ଟ୍ରାକ୍ଟର ପରିଚାଳିତ MRO ପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏ ନେଇ ବିଚାର କରିବ। ଠିକାଭିତ୍ତିକ କାରବାର କ୍ଷେତ୍ରରେ ଆମର ସାମରିକ ପ୍ରସ୍ତୁତି ଆତ୍ମଘାତୀ ବି ସାବ୍ୟସ୍ତ ହୋଇପାରେ।
ବର୍ଷ ବର୍ଷ ଧରି ଗୋଳାବାରୁଦ କାରଖାନାଗୁଡ଼ିକ ସେନା ବାହିନୀକୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ସଂରଜାମ ଯୋଗାଇ ଦେଇ ଆସୁଛନ୍ତି, ଯାହାକି ଡିଆରଡିଓ ଦ୍ବାରା ନିର୍ମାଣ କରାଯାଇଥାଏ କିମ୍ବା ବିଦେଶୀ ଜ୍ଞାନକୌଶଳ TOT ଜରିଆରେ ପ୍ରସ୍ତୁତ ହୋଇଥାଏ। ଏସବୁର ଗୁଣବତ୍ତା, ଉତ୍ପାଦନ ମୂଲ୍ୟ ଏବଂ ଗୋଳାବାରୁଦ କାରଖାନାଗୁଡ଼ିକର ଉତ୍ପାଦିତ ସୂଚୀକୁ ନେଇ ସେନା ବାହିନୀ ଦ୍ବାରା ଚିନ୍ତା ପ୍ରକଟ କରାଯାଇଥାଏ। ଏ କ୍ଷେତ୍ରରେ ଲିନ୍ ଷ୍ଟାଫିଙ୍ଗ ହେଉ ବା ସମୟୋପଯାଗୀ ଆବଶ୍ୟକତା ପୂରଣ କରିବା ଆଦି ଉଦ୍ଦେଶ୍ୟ ପୂରଣ ପାଇଁ ଏ କ୍ଷେତ୍ରରେ ଆଧୁନିକୀକରଣର ନିହାତି ଆବଶ୍ୟକତା ରହିଛି। ତେବେ ଗୋଳା ବାରୁଦ କାରଖାନାଗୁଡ଼ିକର ରହିଥିବା ଅନେକ ଫାଇଦାକୁ ଅଣଦେଖା କରାଯାଉଛି । ସଂକଟ ବେଳେ ଏସବୁ କାରଖାନା ସେନା ବାହିନୀର ସମସ୍ତ ଆବଶ୍ୟକତା ପୂରଣ କରିଥାଏ, ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧାସ୍ତ୍ର ମୁତୟନ କରିବା ପାଇଁ ସବୁ ସମୟରେ ଏସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରି ସବୁକିଛି ପ୍ରସ୍ତୁତ କରି ରଖିଥାଏ । ଶୀତଳ ଯୁଦ୍ଧ ଶେଷ ହେବା ଯାଏଁ ଅଧିକାଂଶ ବିକଶିତ ରାଷ୍ଟ୍ର ଅନୁରୂପ ବ୍ୟବସ୍ଥା ଗ୍ରହଣ କରି ଆସିଥିଲେ। ଭାରତ ପାଇଁ ଦୁଇ ପଟୁ ଆକ୍ରମଣ ହେବାର ସମ୍ଭାବନା ଥିବା ସମୟରେ କନସଲଟାନସୀ ସଂସ୍ଥା ଏହା ବି ଅନୁଧ୍ୟାନ କରିବା ଉଚିତ୍ ଯେ, ବୀର ଭାରତୀୟ ଯବାନଙ୍କୁ ଦିଆଯାଉଥିବା ଅଲଟ୍ରା ରିଲାଏବଲ ଆସଲଟ ରାଇଫଲ, ଟ୍ୟାଙ୍କ, କମାଣ ଯାହାକି ବରଫାଚ୍ଛନ୍ନ ପାହାଡିଆ ଅଞ୍ଚଳରେ ଶେଷ ରାଉଣ୍ଡ ଯାଏଁ ବନ୍ଦ ନହୋଇ ଅନବରତ କାମ କରି ପାରୁଛି କି ନାହିଁ ।
GOCO ମଡେଲ ପାଇଁ ପିଡବ୍ଲ୍ୟୁସିର ‘ଆମେ ବନାମ ସେମାନେ’ ଭଳି ନୀତି ଗ୍ରହଣ ନକରି କନସଲଟାନସୀ ସଂସ୍ଥା OFBକୁ ସାଙ୍ଗରେ ନେଇ କିପରି ଏହାର ନିଗମକରଣ କରାଯାଇପାରିବ ସେନେଇ ଖୋଲାଖୋଲି ଆଲୋଚନା କରିବା ଜରୁରୀ। ଏହା ବି ମନେ ରଖିବା ଜରୁରୀ ଯେ, ଯେହେତୁ ଲୋକଙ୍କ ସ୍ବାର୍ଥ ସଂପୃକ୍ତ, ତେଣୁ ସାଂଗଠନିକ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଦୀର୍ଘ ସ୍ଥାୟୀ ହେବା ଆବଶ୍ୟକ। ଏଥିସହିତ ସଫଳତା ଏବଂ ଉତ୍ତରଦାୟିତ୍ବ, କର୍ମଚାରୀଙ୍କ ସ୍ବାର୍ଥରକ୍ଷା ନେଇ ଥିବା ଉଦବେଗ, କାମ କରିବାର ପ୍ରଣାଳୀ ଏବଂ ଲାଇଫ ବ୍ୟାଲାନ୍ସ ପ୍ରତି ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ। ଜ୍ଞାନକୌଶଳକୁ ଚ୍ୟାଲେଞ୍ଜ ଭାବେ ନୁହେଁ, ଏହାକୁ ସଂସ୍କୃତି ଭାବେ ଗ୍ରହଣ କରିବାକୁ ହେବ। ଆଉ ଏହା ସହଯୋଗଭିତ୍ତିକ, ଅଭିନବ, ଅଧିକ ସଫଳତା ସଂପନ୍ନ, ବିଶ୍ବସନୀୟତା ଏବଂ ସ୍ବଚ୍ଛତାଭିତ୍ତିକ ହେବା ଉଚିତ୍। ନଚେତ୍ ଏସବୁ ଉଦ୍ୟମ ବ୍ୟର୍ଥ ଯିବ, ଫଳସ୍ବରୂପ ଏହାର କାର୍ଯ୍ୟକାରିତା ଅଧାରେ ଅଟକି ଏହା ଭଣ୍ଡୁର ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଏପରି ଅନେକ ବିଭାଗୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ଯାହାକି କମ୍ପାନିରେ ପରିଣତ ହେବା ପରଠାରୁ କ୍ବାଲିଟି, ଉତ୍ପାଦନ ମୂଲ୍ୟ ଏବଂ ସାମଗ୍ରୀ ନିର୍ମାଣ କରିବାରେ ସମୟ ସୀମା ସବୁଥିରେ ପୂର୍ବବତ୍ ସମାନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଏସବୁ ପିଏସୟୁରେ କୌଣସି ପ୍ରକାର ନୂଆ ଉଦ୍ଭାବନ ଦେଖିବାକୁ ମିଳିନାହିଁ । ପ୍ରତିରକ୍ଷା କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ ଯୋଗୁଁ ହିଁ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜର୍ମାନୀକୁ ଆଲାଏଡ ଫୋର୍ସେସ ସହଜରେ ହରାଇ ପାରିଥିଲେ। ନୂଆ ଉଦ୍ଭାବନ ବଳରେ ହିଁ ଆମର ସେନା ଦୁଇ ପଟୁ ଯୁଦ୍ଧରେ ସଫଳତା ହାସଲ କରିପାରିବ।
ଆତ୍ନନିର୍ଭରତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ବାସ୍ତବରେ ପରିଣତ କରିବାକୁ ହେଲେ DIB ବା ପ୍ରତିରକ୍ଷା ଶିଳ୍ପ ବେସକୁ ମଜବୁତ କରିବାକୁ ପଡ଼ିବ। ଅର୍ଡନାନ୍ସ ଫ୍ୟାକ୍ଟରୀ ଏବଂ DPSU ବା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରତିରକ୍ଷା ଉତ୍ପାଦନର ମୁଖ୍ୟ ଆଧାରଶିଳା। ଆଧୁନିକ ଜ୍ଞାନକୌଶଳ ଓ ସମସ୍ତ ଦକ୍ଷତା ରଖିଥିବା ଏସବୁ ସଂସ୍ଥା କୋଭିଡ ପରବର୍ତ୍ତୀ ସମୟରେ ଅସ୍ତ୍ରଶସ୍ତ୍ର ସିଷ୍ଟମର ବିକାଶ ଦିଗରେ ନେତୃତ୍ବ ନେବା ଆବଶ୍ୟକ। ସେମାନେ କେବଳ ନିଜକୁ କେବଳ ଯନ୍ତ୍ରପାତି ଖଂଜିବା ଏବଂ କିଛି ଛୋଟ ଛୋଟ ସଂରଜାମ ନିର୍ମାଣରେ ନିଜକୁ ସୀମିତ ନରଖି ଅଧିକ ଉଚ୍ଚମାନର ଗବେଷଣା ସାଙ୍ଗକୁ ନୂଆ ନୂଆ ଉଦ୍ଭାବନ କରିବା ଦିଗରେ କାମ କରିବା ଉଚିତ୍। ଏହା ଦ୍ବାରା ଭାରତର ସୁରକ୍ଷା ସହିତ ବେସାମରିକ କ୍ଷେତ୍ରରେ ମଧ୍ୟ ଏହା ମଧ୍ୟ ଅନେକ ପରିବର୍ତ୍ତନ ଆଣିବ। ସବ୍ ସିଷ୍ଟମସ୍ତରୀୟ ନିର୍ମାଣ ପାଇଁ ଘରୋଇ ଉଦ୍ୟୋଗ ସହିତ ସହଯୋଗ କରିବା ସହ ଅର୍ଡନାନ୍ସ ଫ୍ୟାକ୍ଟରୀଗୁଡ଼ିକ କିପରି ନିଜକୁ ହାଇବ୍ରିଡ ସଂସ୍ଥାରେ ପରିଣତ କରି କୋର୍ ସେକ୍ଟରରେ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ହେବ। ଅନେକ ଜ୍ଞାନ କୌଶଳର ସମ୍ମିଶ୍ରଣରେ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାର ବିକାଶ ହୋଇଥାଏ ଯାହାକି ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିଥାଏ। ନିଜକୁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାରେ ଉଦ୍ଭାବନ ଏବଂ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଭାରତକୁ ସେପରି ଜ୍ଞାନକୌଶଳର ବିକାଶ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ପୂରଣ କରିବାକୁ ହେଲେ ଅର୍ଡନାନସ ଫ୍ୟାକ୍ଟ୍ରି ବୋର୍ଡ (OFB)ର ନିଗମୀକରଣରେ ଏହାର ମୂଲ୍ୟ ତୁଳନାରେ ଏହାର ପ୍ରଭାବ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ୍।
ଲେଫଟନାଣ୍ଟ ଜେନେରାଲ(ଡଃ) ଏନ.ବି. ସିଂହ, ପିଭିଏସମ, ଏଭିଏସଏମ, ଭିଏସଏମ, ଏଡିସି ଜଣେ ପୂର୍ବତନ ଡିଜିଇଏମଇ, ଡିଜିଆଇଏସ ଏବଂ ଆର୍ମଡ ଫୋର୍ସେସ ଟ୍ରିବୁନାଲରେ ସଦସ୍ୟ (ଉପରୋକ୍ତ ମତାମତ ଲେଖକଙ୍କର ସମ୍ପୂର୍ଣ୍ଣ ନିଜସ୍ବ ଏବଂ ଏଥି ସହିତ ଇଟିଭି ଭାରତର ମତାମତ କୌଣସି ପ୍ରକାରେ ସମ୍ପୃକ୍ତ ନୁହେଁ )