ନୂଆଦିଲ୍ଲୀ: ଦିଦି-ମୋଦିଙ୍କ ଝଗଡା ଏବେ ପୁଣି ଚର୍ଚ୍ଚାରେ । ପିଏମ୍ ଓ ପଶ୍ଚିମବଙ୍ଗ ସିଏମ୍ଙ୍କ ମଧ୍ୟରେ ଅହିନକୁଳ ଶତ୍ରୁତା ଭଳି ସମ୍ପର୍କ ପଦକୁ ଆସିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି । ପଶ୍ଚିମବଙ୍ଗର 8ଟି ଆସନରେ 68 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା । ଏହି ସମୟରେ ମୋଦିଙ୍କ ଏକ ବୟାନ ଦିଦିଙ୍କ ନିଦ ହଜାଇ ଦେଇଛି । ତୃଣମୂଳ କଂଗ୍ରେସ (ଟିଏମସି)ର 40 ବିଧାୟକ ବିଜେପି ସହ ସମ୍ପର୍କରେ ରହିଛନ୍ତି । ନିର୍ବାଚନ ଫଳାଫଳ ପରେ ମମତାଙ୍କ ହାତ ଛାଡିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୋଦି ।
ସୋମବାର ହୁଗୁଳି ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ମୋଦି ଦିଦିଙ୍କୁ ଟାର୍ଗେଟ କରି ଏହି ଭଳି କଥା କହିଛନ୍ତି । ମେ୍ 23ରେ ସାରା ଭାରତରେ ପଦ୍ମ ଫୁଟିବା ପରେ ଦିଦିଙ୍କ 40 ବିଧାୟକ ବିଜେପି ଅଭିମୁଖେ ଯାତ୍ରା କରିବେ ବୋଲି ସେ କହିଛନ୍ତି । ମୋଦି କଟାକ୍ଷ କରି ମମତାଙ୍କୁ କହିଛନ୍ତି ଯେ, 'ଦିଦି ଆପଣଙ୍କ ପାଦ ତଳୁ ମାଟି ଖସି ଖସି ଯାଉଛି' । ‘ଚୁପ- ଚାପ କମଳ ଛାପ, ଚୁପ-ଚାପ କମଳ ଛାପ.. ବୁଥ ବୁଥ ସେ ଟିଏମସି ସାଫ୍’ ନାରା ରାଜ୍ୟ ସାରା ଗୁଞ୍ଜରଣ ହୋଉଛି ବୋଲି ମୋଦି କହିଛନ୍ତି ।
ପଶ୍ଚିମବଙ୍ଗରେ ମତଦାନ ସମୟରେ ଟିଏମସିର ଗୁଣ୍ଡା ବାହିନୀ ବିଜେପି ସମର୍ଥକକୁ ଆକ୍ରମଣ କରୁଛନ୍ତି । ବୁଥ ରିଗିଂ, ଗୁଣ୍ଡାଗର୍ଦ୍ଦି, ସୁରକ୍ଷାବାହିନୀଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଅପବ୍ୟବହାର କରିବା ସହ ରାଜ୍ୟବାସୀଙ୍କ ବିଶ୍ବାସ ହରାଇ ସାରିଛନ୍ତି ଦିଦି ବୋଲି କହିଛନ୍ତି ମୋଦି ।