ଏସ୍.ମହେନ୍ଦ୍ର ଦେବ, କୁଳପତି, ଇନ୍ଦିରା ଗାନ୍ଧୀ ଉନ୍ନୟନ ଗବେଷଣା ପ୍ରତିଷ୍ଠାନ, ମୁମ୍ବାଇ
ଭାରତ ଆଜି ଏକ ଅସ୍ବାଭାବିକ ସ୍ବାଧୀନତା ଦିବସ ପାଳନ କରୁଛି । ଦେଶରେ କୋରୋନା ଭାଇରସ୍ ଏବେ ମଧ୍ୟ ବ୍ୟାପିବାରେ ଲାଗିଛି । ପୃଥିବୀର ଅବଶିଷ୍ଟ ଭାଗ ଅନୁରୂପ, ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି ଏହି ବିଶ୍ବ ମହାମାରୀ । ଦୁଇଟି କାରଣରୁ ଭାରତର ଅର୍ଥନୈତିକ କ୍ଷେତ୍ର ପ୍ରତି ଆଘାତ ଅତ୍ୟନ୍ତ ଗୁରୁତର ରୂପ ଧାରଣ କରିଛି । ପ୍ରଥମତଃ, ବେକାରି, ସ୍ବଳ୍ପ ରୋଜଗାର, ଗ୍ରାମାଞ୍ଚଳର ଦୁଃସ୍ଥିତି ଏବଂ ବ୍ୟାପକ ଅସମାନତା ଭଳି ବିଦ୍ୟମାନ ସମସ୍ୟା କାରଣରୁ କୋଭିଡ୍-19 ପୂର୍ବବର୍ତ୍ତୀ ସମୟରେ ମଧ୍ୟ ଅର୍ଥନୀତି କ୍ଷେତ୍ରରେ ଶିଥିଳତା ଦେଖାଦେଇଥିଲା ଏବଂ 2017-18ର ଶେଷ ତିନି ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର 8.1% ରହିଥିବା ବେଳେ 2019-20ର ଶେଷ ତିନିମାସରେ ଏହା 3.1%କୁ ଖସି ଆସିଥିଲା ।
ଦ୍ବିତୀୟରେ, ନିର୍ଦ୍ଦିଷ୍ଟ ଭାବରେ ଭାରତର ବିଶାଳ ଅଣ ଆନୁଷ୍ଠାନିକ କ୍ଷେତ୍ର ଖୁବ୍ ସମ୍ବେଦନଶୀଳ । ବିଶ୍ବ ମହାମାରୀ ଯୋଗୁଁ ଶ୍ରମ ବଜାରକୁ ଏକ ଅପ୍ରତ୍ୟାଶିତ ଆଘାତ ଲାଗିଛି । ଲକ୍ଡାଉନ୍ କାରଣରୁ ପ୍ରାୟ ସବୁ ଅର୍ଥନୈତିକ କାର୍ଯ୍ୟକଳାପ ଅବରୁଦ୍ଧ ହୋଇଯାଇଛି । ହେଲେ, ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଅର୍ଥନୈତିକ ବ୍ୟବସ୍ଥାର ନିମ୍ନ ପାହ୍ୟାରେ ଥିବା ପ୍ରବାସୀ ଶ୍ରମିକମାନେ । ସର୍ବବ୍ୟାପୀ ମହାମାରୀର ପ୍ରକୋପ ଯୋଗୁଁ ବହୁସଂଖ୍ୟକ ଅସଂଗଠିତ ଶ୍ରମିକ ଚାକିରି ଏବଂ ରୋଜଗାର ହରାଇଛନ୍ତି । ବେକାରି ହାର ମାର୍ଚ୍ଚ ମାସରେ 8.4% ରହିଥିବା ବେଳେ 2020 ଏପ୍ରିଲ ଓ ମେ ମାସରେ 27%କୁ ବୃଦ୍ଧି ପାଇଛି । 12 କୋଟି 20 ଲକ୍ଷ ଲୋକ କାମ ହରାଇଛନ୍ତି । ସେଥିରୁ, ରୋଜଗାର ହରାଇଥିବା କ୍ଷୁଦ୍ର ବ୍ୟବସାୟୀ ଏବଂ ସାମୟିକ ଶ୍ରମିକ (ଦିନ ମଜୁରିଆ)ଙ୍କ ସଂଖ୍ୟା 9 କୋଟି 10 ଲକ୍ଷ ।
ଦେଶର ଅନେକ ଭାଗରେ ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଅର୍ଥବ୍ୟବସ୍ଥା ଏବଂ ଜୀବିକା ଅର୍ଜନ ପନ୍ଥାରେ କିଛି ମାତ୍ରାରେ ଉନ୍ନତି ପରିଲକ୍ଷିତ ହୋଇଛି ସତ, ହେଲେ ଭାରତର କେତେକ ଭାଗରେ ଏବେ ବି ଲକ୍ଡାଉନ୍ ବଳବତ୍ତର ରହିଛି । ଏହି ବିଶ୍ବ ମହାମାରୀ ଜନିତ ସ୍ଥିତି କେତେ ଦିନ ଯାଏ ରହିବ ଏବଂ ଏହା କେଉଁଭଳି ଭାବରେ ବ୍ୟାପିବ ତାହା ଏବେ ବି ଅନିଶ୍ଚିତତା ମଧ୍ୟରେ ରହିଛି । ଦେଶର ମୋଟ ଜନସସଂଖ୍ୟା ଏବଂ ଶ୍ରମଶକ୍ତିର ପ୍ରାୟ 70 ପ୍ରତିଶତ ଗ୍ରାମାଞ୍ଚଳରେ ରହୁଥିବାରୁ ଗ୍ରାମୀଣ ଅର୍ଥବ୍ୟବସ୍ଥାର ପ୍ରଦର୍ଶନ ଖୁବ୍ ଗୁରୁତ୍ବପୂର୍ଣ୍ଣ । ସଂପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ ବିଭିନ୍ନ ସାମଗ୍ରୀ ଏବଂ ସେବାର ଚାହିଦା ସୃଷ୍ଟି ନିମନ୍ତେ ସେମାନଙ୍କ କ୍ରୟଶକ୍ତିର ବୃଦ୍ଧି ହିଁ ଗୁରୁତ୍ବପୂର୍ଣ୍ଣ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଉପରେ କୋଭିଡ୍-19ର ପ୍ରତିକୂଳ ପ୍ରଭାବ ବେଶ୍ କମ ରହିଛି ।
ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ଗ୍ରାମ୍ୟ ଅର୍ଥନୀତି ସୁଧୁରିବାରେ ଲାଗିଛି ବୋଲି ରିପୋର୍ଟ ମିଳୁଛି । ଏକଥା ସତ ଯେ, ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରର ପ୍ରଦର୍ଶନ ହିଁ ଭାରତୀୟ ଅର୍ଥନୀତି ପାଇଁ ଏକମାତ୍ର ଆଶ୍ବସ୍ତିର ବିଷୟ । 21 ଆର୍ଥିକ ବର୍ଷରେ କୃଷିଭିତ୍ତିକ ମୋଟ ଘରୋଇ ଉତ୍ପାଦ (GDP) 2.5ରୁ 3 ପ୍ରତିଶତ ଯାଏ ବୃଦ୍ଧି ପାଇବାର ଆଶା କରାଯାଉଥିବା ବେଳେ ସାମଗ୍ରିକ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ 5ରୁ 8 ପ୍ରତିଶତ ଯାଏ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ସ୍ବାଭାବିକ ମୌସୁମୀ ବର୍ଷା ଯୋଗୁଁ ଭାରତରେ ଏଥର ଉଭୟ ଖରିଫ ଓ ରବି ଚାଷରୁ ପ୍ରଚୁର ଫସଲ 2 ମିଳିପାରେ ।
ତେବେ, ପ୍ରଚୁର ଫସଲ ଯୋଗୁଁ କୃଷିଜାତ ସାମଗ୍ରୀର ଦର ହ୍ରାସ ହୋଇପାରେ । କୃଷକମାନଙ୍କୁ ସେମାନଙ୍କ ଫସଲର ଅଧିକ ମୂଲ୍ୟ ଦେବାକୁ ହେଲେ ଯୋଗାଣ ଶୃଙ୍ଖଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଆବଶ୍ୟକ । ଅଧିକନ୍ତୁ, କୃଷି କ୍ଷେତ୍ର ହେଉଛି ଗ୍ରାମାଞ୍ଚଳ ସ୍ଥିତିର ଗୋଟିଏ ଅଂଶ ମାତ୍ର । ସମୟକ୍ରମେ, ଅଣ-କୃଷି କ୍ଷେତ୍ର ବି କାୟାବିସ୍ତାର କରିବାରେ ଲାଗିଛି । ଗ୍ରାମାଞ୍ଚଳରେ FMCG ବା ଦ୍ରୁତ ଗତିଶୀଳ ଉପଭୋକ୍ତା ସାମଗ୍ରୀ, ଟ୍ରାକ୍ଟର ଏବଂ ଦୁଇଚକିଆ ଯାନର ଚାହିଦା ବଢ଼ିଛି । ତେବେ, ସଂପୂର୍ଣ୍ଣ ଲକ୍ଡାଉନ୍ ଯୋଗୁଁ ଅବଦମିତ ଅବସ୍ଥାରେ ଥିବା ଚାହିଦା ପ୍ରକଟ ହୋଇଥିବା ଯୋଗୁଁ ଗ୍ରାମାଞ୍ଚଳରେ ଆର୍ଥିକ ସ୍ଥିତିର ଏହି ପୁନରୁଦ୍ଧାରରେ ଅତିଶୟୋକ୍ତି ରହିଛି ।
କମ୍ ହାରରେ ଅର୍ଥଭରଣା, ଗ୍ରାମାଞ୍ଚଳରେ କମ୍ ମଜୁରି ଏବଂ ଆୟ କାରଣରୁ ଏହି ଚାହିଦା ଦୀର୍ଘ ଦିନ ଯାଏ ତିଷ୍ଠି ରହିପାରିବ ନାହିଁ । ବିପରୀତ ପ୍ରବାସନ ଧାରାର ଅଂଶ ରୂପେ ପ୍ରାୟ 4ରୁ 5 କୋଟି ପ୍ରବାସୀ ଗ୍ରାମାଞ୍ଚଳକୁ ଫେରିଯାଇଛନ୍ତି । ଏହି ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଅନ୍ୟାନ୍ୟ ଶ୍ରମିକମାନଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ପଡ଼ିବ । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକୁ ଶ୍ରମିକମାନଙ୍କ ପାଇଁ ସୁରକ୍ଷିତ କ୍ଷେତ୍ର ରୂପେ ଉପଯୋଗ କରାଯାଇପାରେ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ଭାରତରେ, ପ୍ରାଚୀନ ରାଜନୈତିକ ଅର୍ଥଶାସ୍ତ୍ରୀ କୌଟିଲ୍ୟ ତାଙ୍କ ‘ଅର୍ଥଶାସ୍ତ୍ର’ ଲେଖିବା ସମୟରୁ ହିଁ ସର୍ବସାଧାରଣଙ୍କ ସହାୟତା ନିମନ୍ତେ ରହିଥିବା କାମ ଉପରେ ଗୁରୁତ୍ବାରୋପ କରାଯାଇଛି । କୋଭିଡ୍-19 ସମୟରେ ଏହି ଶ୍ରମିକମାନଙ୍କ ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (MGNREGA) ବା ‘ମନରେଗା’ ତ୍ରାଣକର୍ତ୍ତା ରୂପେ ଉଭା ହୋଇପାରେ ।
ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ, କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ ସଂପଦ ସୃଷ୍ଟି; ଅଧିକ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ; ଉପେକ୍ଷିତ ବର୍ଗର ଲୋକଙ୍କୁ ସହାୟତା; ଅଭାବ ଜନିତ ପ୍ରବାସନର ସଂଖ୍ୟା ହ୍ରାସ; ପଞ୍ଚାୟତର ସଂପୃକ୍ତି ପ୍ରଭୃତି ଆନୁସଙ୍ଗିକ ସୁବିଧା ବି ରହିଛି । ମହାରାଷ୍ଟ୍ରରେ ଏହି ଯୋଜନା ଜରିଆରେ ସୃଷ୍ଟ ସଂପଦ ସଂପର୍କରେ ଇନ୍ଦିରା ଗାନ୍ଧି ଉନ୍ନୟନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ଏଥିରେ 87% କାର୍ଯ୍ୟ ରହିଛି ଏବଂ ସଂପାଦିତ ହେଉଛି ଏବଂ ଏଥିରୁ 75%ରୁ ଅଧିକ କାର୍ଯ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅନ୍ତର୍ଗତ କୃଷିକ୍ଷେତ୍ର ସହ ସଂପୃକ୍ତ ।
ଅନୁଧ୍ୟାନରେ ଭାଗ ନେଇ ଉତ୍ତର ପ୍ରଦାନ କରିଥିବା 90% ବ୍ୟକ୍ତି ଏହି କାମକୁ ଅତ୍ୟନ୍ତ ଉପଯୋଗୀ କିମ୍ବା କେତେକାଂଶରେ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ । ଲକ୍ଡାଉନ୍ ଏବଂ ନିଯୁକ୍ତି କ୍ଷୟ ମଧ୍ୟରେ ଗତ କେତେ ମାସ ହେଲା ‘ମନରେଗା’ର ଚାହିଦା ବଢ଼ିବାରେ ଲାଗିଛି । 2020 ଏପ୍ରିଲ୍ରୁ ଅଗଷ୍ଟ ମାସ ପ୍ରଥମ ସପ୍ତାହ ମଧ୍ୟରେ 170 କୋଟି ବ୍ୟକ୍ତିଙ୍କ ପାଇଁ କର୍ମଦିବସ ସୃଷ୍ଟି ହୋଇଥିବା ବେଳେ ତୁଳନାତ୍ମକ ଭାବେ ସମଗ୍ର 2019-20 ବର୍ଷରେ 265 କୋଟି କର୍ମଦିବସ ସୃଷ୍ଟି ହୋଇଥିଲା । ଅନ୍ୟ ଭାଷାରେ କହିଲେ, କାମର ଚାହିଦା ଯୋଗୁଁ ଗତ ବର୍ଷର ସମୁଦାୟ ବ୍ୟକ୍ତିଭିତ୍ତିକ କର୍ମଦିବସର ପ୍ରାୟ 64% ଏ ବର୍ଷ ମାତ୍ର କେଇ ମାସ ଭିତରେ ସୃଷ୍ଟି ହୋଇଛି । 2019-20 ବର୍ଷର ମୋଟ 365 ଦିନରେ ସୃଷ୍ଟି ହୋଇଥିବା କର୍ମଦିବସ ତୁଳନାରେ ଗତ ସାଢ଼େ 3 ମାସ ମଧ୍ୟରେ ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ଯଥାକ୍ରମେ 106% ଏବଂ 96% ଶ୍ରମଦିବସ ସୃଷ୍ଟି ହୋଇପାରିଛି ।
ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଗତିରୁ ବାରମ୍ବାର ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କାମ କରିବାର ସୁଯୋଗ ଅଭାବରୁ ଗ୍ରାମାଞ୍ଚଳର ଲୋକେ ଏହି ଯୋଜନା ପ୍ରତି ଆକୃଷ୍ଟ ହୋଇଛନ୍ତି । ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 4.8 ଲକ୍ଷ ପରିବାର 100 ଦିନର କାର୍ଯ୍ୟ କରିସାରିଲେଣି । ଏ ବର୍ଷ ‘ମନରେଗା’ ଅନ୍ତର୍ଗତ କାମରେ ଏ ପର୍ଯ୍ୟନ୍ତ ମୋଟ ପ୍ରାୟ 48,000 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଯାହାକି 21 ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ କରାଯାଇଥିବା ମୋଟ 1 ଲକ୍ଷ କୋଟି ଟଙ୍କାର ପ୍ରାୟ ଅଧା ।
କିନ୍ତୁ, ‘ମନରେଗା’ କାମ ସଂପର୍କରେ ଗୋଟିଏ ସମସ୍ୟା ରହିଥିବା ଭଳି ମନେହୁଏ । ଶ୍ରମ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ଆଗରେ ବିବରଣୀ ଉପସ୍ଥାପନ କରିବା ସମୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଜଣେ ଅଧିକାରୀ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷ ପାଇଁ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା ବାବଦରେ ଆମ ହାତରେ ଖୁବ୍ କମ ଅର୍ଥ ରହିଛି । ଅଜିମ ପ୍ରେମ୍ଜୀ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନାର ବ୍ୟୟବରାଦ ଅନ୍ତର୍ଗତ ସେମାନଙ୍କୁ ମିଳିଥିବା ପାଣ୍ଠିକୁ ଦେଶର ବହୁସଂଖ୍ୟକ ଗ୍ରାମ ପଞ୍ଚାୟତ ଖର୍ଚ୍ଚ କରିସାରିଲେଣି ।
2020 ଅଗଷ୍ଟ ସୁଦ୍ଧା ବିଭିନ୍ନ ପଞ୍ଚାୟତର ସଂରକ୍ଷିତ ପ୍ରକଳ୍ପ କାମ ଶେଷ ହୋଇଯିବା ସମ୍ଭାବନା ରହିଛି । ଫାଉଣ୍ଡେସନର ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଅତି କମ୍ରେ 21 ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ‘ମନରେଗା’ ଅନ୍ତର୍ଗତ କାମର ଚାହିଦା ରହିବ । ତେବେ, ଖରିଫ ଋୁତରେ ଏହା କିଛି କମ୍ ହୋଇପାରେ । ଏହି ଯୋଜନା ବାବଦ ବ୍ୟୟବରାଦରେ 1 ଲକ୍ଷ କୋଟି ଟଙ୍କା ବୃଦ୍ଧି କରି ଏହାକୁ 2 ଲକ୍ଷ କୋଟି କରିବା ପାଇଁ ଏଥିରେ ସୁପାରିସ କରାଯାଇଛି ଏବଂ ପରିବାର ପିଛା ବାର୍ଷିକ କାର୍ଯ୍ୟ ଦିବସ 200କୁ ବୃଦ୍ଧି କରାଯିବା ଉଚିତ ବୋଲି ପ୍ରସ୍ତାବ ଦିଆଯାଇଛି ।
ଶ୍ରମିକମାନଙ୍କୁ ଜୀବିକା ଏବଂ ରୋଜଗାର ସହାୟତା ପ୍ରଦାନ କରିବା ସକାଶେ ‘ମନରେଗା’ର ନିଯୁକ୍ତି ଦିବସ 150କୁ ବୃଦ୍ଧି କରିବା ପାଇଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏବଂ ବର୍ତ୍ତମାନର ଲେଖକ ସି.ରଙ୍ଗରାଜନଙ୍କ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରେ ପ୍ରସ୍ତାବ ଦିଆଯାଇଛି । ସହରାଞ୍ଚଳରେ ନିଶ୍ଚିତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଏହି ଅନୁଧ୍ୟାନରେ ପ୍ରସ୍ତାବ ଦିଆଯାଇଛି । ‘ମନରେଗା’ ତୁଳନାରେ ଏହାର ଢାଞ୍ଚା ସାମାନ୍ୟ ଅଲଗା ହୋଇପାରେ । ସହରାଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କ କାମର ଚାହିଦା ଥିବାରୁ ସେଠାରେ ଉଭୟ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇପାରିବ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ 150 ଦିନ ଲେଖାଏଁ ନିଯୁକ୍ତି ସୁଯୋଗ ଦିଆଗଲେ ଏହି ଯୋଜନାରେ ଅତିରିକ୍ତ 2.48 ଲକ୍ଷ କୋଟି ଟଙ୍କା (GDPର 1.22%) ଖର୍ଚ୍ଚ ପ୍ରସ୍ତାବ ରହିଛି ।
ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ନିଶ୍ଚିତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅର୍ଥବ୍ୟୟ ନିମନ୍ତେ ସୁଯୋଗ ପ୍ରଦାନ କରିବାକୁ ପଡ଼ିବ । ବହୁ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜରୁରୀକାଳୀନ ଭିତ୍ତିରେ ଅତିରିକ୍ତ ସଂରକ୍ଷିତ ପ୍ରକଳ୍ପ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକ । ପ୍ରତି ଗାଁରେ ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସବୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ଉଚିତ । କେନ୍ଦ୍ର ସରକାରଙ୍କ ଓ ବିଭିନ୍ନ ରାଜ୍ୟର ସରକାରଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ । ବିଭିନ୍ନ ରାଜ୍ୟ ସରକାର ଏହି ଯୋଜନାକୁ ଏକ ଯୋଗାଣ ଭିତ୍ତିକ ଯୋଜନା ରୂପରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଏହା ଆଇନାନୁମୋଦିତ ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ ହେବା ଉଚିତ ।
ନିଜ ନିଜ ଗାଁରେ ପହଞ୍ଚିବା ଲାଗି ପ୍ରବାସୀ ଶ୍ରମିକମାନେ କିଭଳି ପାଦରେ ହଜାର ହଜାର କିଲୋମିଟର ବାଟ ଚାଲିଲେ, ତାହା ସାରା ଦେଶ ଦେଖିଲା । ଛଟେଇ ହୋଇଥିବା ମୋଟରଗାଡ଼ି କାରଖାନା କର୍ମଚାରୀ, କାର୍ ଡ୍ରାଇଭର, ରଙ୍ଗମିସ୍ତ୍ରୀ, କାଠ କାରିଗରଙ୍କ ଭଳି କୁଶଳୀ ଶ୍ରମିକଙ୍କ ସମେତ ଏହି ପ୍ରବାସୀମାନଙ୍କ କ୍ଷେତ୍ରରେ ‘ମନରେଗା’ର ଚାହିଦା ରହିଛି । ସେମାନଙ୍କ କ୍ଷେତ୍ରରେ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଆବଶ୍ୟକ ହେବ । ସାରା ଦେଶ ଏହା ମଧ୍ୟ ଦେଖିଲା ଯେ, ବିଶ୍ବ ମହାମାରୀ ସମୟରେ ବହୁ ପ୍ରବାସୀ ‘ମନରେଗା’ ଶ୍ରମିକ ଭାବେ କାମ କରିବାରେ ଲାଗିଲେ ।
ଚରମ ଦୁଃସ୍ଥିତିରେ କାଳ କାଟୁଥିବା ପ୍ରବାସୀ ଓ ଅନ୍ୟ ଶ୍ରମିକଙ୍କ ପାଇଁ ଆଶାର ଏକ କିରଣ ରୂପରେ ‘ମନରେଗା’ର ଗୁରୁତ୍ବ ଏଥିରୁ ହିଁ ପ୍ରତିପାଦିତ ହୁଏ । ‘ମନରେଗା’କୁ ସଶକ୍ତ କରିବା ସହିତ କୃଷି ଓ ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ଦିଗରେ ଆଉ କେତେକ ପଦକ୍ଷେପ ନେବା ଆବଶ୍ୟକ । ପ୍ରଥମରେ, ଚାଷୀମାନଙ୍କର ଆୟ ବୃଦ୍ଧି କରିବା ଦରକାର । ସର୍ବନିମ୍ନ ସମର୍ଥନ ମୂଲ୍ୟ ବୃଦ୍ଧି ଆବଶ୍ୟକ ହୋଇପାରେ, କିନ୍ତୁ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଅଧିକ ମୂଲ୍ୟ ଦେବା ନିମନ୍ତେ ଯୋଗାଣ ଶୃଙ୍ଖଳର ପୁନରୁଦ୍ଧାର ଆବଶ୍ୟକ । ମଧ୍ୟବର୍ତ୍ତୀ ସମୟରେ ଆତ୍ମନିର୍ଭର ଯୋଜନାରେ ଘୋଷିତ କୃଷିଡାତ ସାମଗ୍ରୀର ବଜାର କ୍ଷେତ୍ରରେ ବିଭିନ୍ନ ସଂସ୍କାରଧର୍ମୀ ପଦକ୍ଷେପ ସହାୟକ ସାବ୍ୟସ୍ତ ହୋଇପାରେ । ହେଲେ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ସ୍ଥାପନ ପ୍ରକ୍ରିୟା ସମେତ ଏହି ସବୁ ସଂସ୍କାର ସଂପର୍କରେ ସରକାର ଆହୁରି ସ୍ପଷ୍ଟ ଧାରଣା ପ୍ରଦାନ କରିବା ଉଚିତ ।
ଦ୍ବିତୀୟରେ, କୃଷିଭିତ୍ତିକ ରପ୍ତାନୀକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ରପ୍ତାନୀ ଏବଂ ଭବିଷ୍ୟତ ବଜାର ସଂପର୍କରେ ଏକ ଦୀର୍ଘସୂତ୍ରୀ ଏବଂ ସଂଗତିପୂର୍ଣ୍ଣ ନୀତି ପ୍ରଣୟନର ଆବଶ୍ୟକତା ରହିଛି । ‘ଆତ୍ମନିର୍ଭର’ ଅର୍ଥ ଆମକୁ ଆତ୍ମବିଶ୍ବାସୀ ହେବାକୁ ପଡ଼ିବ । ଭାରତରେ ଖୁବ୍ ସୀମିତ ପରିମାଣର ଫଳ ଓ ପନିପରିବାର ପ୍ରକ୍ରିୟାକରଣ ହୁଏ । ଖାଦ୍ୟ ପ୍ରକ୍ରିୟାକରଣକୁ ବିସ୍ତୃତ ଭାବରେ ପ୍ରୋତ୍ସାହିତ କରିବା ଉଚିତ ।
ତୃତୀୟରେ, ନିକଟରେ ପ୍ରଧାନ ମନ୍ତ୍ରୀ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ କରିଛନ୍ତି । ହେଲେ ଏହି ସମଗ୍ର ରାଶିକୁ ଚାରି ବର୍ଷରେ ବଣ୍ଟନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ମାତ୍ର 10,000 କୋଟି ଟଙ୍କା ମଞ୍ଜୁର ହୋଇଛି । ନିଯୁକ୍ତି ସଂଖ୍ୟା ଏବଂ ମଜୁରି ବୃଦ୍ଧି ପାଇଁ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶରେ ପୁଞ୍ଜିନିବେଶ ଆବଶ୍ୟକ । କେବଳ ଚାଷବାସ ନୁହେଁ, ତା ସହିତ ପଣ୍ୟାଗାର, ସାଧନ ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ଖୁଚୁରା ବିକ୍ରୟ କ୍ଷେତ୍ରରେ ମଧ୍ୟ ଆମକୁ ପୁଞ୍ଜିନିବେଶ କରିବାକୁ ପଡ଼ିବ । ବିଭିନ୍ନ ମୂଲ୍ୟ ଶୃଙ୍ଖଳର ବିକାଶ ନିମନ୍ତେ କୃଷି ଭିତ୍ତିଭୂମି ପାଣ୍ଠି ଉପଯୋଗୀ ସାବ୍ୟସ୍ତ ହେବ । ଏହା ଫଳରେ ଚାଷୀଙ୍କ ଆୟ ବଢ଼ିବ । ଅନୁରୂପ ଭାବେ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଗ୍ରାମାଞ୍ଚଳରେ ମଜୁରି ବୃଦ୍ଧି ସକାଶେ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ । 2004-05 ଏବଂ 2011-12ରେ ଗ୍ରାମାଞ୍ଚଳ ଶ୍ରମିକଙ୍କ ମଜୁରି ବୃଦ୍ଧି କ୍ଷେତ୍ରରେ ନିର୍ମାଣ କାର୍ଯ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।
ଚତୁର୍ଥରେ, ପ୍ରାୟ 51 ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଗ୍ରାମାଞ୍ଚଳରେ ରହିଛି । ପୂର୍ବରୁ ଅଣ-ବ୍ୟାଙ୍କିଂ ଅର୍ଥଲଗାଣକାରୀ ସଂସ୍ଥା ସଂପର୍କିତ ସମସ୍ୟା ସମେତ ବିଭିନ୍ନ ସମସ୍ୟା ସହିତ ଯୁଝୁଥିବା MSME କ୍ଷେତ୍ର ପାଇଁ କୋଭିଡ୍-19 ଏକ ଶକ୍ତ ଆଘାତ ସଦୃଶ ହୋଇଛି । ଗ୍ରାମାଞ୍ଚଳରେ MSMEର ପୁନରୁଦ୍ଧାର ଆବଶ୍ୟକ । ଚୀନ ଦ୍ବାରା ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନରେ ଏଥିପାଇଁ ସୁଯୋଗ ରହିଛି । MSMEରେ ଗତିଶୀଳତା ନ ଆସିଲେ ଭାରତ ଆତ୍ମନିର୍ଭର ହୋଇପାରିବ ନାହିଁ ।
ଶେଷରେ, ଗ୍ରାମାଞ୍ଚଳ ସ୍ଥିତିର ପୁନରୁଦ୍ଧାର ପାଇଁ କୃଷି ଏବଂ ଅଣ-କୃଷି କ୍ଷେତ୍ରର ସଂଯୋଗୀକରଣ ଏବଂ ଗ୍ରାମାଞ୍ଚଳ-ସହରାଞ୍ଚଳ ସଂଯୋଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସେହିଭଳି, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ସ୍ଥାପିତ ସଂଯୋଗ କାରଣରୁ, କର୍ପୋରେଟ୍ କ୍ଷେତ୍ର ଏବଂ ବ୍ୟାଙ୍କଗୁଡ଼ିକର ବାଲାନ୍ସ ଶିଟ୍ ସମସ୍ୟାର ସମାଧାନ ଲାଗି ପ୍ରଦତ୍ତ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଗ୍ରାମାଞ୍ଚଳ କ୍ଷେତ୍ରରେ ସହାୟତା ପ୍ରଦାନ କରିବ ।
ଶେଷରେ, 2020-21 ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ଉପରେ କୋଭିଡ୍-19 ବିଶ୍ବ ମହାମାରୀର ପ୍ରତିକୂଳ ପ୍ରଭାବ ଅବ୍ୟାହତ ରହିବା ଆଶଙ୍କା କାରଣରୁ ‘ମନରେଗା’ ହିଁ ଅନେକ ସମସ୍ୟାର ସର୍ବୋତ୍ତମ ସମ୍ଭାବ୍ୟ ସମାଧାନ ମନେହୁଏ । ସରକାର ଅଧିକ ବ୍ୟୟବରାଦ, ବାସ୍ତବ କ୍ଷେତ୍ରରେ ସଂରକ୍ଷିତ ପ୍ରକଳ୍ପ ସଂଖ୍ୟା ବୃଦ୍ଧି ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକ୍ରମ ରୂପାୟନକୁ ସୁନିଶ୍ଚିତ କରିବା ଆବଶ୍ୟକ । ପ୍ରବାସୀ ଓ ଅନ୍ୟାନ୍ୟ ଗ୍ରାମୀଣ ଶ୍ରମିକଙ୍କ ନିଯୁକ୍ତି କ୍ଷେତ୍ରରେ ‘ମନରେଗା’ ତ୍ରାଣକର୍ତ୍ତା ସାଜିବ । ଅନୁରୂପ ଭାବରେ, ସାମଗ୍ରୀ ନିର୍ମାଣ ଏବଂ ସେବା କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଦିଗରେ କେବଳ କୃଷି ହିଁ ବରଦାନ ସଦୃଶ ହେବ ବୋଲି ମନେହୁଏ ।