ଜୟପୁର: ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଆଇଡି । ଗିରଫ ବ୍ୟକ୍ତି ଜଣକ ହେଲେ ରାଜସ୍ଥାନ ଜୈସଲମେରର ସତ୍ୟନାରାୟଣ ପାଲିୱାଲ । ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ସହିତ ଯୋଗାଯୋଗରେ ଥିବା ସ୍ବୀକାର କରିଛନ୍ତି ।
ପାକିସ୍ତାନର ଗୁପ୍ତଚର ଅଭିଯୋଗରେ ସିଆଇଡି ଶାଖାର ଏକ ସ୍ବତନ୍ତ୍ର ଦଳ ସତ୍ୟନାରାୟଣ ପାଲିୱାରଙ୍କୁ ଗିରଫ କରିଥିବା ପ୍ରେସ ବିବୃତ୍ତିରେ ପ୍ରକାଶ କରିଛି ପୋଲିସ । ଭାରତୀୟ ସେନାର ବିଭିନ୍ନ ତଥ୍ୟ ସେ ପାକିସ୍ତାନ ପାଖରେ ପହଞ୍ଚାଉଥିବା କହିଛି ପୋଲିସ । ସତ୍ୟନାରାୟଣଙ୍କୁ ସରକାରୀ ଗୁପ୍ତଚର ଆଇନ ଅନୁଯାୟୀ ଜୟପୁରରୁ ଗିରଫ କରାଯାଇଛି ।
ଗରଫ ହେବା ପରେ ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ସହିତ ଯୋଗାଯୋଗରେ ଥିବା ସହ ଭାରତୀୟ ସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନରେ ପହଞ୍ଚାଉଥିବା ସ୍ବୀକାର କରିଛି ବୋଲି କହିଛି ରାଜସ୍ଥାନ ପୋଲିସ । ଏହା ପୂର୍ବରୁ ଗତ ନଭେମ୍ବର ମାସରେ ଜମ୍ମୁ-କାଶ୍ମୀର ପୋଲିସ ସାମ୍ବା ଜିଲ୍ଲାର କୁଲଜିତ କୁମାର ନାମକ ବ୍ୟକ୍ତିକୁ ଗୁପ୍ତଚର ଅଭିଯୋଗରେ ଗିରଫ କରିଥିଲା ।
ସୂଚନାନୁସାରେ, କୁଲଜିତ୍ ସାମ୍ବାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ଫଟୋ ଉଠାଇ 2018ରୁ ପାକିସ୍ତାନକୁ ପଠାଉଥିଲା । ଏଥିପାଇଁ ସେ ବହୁ ପରିମାଣର ଟଙ୍କା ପାଉଥିବାର ଅଭିଯୋଗ ହୋଇଥିଲା। ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ଏଜେନ୍ସିମାନେ ସାମ୍ବା ପୋଲିସର ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ