ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିରେ ଦୁର୍ଘଟଣା । ଏକ ନିର୍ମାଣାଧୀନ କାନ୍ଥ ପଡିବାରୁ 15 ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ସେଥିମଧ୍ୟରୁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାମୁତାବକ ଥାନା ଅନ୍ତର୍ଗତ ଳକ୍ଷ୍ମଣପୁରା ଗାଁରେ ଏକ ଷ୍ଟୋନ କ୍ରସର କାନ୍ଥରେ କିଛି ଶ୍ରମିକ ପ୍ଲାଷ୍ଟର କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ତେବେ ଷ୍ଟୋନ କ୍ରସର ନିର୍ମାଣ କରୁଥିବା ଶ୍ରମିକଙ୍କର କୌଣସି ରେଜିଷ୍ଟ୍ରେସନ ହୋଇନଥିବାବେଳେ ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ଉପକରଣ ଦିଆଯାଇନଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ଦେଖିବାକୁ ମିଳିଛି ।
ଘଟଣାରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତ ଶ୍ରମିକଙ୍କ ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ଆଉ ଶୋକ ସନ୍ତପ ପରିବାରକୁ ଧୈର୍ଯ୍ୟ ରଖିବା ପାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ଗୁରୁତରଙ୍କୁ ଯଥାସମ୍ଭବ ଚିକିତ୍ସା କରିବା ସହ ଆବଶ୍ୟକୀୟ ଅର୍ଥ ଦେବା ପାଇଁ କହିଛନ୍ତି ।