ଗୋରଖପୁର: ଧର୍ମ, ଭକ୍ତି, ଜ୍ଞାନ, ସଦାଚାର ସହ ଜଡିତ ଗାଥା ଆଜି ବି ଲୋକେ ଶୁଣିବାକୁ ପସନ୍ଦ କରନ୍ତି । ଆଉ ଲୋକଙ୍କ ଏହି ପସନ୍ଦକୁ ଦୀର୍ଘ ବର୍ଷ ହେବ ପୂରଣ କରିଆସୁଛି ଗୀତା ପ୍ରେସର 'କଲ୍ୟାଣ ପତ୍ରିକା' । 1926 ରେ ଗୋରଖପୁରରେ ପ୍ରତିଷ୍ଠା ହୋଇଥିଲା ଗୀତାପ୍ରେସ । ଏହି କ୍ରମରେ ଦୀର୍ଘ 92 ବର୍ଷ ଧରି 'କଲ୍ୟାଣ ପତ୍ରିକା' 1102ଟି ପ୍ରକାଶନ କରି ଏକ ରେକର୍ଡ କରିଛି । ଏହି ପତ୍ରିକାର ପରିଚୟ ପାଲଟିଛି କଭର ପେଜରେ ପ୍ରଦର୍ଶିତ ଦେବାଦୋବୀଙ୍କ ଦୁର୍ଲଭ ଫଟୋଚିତ୍ର ।
1926ରେ ଗୀତା ପ୍ରେସର ଆରମ୍ଭ ଜୟଦୟାଲ ଗୋୟନକା ଏବଂ ହନୁମାନ ପ୍ରସାଦ ପୋଦ୍ଦାର କରିଥିଲେ । ଆଉ କଲ୍ୟାଣ ପତ୍ରିକାର ସମ୍ପାଦକ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ରାଧେଶ୍ୟାମ ଖେମକା ଏବଂ ପ୍ରକାଶନ ଟ୍ରଷ୍ଟିର ଦାୟିତ୍ବରେ ଅଛନ୍ତି ଦେବୀଦୟାଲ ଅଗ୍ରୱାଲ । ଯେତେବେଳେ ଏହି ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା ସେତେବେଳେ ଦେଶରେ ଇଂରେଜଙ୍କ ରାଜୁତି ଚାଲୁଥିଲା । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପତ୍ରିକାକୁ ନାନା ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ହେଲେ ଆଜି ପାଖପାଖି 2 ଲକ୍ଷ ପତ୍ରିକା ଦେଶର ବିଭିନ୍ନ ପ୍ରାନ୍ତକୁ ପ୍ରତି ମାସରେ ଡାକ ଜରିଆରେ ପଠାଯାଉଛି ।
1940 ଦଶକରେ ପତ୍ରିକା 'କଲ୍ୟାଣ' ହିନ୍ଦୁ ମହାସଭାର ଚିନ୍ତାଧାରାରେ ଲେଖୁଥିବା ନେଇ ଅଭିଯୋଗ ହୋଇଥିଲା । କାରଣ ସେ ସମୟରେ ଦେଶରେ ସ୍ବାଧୀନତା ସଂଗ୍ରାମର ସ୍ବର ଅଧିକ ମାତ୍ରାରେ ଶୁଣିବାକୁ ମିଳୁଥିଲା । 1946 ରେ ମଦନ ମୋହନ ମାଲବିଆଙ୍କ ବିୟୋଗ ପରେ ପତ୍ରିକା 'ମାଲବିଆ' ନାମରେ ଏକ ପ୍ରକାଶନ କରିଥିଲା । କିନ୍ତୁ ୟୁନାଇଟେଡ୍ ପ୍ରୋଭିନ୍ସ ଏବଂ ବିହାର ସରକାର ଏହି ପ୍ରକାଶନକୁ ଆପତ୍ତିଜନକ କହି ଜବତ କରି ନେଇଥିଲେ । କିଛି ସମୟ ପରେ ପତ୍ରିକା 'ରାମ-ନାମ' ଜପ ବ୍ୟାଙ୍କ ଆରମ୍ଭ କରିଥିଲା । ଆଉ ସେ ସମୟରେ କଲ୍ୟାଣରେ ଲୋକଙ୍କ ଚିଠି ଛପାଯାଉଥିଲା... ଯେଉଁଥିରେ ଲୋକମାନେ ରାମ-ନାମ ଜପିଲେ କଣ ଲାଭ ହୁଏ ବୋଲି ପ୍ରତିକ୍ରୟା ରଖୁଥିଲେ । ଏଥିସହ କଲ୍ୟାଣ ପତ୍ରିକା ରାମାୟଣ ଉପରେ ମଧ୍ୟ ପରୀକ୍ଷା କରିଥିଲା ।
ହିନ୍ଦୁ କୋଡ ବିଲ 4ଟି ଅଂଶରେ ଭାଗ ହେବା ପର୍ଯ୍ୟନ୍ତ ପତ୍ରିକା କଲ୍ୟାଣ ଏକ ଅଭିଯାନ ଚଳାଇଥିଲା । ଏହି ପତ୍ରିକା ଆଜି ବି ଲୋକଙ୍କ ମନରେ ଧର୍ମୀୟ ଭାବନାକୁ ଜାଗ୍ରତ ରଖିଛି, ଯେଉଁକାରଣରୁ ଗୋରଖପୁର ଗୀତାପ୍ରେସର ସଫଳତା ଗାଥା କେବଳ ଦେଶ ନୁହେଁ ବିଦେଶରେ ବି ଚର୍ଚ୍ଚାର ବିଷୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ