ଇସ୍ଲାମାବାଦ: ସ୍ବାମୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ମୃତ୍ୟୁ । ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନରେ ଜଣେ ମହିଳା ସାମ୍ବାଦିକ ତଥା ସମାଜସେବୀଙ୍କୁ ତାଙ୍କ ସ୍ବାମୀ ଗୁଳି କରି ହତ୍ୟା କରିଛନ୍ତି । କେଚ ଜିଲ୍ଲାର ମୁଖ୍ୟାଳୟ ତୁର୍ବାଟରେ ଏହି ଘଟଣା ଘଟିଛି ।
ପୋଲିସର ସୂଚନାନୁସାରେ, ସ୍ୱାମୀ ମେହରାବ ଗିଚକୀ ନାମକ ଜନୈକ ବ୍ୟକ୍ତି ନିଜ ପତ୍ନୀ ଶାହିନା ଶାହିନ୍ଙ୍କୁ ଗୁଳି କରିବା ପରେ କାର୍ରେ ନେଇ ହସ୍ପିଟାଲ୍ରେ ପହଞ୍ଚିଥିଲେ। କିନ୍ତୁ କିଛି ସମୟ ପରେ ସେ ତାଙ୍କ ପତ୍ନୀଙ୍କୁ ଛାଡି ସେଠାରୁ ଫେରାର ହୋଇ ଯାଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ ଶାହିନଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ତୁର୍ବତର ପିଟିସିଏଲ୍ କଲୋନୀସ୍ଥିତ ମେହରବଙ୍କ ଘରେ ପହଞ୍ଚି ଗୁଳିକାଣ୍ଡ ହୋଇଥିବା ଅଭିଯୋଗ କରିଛି । ପୋଲିସ ଘଟଣାସ୍ଥଳରୁ ପିସ୍ତଲ, ଗୁଳି ଜବତ କରିଛି । ତେବେ ମୃତକଙ୍କ ସମ୍ପର୍କୀୟ ଏହାକୁ ନେଇ ବିବାଦ କରିଥିଲେ। ତେବେ ଘରୋଇ ହିଂସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।
ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଶାହିନା ବେଲୁଚି ଭାଷାରେ ପ୍ରକାଶ ପାଉଥିବା ପତ୍ରିକା ‘ଦାଜଗୋହର’ର ସମ୍ପାଦିକା ଥିଲେ। ସାମ୍ବାଦିକମାନଙ୍କ ପାଇଁ ପାକିସ୍ତାନ ଏବେ ସବୁଠାରୁ ଏକ ବିପଦପୂର୍ଣ୍ଣ ଦେଶ ଭାବେ ପରିଗଣିତ ହୋଇଛି।