ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା । ଏଥର ମଧ୍ୟ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି । ଏହାପରେ ଛାତ୍ରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତ ଛାତ୍ରଙ୍କ ନାମ ରାଗିବ ଇକରାମ । ଇକରାମ ନର୍ମଦା ହଷ୍ଟେଲରେ ରୁହନ୍ତି ।
ପୀଡିତଙ୍କ ଭାଇ ଓ ରୁମମେଟଙ୍କ କହିବାନୁସାରେ, ଘଟଣାର ଦିନେ ପୂର୍ବରୁ ଇକରାମ ହଷ୍ଟେଲରେ ଏକ ସ୍ବତନ୍ତ୍ର ରାତ୍ରୀ ଭୋଜନରେ 3 ଛାତ୍ରଙ୍କୁ ଖାଇବାକୁ ଦେଇନଥିଲେ କାରଣ ସେମାନେ ଅଲଗା ହଷ୍ଟେଲର ଥିଲେ । ଏହାର ପରଦିନ ସେହି 3 ଛାତ୍ର ଇକରାମଙ୍କୁ ଆକ୍ରମଣ କରିଛନ୍ତି ।
ଇକରାମଙ୍କ ଭାଇଙ୍କ କହିବାନୁସାରେ, ପୀଡିତ ମୁସଲିମ ବୋଲି ତାଙ୍କୁ ଆକ୍ରମଣ କରାଯାଇଥିଲା ଓ ନଜିବଙ୍କ ଭଳି ତାଙ୍କୁ ମଧ୍ୟ ଗାଏବ କରିଦେବାର ଧମକି ମଧ୍ୟ ଦେଇଛନ୍ତି ଆକ୍ରମଣକାରୀ ।
ଏହାପୂର୍ବରୁ ଇକରାମଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ତେବେ ଇକରାମଙ୍କୁ ହସ୍ପିଟାଲ ନେବା ସମୟରେ କବାଟରେ ଏବିଭିପିର ପୋଷ୍ଟର ମରାଯାଇଥିଲା । ଏହାପରେ ଛାତ୍ରସଂଘର ଅଧ୍ୟକ୍ଷ ଆଇଶି ଘୋଷ ଏବିଭିପିକୁ ଦାୟୀ କରିଛନ୍ତି ତେବେ ଏବିଭିପି କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛି ।