ପାଟନା: ଲୋକସଭା ନିର୍ବାଚନରେ ବିଜେପି ପୁଣି ଶାସନ ଗାଦିକୁ ଫେରିବା ପରେ ବହୁତ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ମନ୍ତ୍ରୀ ଗଠନ ବେଳେ ଅନ୍ୟାନ୍ୟ ଦଳର ନେତାଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି ମୋଦି । ହେଲେ ଏଥିରୁ ବାଦ ପଡିଯାଇଛି ଏନ୍ଡିଏ ସମର୍ଥିତ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) । ଜେଡିୟୁକୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବାରୁ ଦଳ ଏବେ ମୁହଁ ମୋଡ଼ି ନେଇଛି ।
ବିହାର ବାହାରେ ଦଳ ଏନ୍ଡିଏ ସହିତ ମେଣ୍ଟ କରି ଲଢ଼ିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଜେଡିୟୁ କାର୍ଯ୍ୟକାରିଣୀ ବୈଠକରେ ଦଳର ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ନିଷ୍ପତ୍ତି ନେଇଛନ୍ତି । ଉପର ଦେଖାଣିଆ ପାଇଁ ନୀତିଶ ପ୍ରଥମେ କହିଲେ ଆମେ ଏନଡିଏକୁ ସହଯୋଗ କରୁଥିଲୁ ଆଉ ଆଗକୁ ମଧ୍ୟ କରିବୁ । କିନ୍ତୁ ଏହାର ଦିନକ ପରେ ଜେଡିୟୁ କାର୍ଯ୍ୟକାରିଣୀ ବୈଠକ କରି ନୀତିଶ ଘୋଷଣା କରିଛନ୍ତି ଯେ ଆଗାମୀ ବିଧାନସଭାରେ ଦଳ ଏକୁଟିଆ ଲଢିବ ।
ପାଟନାରେ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ହରିୟାଣା ଓ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡ଼ିୟୁ ଏକାକି ଲଢ଼ିବ । କେବଳ ବିହାରରେ ଏନ୍ଡିଏ ସହିତ ଲଢ଼ିବ ବୋଲି ନୀତିଶ କୁମାର ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଦଳର ବହୁ ବରିଷ୍ଠ ନେତା ଯଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର, ନାରାୟଣ ସିଂହ, ପ୍ରବକ୍ତି କେ ସି ତ୍ୟାଗୀ, ରାଜ୍ୟ ସଭାପତି ଓ ଜିଲ୍ଲା ସଭାପତିମାନେ ଯୋଗ ଦେଇଛନ୍ତି ।
ଲୋକସଭା ନିର୍ବାଚନ ପରେ ଦଳର ଏହା ହେଉଛି ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଲୋକସଭା ପରେ ଏବେ ବିଧାନସଭା ଉପରେ ଫୋକସ୍ କରାଯାଇଛି । ଦଳର ସାଙ୍ଗଠନିକ ସ୍ଥିତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ତେବେ ବୈଠକରେ ଜେଡ଼ିୟୁ ଏନ୍ଡିଏର ନିଷ୍ପତ୍ତି ବିଷୟରେ ଅଧିକ ଆଲୋଚନା କରିଛି ।