ନୂଆଦିଲ୍ଲୀ: ପୁରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ବିଶ୍ବର ଅନେକ ଦେଶ ମହାମାରି କୋରୋନା ବିରୋଧରେ ଲଢୁଛନ୍ତି । ତେବେ ଅନ୍ୟ କେତେକ ଦେଶ ତୂଳନାରେ ଭାରତର ସ୍ଥିତି ବହୁତ ଭଲ ଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭିଡିଓ କନ୍ଫ୍ରେନ୍ସିଂ ଜରିଆରେ ଡ.ଜୋଶେଫ ମାର ଥୋମା ମହାନଗର ନିଗମର 90 ତମ ଜୟନ୍ତୀ ସମାରୋହରେ ଭାଷଣ ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତରେ କୋରୋନାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଚଳିତ ବର୍ଷ ପ୍ରାରମ୍ଭରେ କିଛି ଲୋକ ପୂର୍ବାନୁମାନ କରିଥିଲେ । ତେବେ ଲକଡାଉନ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଲୋକମାନଙ୍କ କୋରୋନା ବିରୋଧୀ ଲଢେଇ ଯୋଗୁଁ ଭାରତ ଅନ୍ୟ କେତେକ ଦେଶ ତୁଳନାରେ ଖୁବ ଭଲ ରହିଛି । ଭାରତରେ କୋରୋନା ସଂକ୍ରମଣର ସୁସ୍ଥହାର ବୃଦ୍ଧି ପାଉଛି ବୋଲି ମୋଦି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସମଗ୍ର ବିଶ୍ବ ଏବେ ଏକ ମହାମାରୀ ବିରୋଧରେ ଶକ୍ତିଶାଳୀ ଯୁଦ୍ଧ କରୁଛି । କୋରୋନା କେବଳ ଶାରୀରିକ ଅସୁସ୍ଥତା ନୁହେଁ ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ଅଟେ ବରଂ ଏହା ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପ୍ରତି ଆମର ଧ୍ୟାନ ଛଡ଼ାଇ ନେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଭର୍ଚୁଆଲ୍ ସମାରୋହରେ ଭାରତ ତଥା ବିଦେଶରୁ ମାର୍ ଥୋମା ଚର୍ଚ୍ଚର ଅନେକ ଅନୁଗାମୀ ଉପସ୍ଥିତ ଥିଲେ।