ନୂଆଦିଲ୍ଲୀ: ରାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ପାଇଁ ଦିଶା ନିର୍ଦ୍ଦେଶ ଜାରି କଲା ଆଇସିଏମଆର । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୋରୋନା ମହାମାରୀକୁ ନେଇ ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିସହ ଏହାର ଉତ୍ପାଦକମାନଙ୍କୁ ମଧ୍ୟ ତାଲିକାଭୁକ୍ତ କରିଛି ।
ତେବେ ତାଲିକାଭୁକ୍ତ ଉତ୍ପାଦକମାନଙ୍କ ମଧ୍ୟରେ ଦୁଇଟି ଚାଇନିଜ୍ କମ୍ପାନୀ ମଧ୍ୟ ଅଛନ୍ତି। ଯାହାର ଆମଦାନୀ ଲାଇସେନ୍ସ କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଦ୍ୱାରା ପ୍ରତ୍ୟାହାର କରାଯାଇଥିଲା । କାରଣ ଏହି କିଟ୍ ଗୁଡିକର ଫଳାଫଳ ବହୁ ଭିନ୍ନ ଥିଲା । ଆଇସିଏମ୍ଆର ନିଜ ନିର୍ଦ୍ଦେଶରେ ଏହା ସ୍ପଷ୍ଟ କରିଛି ଯେ, ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ କୋରୋନା ଭାଇରସ ନିରାକରଣ ପାଇଁ ଉଦ୍ଦିଷ୍ଟ ନୁହେଁ।
ତେବେ ଗତ ବୁଧବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ଆଇସିଏମଆର କହିଛି ଯେ ଏହି ପରୀକ୍ଷା ରକ୍ତ / ସିରମ୍ / ପ୍ଲାଜମା ନମୂନାରେ କରାଯାଇପାରିବ। ଯାହାର ଫଳାଫଳ 30 ମିନିଟରେ ମିଳିବ ।
ପ୍ରକାଶ ଥାଉକି, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ପାର କରିଛି । ଏଥିସହ 2549 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି ।