ଆର୍ଓ (ରିଭର୍ସ ଅସ୍ମୋସିସ୍) ପାଣି ବ୍ୟବସାୟ
ଆମ ଦେଶରେ ପିଇବା ପାଣି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏହାକୁ ଏକ ପ୍ରମୁଖ ସମସ୍ୟା ଭାବେ ମଧ୍ୟ ଗ୍ରହଣ କରାଗଲାଣି। ଯଦିଓ ଆମ ଦେଶରେ ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, କ୍ରିଷ୍ଣା ଓ କାବେରୀ ଭଳି ଚିରସ୍ରୋତା ନଦୀମାନେ ପ୍ରବାହିତ ତଥାପି ପାଣି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛୁ ।
ପୁଣି ଆଉ ଏକ ଉଦ୍ବେଗର ବିଷୟ ଯେ, ଆମ ପିଇବା ପାଣି ଉତ୍ସ ସବୁ ଏବେ ଶିଳ୍ପ ନିର୍ଗତ ମଇଳା ଦ୍ଵାରା ପ୍ରଦୂଷିତ । ଉଭୟ ଭୂ-ପୃଷ୍ଣ ଓ ଭୂ-ତଳ ଜଳ ଉତ୍ସରେ ବିଭିନ୍ନ ପ୍ରକାରର କେମିକାଲ୍ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ମିଶିବା ଦ୍ଵାରା ପିଇବା ପାଣି ଅଧିକ ବିଷାକ୍ତ ହୋଇଛି । ଏଣୁ ନଳ ପାଣି ବା ଘରକୁ ଯୋଗାଇ ଦିଆଯାଉଥିବା ପାଇପ୍ ପାଣି ଉପରେ ଆଉ ଲୋକେ ଭରସା ନକରି ବଜାରରୁ ପ୍ୟାକେଜ୍ଡ୍ ପିଇବା ପାଣି କିଣୁଛନ୍ତି । ହେଲେ ଏହି ପାଣି ପିଇ ସେମାନେ ରୋଗାଗ୍ରସ୍ତ ହେବା ଆହୁରି ଦୁଃଖଦାୟକ ।
ତଥାପି ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦେଖି ବିଭିନ୍ନ ସ୍ଥାନରେ ଦିନକୁ ଦିନ ବିପରୀତ ପରାସରଣୀ ( ରିଭର୍ସ ଅସ୍ମୋସିସ୍) ପାଣି ବୋତଲ ବ୍ୟବସାୟ ତଥା ପ୍ୟାକେଜ୍ ପାଣି ବ୍ୟବସାୟ ବଢ଼ିବାରେ ଲାଗିଛି। ଯେହେତୁ ଲୋକେ ସିଧାସଳଖ ନଳ ପାଣି ପିଇବା ପାଇଁ ଅମଙ୍ଗ ହେଉଛନ୍ତି ସେମାନେ ଏହି ପାଣିକୁ ନିରାପଦ ବୋଲି ଭାବି ଆବଶ୍ୟକତା ଅନୁସାରେ ବଜାରରୁ କିଣୁଛନ୍ତି । କିନ୍ତୁ ଅନେକ ସମୟରେ ଏହି ଆର୍ଓ ପାଣି କାରଖାନାଗୁଡ଼ିକ ସ୍ଵାସ୍ଥ୍ୟକର ପରିବେଶରେ ପାଣି ପ୍ୟାକ୍ ପ୍ରସ୍ତୁତ କରୁ ନାହାନ୍ତି । ପୁଣି ଚାହିଦାକୁ ପୂରଣ କରିବାକୁ ଯାଇ ଅପମିଶ୍ରଣ ତଥା ସିଧାସଳଖ ନଳ ପାଣିକୁ ପ୍ୟାକ୍ କରି ବଜାରରେ ବିକ୍ରି କରୁଛନ୍ତି । ଏହିପରି ବେଆଇନ ଭାବେ ଗଢ଼ି ଉଠିଥିବା ମଧୁର ଜଳ ପ୍ଲାଣ୍ଟଗୁଡ଼ିକୁ ଦେଖି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ଉଦ୍ବେଗକୁ ଆଖିରେ ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏପରି ବ୍ୟବସାୟୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଙ୍କ ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ନିର୍ଦେଶରେ କୁହାଯାଇଥିଲା ଯେ, ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହିପରି ଗଢ଼ି ଉଠିଥିବା ଯେଉଁସବୁ ଆର୍ଓ ପାଣି ପ୍ଲାଣ୍ଟ ସେମାନଙ୍କ ଉତ୍ପାଦନର ଅତିକମ୍ରେ ୬୦ ପ୍ରତିଶତ ଉତ୍ପାଦ ଉପଯୁକ୍ତ ମାନକ ଅନୁସାରେ ପ୍ରଦାନ କରି ନପାରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଯାଉ। ଯଦି ଏଥିରେ କର୍ମଚାରୀମାନେ ବିଫଳ ହେଉଛନ୍ତି ତେବେ ସେମାନଙ୍କ ଦରମା କାଟ୍ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ଏହାସହ ଯେଉଁ ଅଞ୍ଚଳର ପାଣିରେ ସମୁଦାୟ ଲବଣ ଅଂଶ ( ଟିଡିଏସ୍) ୫୦୦ ମିଲିଗ୍ରାମ୍ରୁ କମ୍ ରହିଛି ସେ ଅଞ୍ଚଳରେ ଗଢ଼ି ଉଠିଥିବା ଆର୍ଓ ପ୍ଲାଣ୍ଟଗୁଡ଼ିକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଆର୍ଓ ପାଣି ପ୍ୟାକେଜ୍ କରୁଥିବା କମ୍ପାନୀ ମାଲିକମାନେ ସଂଘବଦ୍ଧ ଭାବେ ସୁପ୍ରିମ୍କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସେମାନେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ସ୍ଥଗିତାଦେଶ ଚାହିଁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ସହ ସେମାନେ ଏ ବାବଦରେ ଯୋଗାଯୋଗ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଏମିତି ବି ଅବସ୍ଥା ଆମ ପାଖରେ ପହଞ୍ଚିଛି ଯେଉଁଠାରେ ଆମେ ସମ୍ପୂଣ୍ଣ ଭାବେ ଆର୍ଓ ପାଣିକୁ ନିଷିଦ୍ଧ କରିବା ପାଇଁ ଆଦେଶ ଦେଇ ପାରିବା ନାହିଁ। କାରଣ ହେଉଛି କିଛି ଅଞ୍ଚଳରେ ନଳ ପାଣି ଅତ୍ୟନ୍ତ ସଂକ୍ରମିତ ତଥା ଏଥିରେ ମାରାତ୍ମକ ଫ୍ଲୋରାଇଡ୍ ଓ ଅନ୍ୟ ଧାତବ ଅଂଶ ଥିବା ଲକ୍ଷ୍ୟ କରାଯାଉଛି। ଏଥିଲାଗି ସେ ଅଞ୍ଚଳଗୁଡ଼ିକରେ ଲୋକେ ନଳ ପାଣି ଅପେକ୍ଷା ଆର୍ଓ ପାଣି ଉପରେ ନିର୍ଭରଶୀଳ ହେଉଛନ୍ତି। ଉଦାହରଣ ଭାବେ ଉଭୟ ପୂର୍ବ ଓ ପଶ୍ଚିମ ଗୋଦାବରି ଜିଲ୍ଲାକୁ ସୂଚାଇ ଦିଆଯାଇପାରେ। ଏଠାରେ ଉଭୟ ପିଇବା ପାଣି ଓ କ୍ଷେତକୁ ଯାଉଥିବା ପାଣି ସଂକ୍ରମିତ। ରାସାୟନିକ ସାର, କୀଟନାଶକ, ଏବଂ ବିଭିନ୍ନ ସ୍ଥାନରେ ମତ୍ସ୍ୟ ଚାଷ ପାଇଁ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଦ୍ଵାଏହି ସଂକ୍ରମଣର କାରଣ। ଏଣୁ ଯଦି ସେ ଅଞ୍ଚଳର ପାଣିକୁ ଆରଓ ପଦ୍ଧତିରେ ଛଣା ନଯାଉଛି ତେବେ ତାହା ବ୍ୟବହାର ପାଇଁ ଅନୁପଯୁକ୍ତ।
ନଳ ପାଣି ଉପରେ ଭରସା ନାହିଁ
ବଜାରରେ ମିଳୁଥିବା ପାଣି ବୋତଲ ବା ପାଣି କେନ୍ ଯଦି ସଫାସୁତୁରା ଦେଖାଯାଉଛି ତା’ର ଅର୍ଥ ନୁହେଁ ଯେ ସେ ପାଣି ବିଶୁଦ୍ଧ। ସେ ପାଣିରେ ଦ୍ରବୀଭୂତ ଭାରି ଧାତୁର ମାତ୍ରା କେତେ, ତା’ର ଆଲ୍କାନିଟି ଏବଂ ଏସିଡିଟି ମାତ୍ରା କ’ଣ ତାହା ଜାଣିବା ଲାଗି ଆବଶ୍ୟକ ଅନୁଧ୍ୟାନ ଜରୁରୀ । କେବଳ ପାଣିଥିବା ବୋତଲ ବା କେନ୍କୁ ଦେଖି କେହି ସେ ବିଷୟରେ କହିପାରିବେ ନାହିଁ। ଏଣୁ ଏକ ସାଧାରଣ ଆର୍ଓ ପ୍ଲାଣ୍ଟରେ ପ୍ରସ୍ତୁତି ପାଣି ଓ ଭାରତୀୟ ମାନକ ବ୍ୟୁରୋ ଦ୍ଵାରା ସ୍ଥିରୀକୃତ ମାନକରେ ପ୍ୟାକ୍ ହୋଇଥିବା ପାଣି ବୋତଲ ଭିତରେ କୌଣସି ସାଧାରଣ ଗ୍ରାହକ କେବେ ହେଲେ ଜାଣିବା ସମ୍ଭବ ନୁହେଁ। ଉଭୟ ସ୍ଵାଦ ଓ ଗୁଣବତ୍ତାରେ ଏକାଭଳି ଦେଖାଯାଇଥାନ୍ତି। ଏଣୁ ଏଭଳି ପରିସ୍ଥିତି ସାଧାରଣ ଆର୍ଓ ପ୍ଲାଣ୍ଟଗୁଡ଼ିକୁ ଯଥେଷ୍ଟ ଅର୍ଥ ରୋଜଗାର କରିବାର ସୁଯୋଗ ଦେଇଛି।
ଯଦିଓ ରାଜ୍ୟ ଓ କେନ୍ଦ୍ର ସରକାର ପିଇବା ପାଣି ଯୋଗାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ଆବଶ୍ୟକ ପରିମାଣର ପିଇବା ପାଣି ଯୋଗାଣରେ ଫଳପ୍ରଦ ହେଉ ନଥିବା ହେତୁ ସାଧାରଣ ଲୋକଙ୍କୁ ଖୋଲା ବଜାରରୁ ପିଇବା ପାଣି କିଣିବାକୁ ପଡ଼ୁଛି, ତେଣିକି ତାହାର ଗୁଣବତ୍ତା ଯାହା ହେଉ ନା କାହିଁକି ସେ ସବୁ ଉପରେ ଧ୍ୟାନ ଦିଆଯାଉନାହିଁ । ଏହାଦ୍ଵାରା ଧୀରେ ଧୀରେ ଆର୍ଓ ପାଣି ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଗଲାଣି। ଏହା ପଛରେ ଏକ କାରଣ ବି ରହିଛି। ସେଥିରୁ ପ୍ରମୁଖ କାରଣଟି ହେଉଛି ପିଇବା ପାଣି ଯୋଗାଉଥିବା ବିଭିନ୍ନ ନଦୀ ଓ ପାନୀୟଜଳ ପ୍ରକଳ୍ପର ପରିଚାଳନାଗତ ତ୍ରୁଟି । ତେଲୁଗୁ ରାଜ୍ୟଗୁଡ଼ିକର ବିସ୍ତୃତ ଅଞ୍ଚଳରେ ଏହା ଦେଖିବାକୁ ମିଳେ । ଜଳାଶୟ ଓ ପୋଖରୀ ଗୁଡ଼ିକର ଉପଯୁକ୍ତ ସମୟରେ ରକ୍ଷଣାବେକ୍ଷଣ ନକରାଯିବା, ସେଗୁଡ଼ିକୁ ଆବଶ୍ୟକତା ଅନୁସାରେ ପରିଷ୍କାର କରାନଯିବା ତଥା ନଦୀବନ୍ଧ ଗୁଡ଼ିକ ଦୁର୍ବଳ ହୋଇଯିବାରୁ ପାଣି ସଂରକ୍ଷଣରେ ସମସ୍ୟା ସହ ବାହ୍ୟ ବର୍ଜ୍ୟବସ୍ତୁ ମିଶିବା ଲକ୍ଷ୍ୟ କରାଯାଉଛି। ଏ ବାବଦରେ ସ୍ଥାନୀୟ ମ୍ୟୁନିସିପାଲିଟି ତଥା ସରକାରୀ ଏଜେନ୍ସିଗୁଡ଼ିକ ସଚେତନ ନୁହଁନ୍ତି। ସେମାନଙ୍କ ପାଇଁ ପିଇବା ପାଣି ପ୍ରକଳ୍ପକୁ ଶୋଧ କରିବାର ଅର୍ଥ ହେଉଛି କେବଳ ସେଗୁଡ଼ିରେ କିଛି କ୍ଲୋରିନ୍ ପକାଇବା ଓ ତାହାକୁ ପାଇପ୍ ଯୋଗେ ସଂଯୁକ୍ତ ଘରଗୁଡ଼ିକୁ ପହଞ୍ଚାଇବା।
ଆହୁରି ମଧ୍ୟ ଲୋକଙ୍କୁ ଏ ବାଦରେ ସଚେତନ କରିବା ଆବଶ୍ୟକ ଥିଲେ ମଧ୍ୟ ସେ ଦିଗରେ ଧ୍ୟାନ ଦିଆଯାଇ ନାହିଁ। ୨୦୦୯ରେ ଆନ୍ଧ୍ରପ୍ରଦେଶର ବିଭାଜନୀକରଣ ପୂର୍ବରୁ ବା ୨୦୧୪ ପରେ କେବେ ପାନୀୟ ଜଳର ଗୁଣ ବିଷୟରେ ଜାଣିବା ପାଇଁ ଆବଶ୍ୟକ ଟେଷ୍ଟ କିଟ୍ ବଣ୍ଟନ ଓ ତାହାର ବ୍ୟବହାର ବିଷୟରେ ଲୋକଙ୍କୁ ଜଣାଇ ଦିଆଯାଇ ନାହିଁ। ବିଭିନ୍ନ ସହରର ମାଟି ତଳେ ବିଛାଯାଇଥିବା ପିଇବା ପାଣି ଯୋଗାଣ ପାଇପ୍ସବୁ ୩୦-୪୦ ବର୍ଷ ପୁରୁଣା ହୋଇଯିବାରୁ ଅନେକ ସ୍ଥାନରେ ସେଗୁଡ଼ିକ ଫାଟିଯିବା ତଥା ସେଥିରେ ପ୍ରବାହିତ ପାଣି ସଂକ୍ରମିତ ହେବା ଲକ୍ଷ୍ୟ କରାଯାଉଥିଲା। ଏଗୁଡ଼ିକର ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ଥିଲେ ମଧ୍ୟ କୌଣସି ସରକାର ଏଥିପ୍ରତି ସମ୍ବେଦନଶୀଳ ନୁହନ୍ତି । ଏଣୁ ଏପରି ବିପଜ୍ଜନକ ଅବସ୍ଥା ଜାଣିବା ପରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ବଜାରରୁ ପିଇବା ପାଣି କିଣିବାକୁ ପସନ୍ଦ କରୁଛନ୍ତି । ଜର୍ମାନୀ, ଋଷ ଏବଂ ଆମେରିକା ଭଳି ଦେଶରେ ଆର୍ଓ ପାଣି ବ୍ୟବହାର ବାବଦରେ କୌଣସି କଟକଣା ନାହିଁ କି ଏହି ପାଣି ପିଇବା ଲାଗି ପ୍ରୋତ୍ସାହନ ବି ଦିଆଯାଉ ନାହିଁ। କିନ୍ତୁ ଭାରତରେ ସରକାରୀ ନିୟନ୍ତ୍ରଣ ଅଭାବ ଯୋଗୁ ଆର୍ଓ ପାଣି ବୋତଲ୍ ତଥା କେନ୍ ପ୍ରସ୍ତୁତି ଉଦ୍ୟୋଗ ଛତୁ ଫୁଟିଲା ଭଳି ଖୋଲି ଚାଲିଛି। ସାରା ଦେଶରେ ଏହା ହଜାର ହଜାର କୋଟିର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଛି। ଆମେ ଯଦି କେବଳ ଏହି ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟକୁ ଦେଖିବା ତେବେ ଆର୍ଓ ପ୍ଲାଣ୍ଟ ସଂଖ୍ୟା ଅସଂଖ୍ୟ ବୋଲି କହିପାରିବା। ଏହା ଏକ ଆକଳନ କରାଯାଇଛି ଯେ, ଆନ୍ଧ୍ର ଏବଂ ତେଲେଙ୍ଗାନାରେ ପାଖାପାଖି ୧୮ ହଜାର ଆର୍ଓ ପ୍ଲାଣ୍ଟ ରହିଛି। ଏଥିରୁ ୯୦ ପ୍ରତିଶତ ବେଆଇନ୍ ଭାବେ ସ୍ଥାପିତ। ଅର୍ଥାତ୍ ଅଣୁଜୀବରେ ଭରା ହୋଇଥିବା ପାଣିକୁ ଆମେ ସିଧାସଳଖ ଲୋକଙ୍କ ପେଟକୁ ଯାଉଛି । ଏହା ପୁଣି ଲୋକଙ୍କ ଅଜାଣତରେ!
ଏଠାରେ ଏହା ଜାଣିବା ଜରୁରୀ ଯେ, ଯଦି କୌଣସି ବ୍ୟକ୍ତି ଏକ ଆର୍ଓ ପାଣି ପ୍ୟାକେଜିଂ କାରଖାନାକୁ ବିଆଇଏସ୍ଙ୍କ ନିୟମ ଏବଂ ମାନକ ଅନୁସାରେ ବସାଇବାକୁ ଚାହିଁବ ତେବେ ତାଙ୍କୁ ଅତିକମ୍ରେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହା ହେଲେ ଏକ ୨୦ ଲିଟର ପାଣି କେନ୍ ପ୍ରସ୍ତୁତି ପାଇଁ ତାଙ୍କୁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯେହେତୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରିବା ପାଇଁ ସାଧାରଣ ଲୋକ ଅମଙ୍ଗ ପ୍ରକାଶ କରୁଛନ୍ତି, କମ୍ପାନୀମାନେ ଶସ୍ତା ଉପକରଣ ବସାଇ ପାଣି ପ୍ୟାକେଜିଂ କରୁଛନ୍ତି। ଏହାଦ୍ଵାରା ପାଣିର ଶୋଧିକରଣ ଠିକଣା ରୂପେ ହୋଇପାରୁ ନାହିଁ। କିନ୍ତୁ ଲୋକେ ଏହା ଜାଣିପାରୁ ନାହାଁନ୍ତି। ବୋତଲ ବା ପ୍ୟାକେଜ୍ ପାଣି କିଣିବା ବେଳେ ସେମାନେ ଧରି ନେଉଛନ୍ତି ଯେ ଯାହା ସେମାନେ କିଣୁଛନ୍ତି ସେ ପାଣି ବିଶୁଦ୍ଧ । ହେଲେ ତାହାର ବାସ୍ତବ ଚିତ୍ର ଅଲଗା।
ସେହିପରି ଯଦି ଆପଣ ପାଣି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବିଭିନ୍ନ ସରକାରୀ ବିଭାଗର ଅନୁମୋଦନ ଆଣିବାକୁ ପଡ଼ିଥାଏ । ଏଥିରେ ବିଆଇଏସ୍ ପଞ୍ଜିକରଣଠାରୁ ଆରମ୍ଭ କରି ନିଜସ୍ଵ ଲ୍ୟାବ୍ ସୁବିଧା,ଲ୍ୟାବ୍ରେ ଫାର୍ମାସିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ ଏବଂ ସର୍ବନିମ୍ନ ୪ ଜଣଙ୍କୁ ନିଯୁକ୍ତି କରିବାକୁ ପଡ଼ିଥାଏ। ଏହାସହ ଆହୁରି ଅନେକ ଦିଗ ଏଥିରେ ରହିଛି। ପୁଣି ନିର୍ଦ୍ଧାରିତ ପରୀକ୍ଷାଗାର ଦ୍ଵାରା ପାଣିର ପରୀକ୍ଷଣ ପ୍ରତି ତିନିମାସରେ କରାଯିବା ଆବଶ୍ୟକ। ମାନକ ବ୍ୟୁରୋ ଷ୍ଟାଣ୍ଡାର୍ଡ଼ ଅନୁସାରେ ପାଣିରେ ଆବଶ୍ୟକ ଲବଣ ଓ ଖଣିଜ ମିଳିଲେ ଯାଇ ପାଣିକୁ ପ୍ୟାକ୍ କରାଯିବା ଉଚିତ। ଆଉ ପ୍ୟାକ୍ ହୋଇସାରିଲା ପରେ ସେହି ବୋତଲରେ ପ୍ୟାକେଜିଂ ତାରିଖ ଲେଖାଯିବା ଆବଶ୍ୟକ। ପୁଣି ଯେଉଁ ମସିନ୍ରେ ବିଶୋଧନ ପ୍ରକ୍ରିୟା ଚାଲୁଥାଏ ତାହାକୁ ନିୟମିତ ବ୍ୟବଧାନରେ ସଫାସୁତୁରା କରିବା ଜରୁରୀ। ପ୍ରତି ୧୦ ହଜାର ଲିଟର ପାଣି ଅମଳ ପରେ ଫିଲ୍ଟରକୁ ପରିବର୍ତ୍ତନ କରିବା ଆବଶ୍ୟକ ହୋଇଥାଏ। କିନ୍ତୁ ଏସବୁ ଗୁଣାତ୍ମକ ପଦକ୍ଷେପକୁ ବେଖାତିର କରି ବ୍ୟବସା୍ରୀମାନେ ପ୍ୟାଜେକ୍ଡ୍ ପାଣି ବିକ୍ରି କରୁଛନ୍ତି ଏପରିକି ସରକାରଙ୍କୁ ଜିଏସ୍ଟି ବି ଫାଙ୍କୁଛନ୍ତି।
ବୃଷ୍ଟିଜଳ
ସମ୍ପ୍ରତି ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାର ଏକମାତ୍ର ସମାଧାନର ରାସ୍ତା ହେଉଛି ବୃଷ୍ଟିଜଳ । ଯେଉଁ ପରିମାଣରେ ଭୂତଳ ଜଳସ୍ତର କମୁଛି ଏବଂ ଭୂପୃଷ୍ଠ ଜଳ ଦୂଷିତ ହୋଇ ଚାଲିଛି ତାହାକୁ କେବଳ ବୃଷ୍ଟିଜଳ ଅମଳ ଦ୍ଵାରା ହିଁ ରୋକାଯାଇପାରିବ । ବୃଷ୍ଟିଜଳ ଅମଳ ଦ୍ଵାରା ଭୂତଳ ଜଳସ୍ତର ବୃଦ୍ଧି ସାଙ୍ଗକୁ ପାଣିର ଆଲ୍କାଲାଇନ୍ ଓ ଏସିଡ୍ ସ୍ତର ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଏଣୁ ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର ଯେ, ଯେମିତି ଅଧିକରୁ ଅଧିକ ଲୋକ ନିଜ ନିଜ ଘରେ ବୃଷ୍ଟିଜଳ ପ୍ରକଳ୍ପ ନିର୍ମାଣ କରିବେ। ଏଥିଲାଗି ପ୍ରୋତ୍ସାହନ ତଥା ସବ୍ସିଡି ଆବଶ୍ୟକ। ଏଥିଲାଗି ଅବାଶ୍ୟକ ହେଉଥିବା ଜଳଅମଳ ଖାତ, ରିଚାର୍ଜ ଚାମ୍ବର ପ୍ରଭୃତି ତିଆରି ପାଇଁ ସ୍ଵତନ୍ତ୍ର ରିଆତି ବ୍ୟବସ୍ଥା କରାଯିବା ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ସାଧାରଣ ଲୋକେ କିଣା ପାଣି ପିଇବା ଅପେକ୍ଷା ଘରକୁ ଯୋଗାଇ ଦିଆଯାଉଥିବା ପାଣିକୁ ଫୁଟାଇ ପିଇବା ଆବଶ୍ୟକ। ଅପରପକ୍ଷେ ଏକ୍ସପର୍ଟଙ୍କ କହିବା ଅନୁସାରେ ଯେଉଁ ଆର୍ଓ ପାଣି ପ୍ୟାକେଜ୍ ହୋଇ ବଜାରକୁ ଛଡ଼ା ଯାଉଛି ତାହା ସାଧାରଣ ମାନକ ଭିତରେ ଆସିବା ଦରକାର। ଏଥିଲାଗି ଯେଉଁ ପ୍ଲାଣ୍ଟସବୁ ସ୍ଥାପନ କରାଯାଉଛି ସେଗୁଡ଼ିକର ନିୟନ୍ତ୍ରଣ କରାଯିବା ଉଚିତ। ଠିକଣା ସମୟରେ ଏହି ପ୍ଲାଣ୍ଟଗୁଡ଼ିକରେ ଯନ୍ତ୍ରାଂଶ ଓ ପ୍ରକ୍ରିୟା ଯାଞ୍ଚ କରାଯିବା ଉଚିତ। ଯଦି ସେହି ପ୍ଲାଣ୍ଟଟି ଠିକଣା ଭାବେ ଫାଷ୍ଟ, ମସିନ୍ ଏବଂ ବିଶୋଧନ ନିୟମ ପାଳନ କରୁଛି, ତେବେ ତାହାକୁ ଚାଲୁ ରଖିବା ଲାଗି ଅନୁମତି ଦିଆଯିବା ଆବଶ୍ୟକ। ଏଥିଲାଗି ପଞ୍ଚାୟତ ସ୍ତରରେ ନିରୀକ୍ଷଣ ପାଇଁ ବ୍ୟବସ୍ଥା ଦରକାର। ସେମାନେ ସ୍ଥାନୀୟ ଲୋକଙ୍କ ଭାଗିଦାରୀରେ ଯେମିତି ପାଣି ଉତ୍ସ ଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ସେଥିରେ ଆବଶ୍ୟକ ପିଏଚ୍ ଭାରସାମ୍ୟ ରକ୍ଷା କରାଯିବ ସେଥିଲାଗି ସତେନତା ତଥା ପଦକ୍ଷେପ ଆବଶ୍ୟକ। ପୋଖରି,ନଳକୂପ ସବୁଥିର ରକ୍ଷଣାବେକ୍ଷଣ ଏଥିରେ ଅନ୍ତର୍ଭୁକ୍ତ ହେବା ଉଚିତ। ଜଳାଶୟ ଆଖ ପାଖରେ କେମିକାଲ୍ ତଥା ବର୍ଜ୍ୟବସ୍ତୁ କେଉଁଠି କୁଢ଼ ହେଉଛି ତାହାର ସମସ୍ତ ତଥ୍ୟ ଯେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ବାବଦରେ ବ୍ୟବସ୍ଥା କରାଯିବା ଦରକାର। ଏହିକ୍ରମରେ ପିଇବା ପାଣି ଉତ୍ସଗୁଡ଼ିକ ପାଖରେ ପାରଦ, ଫ୍ଲୋରାଇଡ, ଆର୍ସେନିକ୍ ସାମଗ୍ରୀ ଯେମିତି ଆଦୌ ନରହିବ ସେଥିଲାଗି ବ୍ୟବସ୍ଥା ହେବା ଆବଶ୍ୟକ। ସ୍ଥାନୀୟ ପ୍ରଶାସନ ଦ୍ଵାରା ଲୋକଙ୍କୁ ଯୋଗାଇଦିଆଯାଉଥିବା ପିଇବା ପାଣି ଯେମିତି ବିଆଇଏସ୍ ଷ୍ଟାଣ୍ଡାର୍ଡ ହେବ ସେଥିଲାଗି ବ୍ୟବସ୍ଥା କରାଯିବା ଉଚିତ।
ବିପଜ୍ଜନକ ଭବିଷ୍ୟତ
ନିର୍ଦ୍ଧାରିତ ମାନକ ଅନୁସାରେ ଆମକୁ ଯୋଗାଇ ଦିଆଯାଉଥିବା ପିଇବା ପାଣିରେ ମ୍ୟାଗ୍ନେସିୟମ, କ୍ୟାଲ୍ସିୟମ, ଆଇରନ୍ ଏବଂ ଅନ୍ୟ ନନ୍ ଫେରସ୍ ଖଣିଜ ଦ୍ରବୀଭୂତ ରହିବା ଉଚିତ। ଏସବୁ ଖଣିଜ ଖାଦ୍ୟ ଓ ପାନୀୟ ଦ୍ଵାରା ଆମ ଶରୀରରେ ପହଞ୍ଚିବା ଜରୁରୀ। ହଁ ଏହା ମନେରଖିବା ଉଚିତ ଯେ, ଏସବୁ ଖଣିଜ ନିର୍ଦ୍ଧାରିତ ପରିମାଣଠାରୁ ଅଧକ ଆମ ଶରୀରକୁ ଯିବା କ୍ଷତିକାରକ। ପିଇବା ପାଣି ଗୋଟିଏ ଲିଟରରେ ସମୁଦ୍ରର ଦ୍ରବୀଭୂତ ଲବଣ ( ଟିଡିଏସ୍) ପରିମାଣ ୩୦୦ରୁ ୫୦୦ ମିଲିଗ୍ରାମ ରହିବା ଦରକାର। ସେହିବପରି ଯବକ୍ଷାରଜାନ ପିଏଚ୍ ସ୍ତର ୭% ପିଇବା ପାଣି ପାଇଁ ଯୋଗ୍ୟ। ହଁ ଏହା ସତ୍ୟ ଯେ, ଯେତେବେଳେ ପ୍ରାକୃତିକ ଉପାୟରେ ମିଳୁଥିବା ପାଣିକୁ ଆମେ ଆର୍ଓ ପ୍ରକ୍ରିୟାରେ ବିଶୋଧନ କରୁ ସେତେବେଳେ ସେହି ପାଣି ଅନେକ ଖଣିଜ ପଦାର୍ଥକୁ ହରାଏ ଏବଂ ଅଣୁଜୀବଙ୍କୁ ଧାରଣ କରେ। ଏହା ହେଲେ ଟିଡିଏସ୍ ନିର୍ଦ୍ଧାରିତ ମାନକଠାରୁ କମିଯାଏ। ଏହି କଥାକୁ ଜାତୀୟ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ( ଏନ୍ଆଇଆର୍ଡି) ପ୍ରକାଶ କରିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ପିଇବା ପାଣି ଯୋଗାଣ କେନ୍ଦ୍ରଗୁଡ଼ିକରେ ନମୁନା ପରୀକ୍ଷଣରୁ ଏହା ଜଣାଯାଇଛି ଯେ, ସେଥିରେ କ୍ୟାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରିମାଣ କମ୍ ରହିଛି। ଅପରପକ୍ଷେ ଏହି ପାଣି ଦୀର୍ଘଦିନ ଧରି ସଂରକ୍ଷିତ ରହିବା ଦ୍ଵାରା ତାହା ଅନେକ ପରିମାଣ ସଂକ୍ରମିତ ହୋଇଥାଏ। ଏହା ସହ ଅସ୍ଵାସ୍ଥ୍ୟକର ପରିବେଶ, ଅରିଷ୍କାର କ୍ୟାନ୍ ଏବଂ ପାଣି ସଂରକ୍ଷଣ କରାଯାଉଥିବା ଟ୍ୟାଙ୍କ୍ ମଇଳା ହେବା ଦ୍ଵାରା ସେଥିରେ ଅନେକ ବର୍ଯ୍ୟ ସଂକ୍ରମଣ କରିଥାଏ। ଏଣୁ ବିଶ୍ଵସ୍ଵାସ୍ଥ୍ୟସଂଗଠନ ଦ୍ଵାରା ପ୍ରସ୍ତାବିତ ମାନକ ପିଇବା ପାଣି ପ୍ରସ୍ତୁତି ପ୍ରକ୍ରିୟାକୁ ଅବଲମ୍ବନ କରି ପାରିଲେ ଏହା ଆମ ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଠିକଣା ଭାବେ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ଖଣିଜ ଓ ଲବଣ ପ୍ରଦାନ କରିବାରେ ସକ୍ଷମ ହୋଇପାରିବ ।