ପାଠପଢା ଓ ସ୍କୁଲ କଥା କହିଲେ ସଭିଙ୍କ ମନରେ ଆପେ ଆଙ୍କି ହୋଇଯାଏ ଏକ ନିର୍ଦ୍ଦିଷ୍ଟ ଛବି । ସ୍କୁଲ ୟୁନିଫର୍ମ, ବହି ଖାତା ଭର୍ତ୍ତି ବ୍ୟାଗ, ସାଙ୍ଗ ସାଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାର୍ଥନା, ଟିଫିନ ଛୁଟି, ଖେଳ ସମୟ ଓ ଘରପାଠ କରିବାର ଭୟ ଇତ୍ୟାଦି । ସାଧାରଣ ସ୍କୁଲରେ ତ ଏହିପରି ହିଁ ହୁଏ ପାଠପଢା । ହେଲେ ବିଶ୍ବରେ ଏପରି 5ଟି ସ୍କୁଲ ରହିଛି ଯେଉଁଠାରେ ଏହି ପାରମ୍ପରିକ ଓ ଚିରାଚରିତ ନୀତିଠାରୁ ଢେର ଭିନ୍ନ ନୀତିରେ ହୁଏ ପାଠପଢା । ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ସେ ହେଉଛି ପିଲାଙ୍କର ପଢା ପ୍ରତି ମନୋବଳ ବଜାୟ ରଖିବା ।
ତେବେ ଆସନ୍ତୁ ଜାଣିବା ବିଶ୍ବର କୋଣ ଅନୁକୋଣରୁ ବଛା ବଛା 5ଟି ଏପରି ସ୍କୁଲ, ଯେଉଁଠି ସ୍କୁଲ ଓ ପାଠପଢାର ବ୍ୟାଖ୍ୟା ହିଁ କିଛି ନିଆରା...
1- ଝୋଙ୍ଗଡୋଙ୍ଗ: ଦି କେଭ ସ୍କୁଲ (ଗୁମ୍ଫା ସ୍କୁଲ)
ପ୍ରକୃତିର ଗର୍ଭରେ ରହିଥିଲା ଚୀନର ଏହି ସ୍କୁଲ । ଏକ ପ୍ରାକୃତିକ ଗୁମ୍ଫାରେ ଏହି ସ୍କୁଲ ଥିବା ବେଳେ ଏଥିରେ ଥିଲେ 186 ଛାତ୍ର ଓ 8 ଶିକ୍ଷକ । 1984ରେ ଏହି ଗୁମ୍ଫା ସ୍କୁଲର ସନ୍ଧାନ କରାଯାଇଥିଲା । ଏଠାରେ ଏପରି ଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଥିଲା ଯେଉଁମାନେ ସ୍କୁଲକୁ ଯାଇପାରୁନଥିଲେ । କିନ୍ତୁ 2011 ମସିହାରେ ଚୀନ ସରକାର ଏହି ସ୍କୁଲକୁ ସରକାରୀ ଭାବେ ବନ୍ଦ କରିଥିଲେ ।
2- କାର୍ପେ ଡିୟମ ସ୍କୁଲ:
ଆମେରିକାର ଓହିଓରେ ରହିଛି ଏହି ଅଫିସ ଢାଞ୍ଚାର ସ୍କୁଲ । ଏହା ଦେଖିବାକୁ ଏକଦମ ଏକ ଅଫିସ ପରି । ଏଠାରେ ଶ୍ରେଣୀ ଗୃହ ବଦଳରେ ରହିଛି ପ୍ରାୟ 300 କ୍ୟୁବିକାଲ । ଯେଉଁଥିରେ ଛାତ୍ରଛାତ୍ରୀମାନେ ଅଫିସ ଢାଞ୍ଚାରେ ପଢନ୍ତି ପାଠ । ଏହି ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପିଲାମାନେ ନିଜସ୍ବ ଉଦ୍ୟମରେ ୟେଉଁ ଜ୍ଞାନ ଆହରଣ କରନ୍ତି, ତାହା ସେମାନଙ୍କୁ ସାରା ଜୀବନ କାମରେ ଆସିଥାଏ । ଏଥିସହ ପିଲାମାନେ ନିଜ ଇଚ୍ଛାରେ ଓ ନିଜ ଚେଷ୍ଟାରେ କିଛି ଶିଖିବାକୁ ଚାହିଁଲେ ସେମାନେ ତାହା ଅଧିକ ସରଳ ଓ ଭଲ ଭାବେ ଶିଖିପାରନ୍ତି । ତେଣୁ ଏହି ସ୍କୁଲକୁ ଅଫିସ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ପିଲାମାନେ ନିଜ ନିଜ କ୍ୟୁବିକାଲରେ ପଢନ୍ତି । ଏଥିସହ ଆବଶ୍ୟକସ୍ଥଳେ ଇନଷ୍ଟ୍ରକ୍ଟରମାନେ ସେମାନଙ୍କ ସାହାଯ୍ୟ କରନ୍ତି ।
3- ସଡବରୀ ସ୍କୁଲ:
ସ୍କୁଲରେ ମୁଖ୍ୟତଃ କ’ଣ ବିଷୟ ପଢା ହେବ, କେବେ ପଢା ହେବ ଓ କିପରି ପଢା ହେବ ତାହା ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧାରଣ କରିଥାଆନ୍ତି । ଏହି ଅନୁଯାୟୀ ସାପ୍ତାହିକ କିମ୍ବା ମାସିକ ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ହେଲେ ଆମେରିକାରେ ଥିବା ସଡବରୀ ସ୍କୁଲରେ ଏହି ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ ପିଲାଙ୍କ ପାଇ ପଢା ସୂଚୀ ସ୍କୁଲ କର୍ତ୍ତୃପକ୍ଷ ନୁହେଁ, ବରଂ ଛାତ୍ରଛାତ୍ରୀମାନେ ନିଜେ ନିର୍ଦ୍ଧାରଣ କରନ୍ତି ।
କେବଳ ସେତିକି ନୁହେଁ, ସେମାନଙ୍କୁ କେଉଁ ଦିନ କେଉଁ ବିଷୟରେ ପଢିବାର ଅଛି ଓ କିପରି ପଢିବାର ଅଛି ତାହା ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ନିର୍ଦ୍ଧାରଣ କରନ୍ତି । ଏଥିସହ ନିଜକୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ନିଜେ ହିଁ ଆସାଇନ କରନ୍ତି ଏହି ଛାତ୍ରଛାତ୍ରୀ ।
4- ମକୋକୋ ଫ୍ଲୋଟିଂ ସ୍କୁଲ:
ବିଶ୍ବର ଏପରି ଅନେକ ସ୍ଥାନ ରହିଛି ଯେଉଁଠି ସ୍ଥାନ ଓ ସୁବିଧାର ଅଭାବ ଯୋଗୁଁ ପିଲାଏ ପାଠ ପଢାରୁ ବଞ୍ଚିତ ହୋଇଥାଆନ୍ତି । ଅନେକ ସ୍ଥାନରେ ପିଲାଙ୍କୁ ଦୂର ଦୂରାନ୍ତ ଯାତ୍ରା କରି ସ୍କୁଲ ଯିବାକୁ ପଡୁଥିବା ବେଳେ ନାଇଜେରିଆରେ ଏହି ସମସ୍ୟାର ଖୋଜାଯାଇଛି ଏକ ନିଆରା ସମାଧାନ । ଏଠାରେ ଆଉ ସ୍କୁଲ ଯିବା ପାଇଁ ପିଲାଙ୍କୁ ଦୂର ଦୂରାନ୍ତ ଯାତ୍ରା କରିବାକୁ ପଡୁନି । କିମ୍ବା ଆଖପାଖରେ ସ୍କୁଲର ସମସ୍ୟା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଜର୍ଜରିତ କରୁନି ।
ଏଥିପାଇଁ ଏଠାରେ ରହିଛି ଏକ ଭାସମାନ ବା ଫ୍ଲୋଟିଂ ସ୍କୁଲ । ଯାହା ଦେଖିବାକୁ ଯେତିକି ସୁନ୍ଦର ଏହାର ନିର୍ମାଣ ଶୈଳୀ ମଧ୍ୟ ସେତିକି ମଜଭୂତ । ବିଭିନ୍ନ ପ୍ରାକୃତିକ ଦୈବିପାକର ମୁକାବିଲା କରିବାରେ ଏହି ସ୍କୁଲର ଢାଞ୍ଚା ସକ୍ଷମ । କେବଳ ସେତିକି ନୁହେଁ ଏହି ସ୍କୁଲକୁ ଏପରି ଢଙ୍ଗରେ ପ୍ରସ୍ତୁତ କରାଯାଇଛି କି ଏହା ଜଳସ୍ତର ବଢିବା ଦ୍ବାରା କିମ୍ବା କମିବା ଦ୍ବାରା ପ୍ରଭାବିତ ହୋଇନଥାଏ ।
ଏହି ସ୍କୁଲରେ 100 ଜଣ ଛାତ୍ରଛାତ୍ରୀ ପଢନ୍ତି । ଆଶ୍ଚର୍ଯ୍ୟର କଥା କି ଏହି ସ୍କୁଲ ଉପରେ ଖରାପ ପାଗର ମଧ୍ୟ ରହିନଥାଏ କୌଣସି ପ୍ରଭାବ ।
5- ଦି ସ୍କୁଲ ଅଫ ସିଲିକନ ଭ୍ୟାଲି:
ପାରମ୍ପରିକ ପଢାଠାରୁ ଢେର ଭିନ୍ନ ଶୈଳୀରେ ଏହି ସ୍କୁଲରେ ହୁଏ ପାଛ ପଢା । ଏଠାରେ ସାଧା ଖାତା କଲମ କି ପେନସିଲ ବ୍ୟତୀତ ବ୍ୟବହାରୀ ହୁଏ ହାଇ ଟେକ୍ନୋଲୋଜି । ଏଥିପାଇଁ ଆଇପ୍ୟାଡ, ଥ୍ରି-ଡି ମଡେଲିଂ ଓ ସଙ୍ଗୀତର ବ୍ୟବହାର କରାଯାଇଥାଏ । ଯାହା ପିଲାମାନଙ୍କୁ ଶିଖିବା ଶକ୍ତିକୁ ଅଧିକ ଶାଣିତ କରଥାଏ ବୋଲି ପ୍ରକାଶ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।