ନୂଆଦିଲ୍ଲୀ: ଖୁବଶୀଘ୍ର ଅଧ ଲିଟର ଦୁଗ୍ଧ ପ୍ୟାକେଟ କିଣିବା ଲୋକଙ୍କୁ ପଡିବ ମହଙ୍ଗା । କେନ୍ଦ୍ର ସରକାର ସମସ୍ତ କ୍ଷୀର ଉତ୍ପାଦନ କମ୍ପାନୀଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧ ଲିଟର କିଣିଲେ ଅଧିକ ଟଙ୍କା ଦେବାକୁ ପଡିବ କିନ୍ତୁ ଏକ ଲିଟର ଦୁଗ୍ଧ ପ୍ୟାକେଟ କିଣିଲେ ବର୍ତ୍ତମାନ ଯାହା ଅଛି ସେହି ମୂଲ୍ୟ ଦେବାକୁ ପଡିବ । ସରକାର ଗୋଟିଏ ଥର ପାଇଁ ବ୍ୟବହାରରେ ଲାଗୁଥିବା ପ୍ଲାଷ୍ଟିକର ବ୍ୟବହାରକୁ କମ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଇକୋନୋମିକ ଟାଇମସର ରିପୋର୍ଟ ମୁତାବିକ ପଶୁପାଳନ ସଚିବ ଅତୁଲ ଚତୁର୍ବେଦୀ ଅମୁଲ ଓ ଅନ୍ୟ କମ୍ପୀନୀ ମାନଙ୍କୁ ଅଧା ଲିଟର ଦୁଗ୍ଧ ପ୍ୟାକେଟର ଉତ୍ପାଦନ ଅକ୍ଟୋବର 2 ତାରିଖରୁ କମ କରିବାକୁ କହିଛନ୍ତି । ଏହାସହ ଏକ ଲିଟର ପ୍ୟାକେଟର ବ୍ୟବହାର ଦ୍ବିତୀୟ ଥର ବ୍ୟବହାର କରିବାକୁ କହିଛନ୍ତି । ଖାଲି ସେତିକି ନୁହେଁ ଏହି ଦୁଗ୍ଧର ଖାଲି ପ୍ୟାକେଟ ଯେଉଁ ଗ୍ରାହକ ଫେରାଇବ ତାକୁ କିଛି ଟଙ୍କା ଛାଡ କରିବାକୁ ମଧ୍ୟ କହିଛନ୍ତି । ରାସ୍ତା ନିର୍ମାଣ କାମରେ ଏହି ପ୍ୟାକେଟକୁ ବ୍ୟବହାର କରିବାକୁ କୁହାଯାଇଛି ।
ଦୁଗ୍ଧ ପରେ ଏହି ଯାତୀୟ ସମସ୍ତ ଖାଦ୍ୟ ପଦାର୍ଥ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପଦାର୍ଥରେ ତିଆରି କରାଯାଉଛି । ଏହାର ବ୍ୟବହାର କମ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ଆଦେଶ ଦିଆଯାଇଛି । ସରକାରଙ୍କ କହିବାନୂଯାୟୀ, ଏହାର ମୂଲ୍ୟ ଅଧିକ ହେଲେ ଲୋକେ ଏହାର ବ୍ୟବହାର କମ କରିବେ । ପର୍ଯ୍ୟାବରଣ ମନ୍ତ୍ରାଳୟ ଅନୁସାରେ ଦେଶରେ ପ୍ରତ୍ୟେକ ଦିନ 20 ହଜାର ଟନ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ସେଥିମଧ୍ୟରୁ କେବଳ 14 ହଜାର ଟନ ଆବର୍ଜନା ଏକତ୍ର ହୋଇପାରୁଛି । ଯାହାଦ୍ବାରା ଏତେ ସଂଖ୍ୟାର ଆବର୍ଜନା ଦ୍ବାରା ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି । ଯାହାକୁ ନେଇ ଅଗଷ୍ଟ 15 ଦିନ ଲାଲକିଲ୍ଲାରେ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପଦାର୍ଥର ବ୍ୟବହାରକୁ କମ କରିବା ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ।