ନୂଆଦିଲ୍ଲୀ: ଫେବୃଆରୀ 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଭାରତ ଆସିବେ । ତେବେ ଏହି ଗସ୍ତରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଦିଲ୍ଲୀର ସରକାରୀ ସ୍କୁଲ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେଠାରେ ଚାଲୁଥିବା ହାପିନେସ କରିକୁଲମ କ୍ଲାସ ଦେଖିବାକୁ ସେ ଇଚ୍ଛୁକ ଥିବା ଜଣାପଡିଛି ।
2018 ମସିହାରେ କେଜ୍ରିୱାଲ ସରକାର ଦିଲ୍ଲୀର ସରକାରୀ ସ୍କୁଲରେ ଏହି ହାପିନେସ କରିକୁଲମ କ୍ଲାସର ଶୁଭାରମ୍ଭ କରିଥିଲେ । ସ୍କୁଲ ପିଲାଙ୍କୁ ଚିନ୍ତାମୁକ୍ତ ହୋଇ ପାଠପଢା ପ୍ରତି ଧ୍ୟାନ ଆକର୍ଷିତ କରାଇବା ଉଦ୍ଦେଶ୍ୟରେ ଏହି କ୍ଲାସର ସୁବିଧା ଆରମ୍ଭ କରିଥିଲେ କେଜ୍ରିୱାଲ ସରକାର । ଏହି କ୍ଲାସ ନର୍ସରିଠାରୁ ଅଷ୍ଟମ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ତେବେ କେଜ୍ରିୱାଲଙ୍କ ଏହି ପଦକ୍ଷେପକୁ ଦେଶ ବିଦେଶରୁ ପ୍ରଶଂସା କରାଯାଇଥିଲା । ଆଉ ଏବେ ମେଲାନିଆ ଟ୍ରମ୍ପ ଏଥିପ୍ରତି ଆକର୍ଷିତ ହୋଇ ଏହି କ୍ଲାସକୁ ଦେଖିବାର ଇଚ୍ଛା ପ୍ରକାଶ କରିଛନ୍ତି ।
ଫେବୃଆରୀ 25 ତାରିଖରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏହି ସମୟରେ ମେଲାନିଆ ଦିଲ୍ଲୀର ଏକ ସରକାରୀ ସ୍କୁଲ ପରିଦର୍ଶନ କରି ହାପିନେସ କରିକୁଲମ କ୍ଲାସରେ 1ଘଣ୍ଟା ଅତିବାହିତ କରିବେ ବୋଲି ଜଣା ପଡିଛି । ସେ ମଧ୍ୟାହ୍ନ 12ଟା ସମୟରେ ସ୍କୁଲ ପରିଦର୍ଶନରେ ଯାଇପାରନ୍ତି । ତେବେ ସେ କେଉଁ ସ୍କୁଲକୁ ଯିବେ ତାହା ଏବେସୁଦ୍ଧା ଜଣା ପଡିନାହିଁ ।
ମେଲାନିଆଙ୍କ ସ୍କୁଲ ଗସ୍ତ ଦିଲ୍ଲୀ ଏବଂ ଦେଶ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ହେବ । ବିଭିନ୍ନ ମହଲରେ ଏହାକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖାଯିବ । କାରଣ ଗୋଟିଏ ପଟେ ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅହମଦାବାଦକୁ ଖୁବ୍ ସୁନ୍ଦର ଭାବରେ ସଜା ଯାଉଛି । ଟ୍ରମ୍ପଙ୍କ ଜରିଆରେ ଗୁଜୁରାଟ ମଡେଲକୁ ବିଶ୍ବ ସାମ୍ନାରେ ରଖିବାକୁ ଚାହୁଛନ୍ତି ମୋଦି ସରକାର । ଅନ୍ୟପକ୍ଷରେ ମାଲେନିଆଙ୍କ ଏହି ନିଷ୍ପତ୍ତି ଦିଲ୍ଲୀ ମଡେଲ ସାମ୍ନାରେ ଗୁଜୁରାଟ ମଡେଲକୁ ଫିକା କରିଦେବ ବୋଲି ଚର୍ଚ୍ଚା ହେଉଛି ।