ବେଙ୍ଗାଲୁରୁ: ପ୍ଲାଷ୍ଟିକ ବିପଦରୁ ରକ୍ଷା ପାଇବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି ବିଜୟପୁରା ପ୍ରଶାସନ । ଏଠି ପ୍ଲାଷ୍ଟିକ ବୋତଲ ବଦଳରେ ମିଳୁଛି କପେ ଚା । ସେ ପୁଣି ମାଗଣାରେ । ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ଲୋକେ ଏତେତେଣେ ଫିଙ୍ଗି ପରିବେଶ ପ୍ରଦୂଷିତ କରୁଥିଲେ । ଏଥିରୁ ବର୍ତ୍ତିବା ପାଇଁ ଏଭଳି ନିଆରା ଉପାୟ ବିଚାର କରିଥିଲା ପ୍ରଶାସନ ।
ପ୍ଲାଷ୍ଟିକ ବୋତଲ ଦିଅନ୍ତୁ, ଚା କପେ ପିଅନ୍ତୁ । ପ୍ଲାଷ୍ଟିକ ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛି ବିଜୟପୁରାର ଇନ୍ଦିରା କ୍ୟାଣ୍ଟିନ । ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଏଭଳି କିଛି ଭିନ୍ନ ବିଚାର କରିଥିଲା ନଗର ନିଗମ ।
ଏହି ପ୍ଲାଷ୍ଟିକ ବୋତଲ ଗୁଡିକୁ କ୍ୟାଣ୍ଟିନ ପକ୍ଷରୁ ଜେକେ ସିମେଣ୍ଟ କାରଖାନାକୁ ପଠାଯାଏ । ସିମେଣ୍ଟର ଗୁଣବତ୍ତା ବଢାଇବା ପାଇଁ ପ୍ଲାଷ୍ଟିକ ବୋତଲ ଗୁଡିକୁ ସିମେଣ୍ଟରେ ମିଶାଯାଏ । ଅନ୍ୟପଟେ ନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ବଜାରରେ ରେଡ୍ କରାଯାଇ 14 ଟନ ପ୍ଲାଷ୍ଟିକ ଜବତ କରାଯାଇଛି । ସେପଟେ ପ୍ରଶାସନ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ କରିବାକୁ ସେମାନେ ଦାବି ଉଠାଇଛନ୍ତି ।
ପ୍ରଶାସନର ଏଭଳି ପ୍ରୟାସ ଯୋଗୁଁ ପ୍ରତ୍ୟେକ ଦିନ ସହରର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଜମାହୁଏ 400 କେଜି ପ୍ଲାଷ୍ଟିକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ