ମୁମ୍ବାଇ: ସାରାବିଶ୍ବରେ ବର୍ତ୍ତମାନ କୋରୋନା ଆତଙ୍କ । ଦୀର୍ଘ 3 ମାସ ଧରି ଦେଶ ଲକଡାଉନ ସ୍ଥିତିରେ । ଆଉ ଏହି ପ୍ରତିବନ୍ଧକ ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ କଲେଜକୁ ଡାକି ପରୀକ୍ଷା କରାଇଥିଲା ପୁଣେର ତାଲେଗାଓଁ ଡାଭାଦେସ୍ଥିତ ଏକ କଲେଜ । ଏନେଇ ଉକ୍ତ କଲେଜ ବିରୋଧରେ ଏକ FIR ପଞ୍ଜିକୃତ ହୋଇଛି। ସ୍ନେହାବର୍ଦ୍ଧନ ଶିକ୍ଷା ଟ୍ରଷ୍ଟ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଏକାଦଶ ବାଣିଜ୍ୟରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଏହି ପରୀକ୍ଷା କରାଯାଇଥିଲା ।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି 27 ଜଣ ଛାତ୍ରଙ୍କୁ ପରୀକ୍ଷା ପାଇଁ ହାଜର ହୋଇଥିବା ଦେଖିବାକୁ ପାଇଥିଲା । ଫଳରେ ଶିକ୍ଷା ଟ୍ରଷ୍ଟର 14 ଜଣ ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ । ଘଟଣାସ୍ଥଳରେ ଉପସ୍ଥିତ ଶିକ୍ଷକମାନଙ୍କ ସହିତ ଶିକ୍ଷା ବୋର୍ଡର ସମସ୍ତ ସଦସ୍ୟଙ୍କୁ ପିମ୍ପ୍ରି-ଚିଞ୍ଚୱାଡ ପୋଲିସ ଗିରଫ କରିଛି ।
ସରକାର ଏଭଳି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମେସେଜ ମାଧ୍ୟମରେ ପରୀକ୍ଷା ପାଇଁ ଡକାଯାଇଥିଲା ଏବଂ ଏହି ଅନୁଷ୍ଠାନ ଆଇନ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ତହସିଲଦାର ମଧୁସୂଦନ ବର୍ଗ କହିଛନ୍ତି।
@ANI