ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସାମ୍ବାଦିକ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଏମ୍ସ ଟ୍ରମା ସେଣ୍ଟର (ଜେପିଏନଟିସି) ର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ତତ୍କାଳ ପ୍ରଭାବରେ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଗତ ଜୁଲାଇ 6ରେ ସିସୋଦିଆ ନାମକ ଜଣେ ସାମ୍ବାଦିକ ଏମ୍ସରେ ଚିକିତ୍ସା ସମୟରେ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସିସୋଦିଆ କୋରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏମ୍ସ ଓ JPNATC ପ୍ରଶାସନର ଜରୁରୀ ପରିବର୍ତ୍ତନ ଉପରେ ପରାମର୍ଶ ଦେବ ।
ଏହି ପରିବର୍ତ୍ତନ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ରିପୋର୍ଟ ମାଗିଛନ୍ତି । ସୁପାରିଶ ସହିତ କମିଟିର ରିପୋର୍ଟ 27 ଜୁଲାଇ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯିବ। ଏହାପୂର୍ବରୁ ଶୁକ୍ରବାର ଦିନ ସାମ୍ବାଦିକ ତରୁଣ ସିସୋଦିଆଙ୍କ ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ ପାଇଁ 4 ଜଣ ସଦସ୍ୟଙ୍କ ଦ୍ବାରା ଗଠିତ କମିଟି ଏକ ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ସାମ୍ବାଦିକଙ୍କ ଆତ୍ମହତ୍ୟାରେ ପ୍ରଶାସନିକ ଭୁଲ ନଥିବା ଦର୍ଶାଇ ଯାଇଛି । କମିଟି ଏହା ମଧ୍ୟ ଜାଣିବାକୁ ପାଇଛି ଯେ, କୋଭିଡ -19 ର ଚିକିତ୍ସା ସମୟରେ ପାଳନ କରାଯିବାକୁ ଥିବା ପ୍ରୋଟୋକଲରେ କୌଣସି ଅନିୟମିତତା କରାଯାଇନାହିଁ ।