ନୂଆଦିଲ୍ଲୀ: ଗୋଟେ ପଟେ କୋରୋନା ଯୋଗୁଁ ଚିନ୍ତାରେ ଦେଶବାସୀ, ଅନ୍ୟପଟେ ଏହି ଲକଡାଉନରେ ଚାଲିଛି ଅପରାଧୀଙ୍କ ରାଜ । ତେବେ ଦିଲ୍ଲୀରେ ବଢୁଥିବା ଷ୍ଟ୍ରିଟ କ୍ରାଇମକୁ ରୋକିବା ପାଇଁ ପୋଲିସ ଦ୍ବାରା ଆରମ୍ଭ କରାଯାଇଛି ଅପରେସନ ‘ରୋକୋ ଟୋକୋ’ । ଆଉ ଏହି ଅପରେସନ ଦ୍ବାରା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । କାଲକାଜୀ ଅଞ୍ଚଳରେ ବ୍ୟାରିକେଡ୍ ଲଗାଇ ଯାଞ୍ଚ ବେଳେ ପଳାତକ ଅପରାଧୀଙ୍କୁ ପିଛା କରି 4 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ 106ଟି ମୋବାଇଲ ଏବଂ ପିସ୍ତଲ ଜବତ କରିଛି ଦିଲ୍ଲୀ ପୋଲିସ ।
ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ଲକଡାଉନ ପରଠାରୁ ଡକାୟତି କରୁଥିଲେ । କୋଭିଡ କାରଣରୁ ବେଲରେ ବାହାରି ଆସିଥିବା ଅପରାଧିମାନେ ପୁଣିଥରେ ଚୋରି କାମ ଆରମ୍ଭ କରିଦେଲେ । ତେବେ ବେଲରେ ଆସିଥିବା ଅନେକ ଅପରାଧୀମାନେ ପୁଣି ଗିରଫ ହୋଇଛନ୍ତି । ଏହି ଲକଡାଉନରେ ଦିଲ୍ଲାରେ ହଠାତ୍ ଷ୍ଟ୍ରିଟ କ୍ରାଇମ ବଢିବାରେ ଲାଗିଲା । ଏହି କାରଣରୁ ପୋଲିସ ଆଠଟି ଜିଲ୍ଲାରେ ‘ରୋକୋ ଟୋକୋ’ ଅପରେସନ୍ ଆରମ୍ଭ କରିଛି । ଏହି ଅପରେସନରେ ପୋଲିସ ଏକ ବ୍ୟାରିକେଡିଂ ସାହାଯ୍ୟରେ ରାସ୍ତାକୁ ବ୍ଲକ କରି ରାସ୍ତାରେ ଯିବା ଆସିବା ଲୋକଙ୍କୁ ଯାଞ୍ଚ କରୁଛି ।
ପୋଲିସ ସୂତ୍ର ଅନୁଯାୟୀ, କୋଭିଡ -19 ଯୋଗୁଁ ବହୁ ସଂଖ୍ୟକ ଅପରାଧୀ ଜାମିନ ଏବଂ ପାରୋଲରେ ଅଛନ୍ତି । ଆଉ ସେହି ଅପରାଧୀମାନେ ଏହି ଘଟଣା ଘଟାଉଛନ୍ତି । ଏହି କାରଣରୁ ଲକଡାଉନ୍ ଖୋଲିବା ପରେ ଦିଲ୍ଲୀରେ ହଠାତ୍ ରାସ୍ତାରେ ଅପରାଧ ବୃଦ୍ଧି ପାଇଛି । ଦିଲ୍ଲୀ ପୋଲିସ ପ୍ରାୟ 251 ଅପରାଧୀଙ୍କୁ ଗିରଫ କରିଛି ।