ହାଇଦ୍ରାବାଦ: କୋରୋନା ଯୋଗୁଁ ଲକଡାଉନ ଘୋଷଣାରେ ଅଧିକାଂଶ ଲୋକେ ନିଶ୍ଚିତ ଅସନ୍ତୁଷ୍ଟ ଅଛନ୍ତି । ଘରେ ବସିବା ପସନ୍ଦ ନଥିବା ଲୋକେ ଏଥିରେ ବୋରିଂ ହେଉଛନ୍ତି । ଅବଶ୍ୟ କୋରୋନା ଭୟ ମଧ୍ୟ ବାହାରକୁ ଯିବାକୁ ଦେଉନାହିଁ । ଏହାସହ ଅନେକ ବ୍ୟବସାୟ ଓ ବିଭିନ୍ନ ସେକ୍ଟର ଏଥିରେ ପ୍ରଭାବିତ ହୋଇଛନ୍ତି । ତେବେ ଲକଡାଉନ ଯୋଗୁଁ ଆମର ପରୋକ୍ଷରେ ଅନେକ ଉପକାର ହୋଇଛି ।
ନିକଟରେ ରିପୋର୍ଟ ଅନୁସାରେ ସାରା ବିଶ୍ବରେ ଲକଡାଉନ ଫଳରେ ପ୍ରଦୂଷଣର ମାତ୍ରା ଅନେକ କମିବାରେ ଲାଗିଛି । ବଡ ବଡ ପ୍ରଦୂଷଣ ସହରର ବାୟୁମଣ୍ଡଳ ବିଶୁଦ୍ଧ ହୋଇଛି । ଅନେକ ଜାଗାରେ ପ୍ରଦୂଷଣ ବହୁମାତ୍ରାରେ ହ୍ରାସ ଘଟିଛି । ଭାରତରେ ମଧ୍ୟ ଦିଲ୍ଲୀ, ପଞ୍ଜାବ, ମୁମ୍ବାଇ ଭଳି ସହରରେ ଏହାର ମାତ୍ରା କମିଛି । ଏପରିକି ପଞ୍ଜାବରେ ହିମାଳୟ ପର୍ବତ ସ୍ପଷ୍ଟ ଦେଖାଯାଇଛି, ଯାହା ପ୍ରଦୂଷଣ ଯୋଗୁଁ ଦୀର୍ଘ ଦିନ ହେବ ଦେଖାଯାଉନଥିଲା । ସେହିପରି ବିଶ୍ବରେ ଅପରାଧର ମାତ୍ରା ମଧ୍ୟ ଅନେକାଂଶରେ କମିଯାଇଛି । ଭାରତରେ ତ କେବଳ ତାଲାବନ୍ଦ ଉଲ୍ଲଙ୍ଘନର ଅନେକ ମାମଲା ରୁଜୁ ହୋଇଛି । ବାକି ଅନ୍ୟ ସମସ୍ତ ମାମଲାରେ ବହୁତ ହ୍ରାସ ଘଟିଛି ।
ରାସ୍ତାରେ ଗାଡିମୋଟର ଯାଉନଥିବାରୁ ଦୁର୍ଘଟଣା ନଘଟିବା ଅବା ଏହାର ସଂଖ୍ୟା କମିଯିବା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ନହେବା ସ୍ବାଭାବିକ । ସେହିପରି ଶିଳ୍ପ ଓ କାରଖାନା ବନ୍ଦ ଥିବାରୁ ପ୍ରଦୂଷଣର ମାତ୍ରା କମିବା ମଧ୍ୟ ସ୍ବାଭାବିକ କଥା । କିନ୍ତୁ କୋରୋନାର ଆତଙ୍କ ସମୟରେ ଚୋରି, ଡକାୟତି, ହତ୍ୟାକାଣ୍ଡ ଆଦି ନଘଟିବା ଚକିତକର ଖବର ନିଶ୍ଚୟ । ତେବେ କିଛି ବିଶେଷଜ୍ଞଙ୍କ ମତରେ ଏହା ପଛର କାରଣ କୋରୋନା ବ୍ୟାପିବାର ଡର । ସଂକ୍ରମଣର ଡର ଏପରି ଘାରିଛି ଯେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଜୀବନ ରହିଲେ କିଛି କରିବ, ଏହି ଡରରେ ଅପରାଧୀମାନେ ମଧ୍ୟ ଲୁଚି ରହିଛନ୍ତି । ଆତଙ୍କ ସହିତ ମଦ ଦୋକାନ ବନ୍ଦ ରହିବା ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।