ପ୍ରଥମେ ଚୀନ୍ ଓ ପରେ ସାରା ବିଶ୍ୱକୁ ଗ୍ରାସିଥିବା କୋରୋନା ମହାମାରୀ ବା କୋଭିଡ-୧୯ର ଟିକା ଏ ଯାଏଁ ବାହାରି ନାହିଁ । ଏହି ମହାମାରୀର ଟିକା କେବେ ବାହାରିବ , ତାହା ସଠିକ ଭାବେ କେହି କହୁ ପାରି ନ ଥିଲା ବେଳେ ଏ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି । କୋରୋନା ମହାମାରୀରେ ମୃତ୍ୟୁସଂଖ୍ୟା ବଢି ଚାଲିଥିଲା ବେଳେ ନୈତିକ ଦୃଷ୍ଟିରୁ ଏହି ସ୍ପର୍ଶକାତର ଓ ଜଟିଳ ପ୍ରସ୍ତାବ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି । ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ଟିକା ଦିଆଯାଇ ସେମାନଙ୍କୁ ଜାଣିଶୁଣି ସଂକ୍ରମିତ କରାଯାଉଛି । କିନ୍ତୁ ପ୍ରସ୍ତାବିତ ଟୀକାର ସ୍ପିଡ୍ ଟେଷ୍ଟିଂ ବିରୋଧରେ ମତ ପ୍ରକାଶ ପାଇଛି । ସ୍ୱେଚ୍ଛାସେବୀଙ୍କୁ ଜାଣିଶୁଣି ସଂକ୍ରମିତ କରି ଟିକା ପରୀକ୍ଷଣ କରିବା ଏକ ମନ୍ଥର ପ୍ରକ୍ରିୟା ଓ ଏଥିପାଇଁ ବର୍ଷକରୁ ଅଧିକ ସମୟ ଲାଗିପାରେ ବୋଲି ବୈଜ୍ଞାନିକମାନେ ଚେତାବନି ଦେଇଛନ୍ତି ।
ବେଶ୍ ସତର୍କତାର ସହ ଏକ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ୍ ଫଳରେ ସଂପୃକ୍ତ ଟିକାର ଉପାଦେୟତା ସଂପର୍କରେ ଖୁବଶୀଘ୍ର ଜଣାପଡିବ ବୋଲି ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଟିକା ବିଶେରଜ୍ଞ ଷ୍ଟାନଲି ପ୍ଲଟକିନ୍ କହିଛନ୍ତି । ଏକ ଭୟଙ୍କର ସମସ୍ୟାର ସାମ୍ନା କରୁଥିବା ଲୋକେ ଏଭଳି ଏକ ଅସ୍ୱାଭାବିକ ପଦକ୍ଷେପକୁ ଗ୍ରହଣ କରିପାରନ୍ତି ବୋଲି ପ୍ଲଟକିନ ମତ ଦେଇଛନ୍ତି । ଠିକ୍ ଏଭଳି ଏକ ପ୍ରସ୍ତାବ ସଂପର୍କରେ ଜର୍ନାଲ୍ ଅଫ୍ ଇନଫେକ୍ଟିଅସ୍ ଡିଜିଜ୍ର ଅନଲାଇନ ସଂସ୍କରଣରେ ପ୍ରକାଶିତ ହୋଇଛି । ଗତ ଦୁଇ ଶତାବ୍ଦୀ ଧରି ହ୍ୟୁମାନ ଚ୍ୟାଲେଞ୍ଜ ଗବେଷଣା କରାଯାଇଛି । ଅନ୍ୟ ସଂକ୍ରମିତ ରୋଗ ପାଇଁ ଏଭଳି ଗବେଷଣା ଆଜିକାଲି ବି ହେଉଛି । ୧୭୯୬ରେ ଏଡୱର୍ଡ ଜେନର ଜଣେ ୮ ବର୍ଷିୟ ବାଳକକୁ କାଓପକ୍ସ ଦେଇ ତାକୁ ମାରାତ୍ମକ ବସନ୍ତ ଭୂତାଣୁରୁ ସୁରକ୍ଷିତ ରଖିଥିଲେ । କିନ୍ତୁ ଏଭଳି ଆଭିମୁଖ୍ୟ ଏବେ ଚିନ୍ତାର ବିଷୟ ହୋଇଛି ।
ଆଜିକାଲି ଏଭଳି ହ୍ୟୁମାନ ଟ୍ରାଏଲର ନୈତକିତା ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । ଏପରିକି ଏଭଳି ପରୀକ୍ଷଣ କରୁଥିବା ଗବେଷକମାନେ ନୂଆ କୋରୋନା ଭୂତାଣୁ ବାବଦରେ ହ୍ୟୁମାନ ଚ୍ୟାଲେଞ୍ଜ ସପକ୍ଷରେ ନୁହନ୍ତି । କୋଭିଡ-୧୯ ଏକ ନୂଆ ଭୂତାଣୁ ହୋଇଥିବାରୁ ଏହା ମଣିଷକୁ କେତେଥର ଗୁରୁତର ଭାବେ ଅସୁସ୍ଥ କରେ ଓ ଏହା ଦୀର୍ଘକାଳିନ ଭାବେ କି କି ଜଟିଳତା ସୃଷ୍ଟି କରେ, ତାହା ଏ ଯାଏଁ ଅସ୍ପଷ୍ଟ ବୋଲି ଆମେରିକୀୟ ପ୍ରତିରୋଧକ ବିଶେଷଜ୍ଞ ମାଥ୍ୟୁ ମେମୋଲି କହିଛନ୍ତି । ରୋଗ ବିଷୟରେ ଜାଣିବା ପାଇଁ ଜଣକୁ ଯଦି ପରୀକ୍ଷାମୂଳକ ଭାବେ ଭାଇରସ ସଂକ୍ରମିତ କରାଯାଉଛି, ତାହା ହେଲେ ଏ ନେଇ ଥିବା ବିପଦ ସଂପର୍କରେ ବି ଅବଗତ ରହିବା ଉଚିତ ବୋଲି ମେମୋଲି ମତ ଦେଇଛନ୍ତି । କେତେ ଶୀଘ୍ର ଏକ ନୂଆ ଭୂତାଣୁ ବାବଦରେ ସଠିକ ହ୍ୟୁମାନ ଚ୍ୟାଲେଞ୍ଜ ଗବେଷଣା କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ମେମୋଲି । କୋଭିଡ-୧୯ ଟିକା ପାଇଁ ପାରମ୍ପରିକ ହ୍ୟୁମାନ ଟ୍ରାଏଲକୁ ପ୍ରଶ୍ନ କରିଛନ୍ତି ୟୁନିଭର୍ସିଟି ଅଫ୍ ମାରିଲାଣ୍ଡ୍ ସ୍କୁଲ୍ ଅଫ୍ ମେଡିସିନ୍ ର ଗବେଷକ ମାଇରନ ଲେଭିନ୍ । ଅନେକ ସ୍ଥାନରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବାରୁ କୋଭିଡ-୧୯ ଟୀକା ପାଇଁ ଦ୍ରୁତ ପ୍ରୟାସ ଉପରେ ଜୋର ଦେଇଛନ୍ତି ଲେଭିନ୍ । କିନ୍ତୁ ଟିକା ପ୍ରସ୍ତୁତ କ୍ଷେତ୍ରରେ ନୈତିକତା ଦିଗ ପ୍ରତି ବି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଲେଭିନ୍ ।
ତେବେ, କୋରୋନା ଭାଇରସ୍ ଚ୍ୟାଲେଞ୍ଜ ଷ୍ଟଡିଜ୍ ସପକ୍ଷରେ ମତ ଦେଇଥିବା ପ୍ଲଟକିନ୍ ଓ ଅନ୍ୟ ଗବେଷକମାନେ କହିଛନ୍ତି ଯେ, ମାନବ ପରୀକ୍ଷଣରେ ଥିବା ବିପଦ ସ୍ତର ହ୍ରାସ ପାଇଁ ୧୮ରୁ ୩୦ ବର୍ଷ ବୟସର ଯୁବକମାନଙ୍କୁ ନିଆଯାଇପାରେ, ଯେଉଁମାନଙ୍କଠାରେ ଗୁରୁତର ଲକ୍ଷଣ ପ୍ରାୟତଃ ଦେଖାଯାଏ ନାହିଁ । କୋରୋନା ଭାଇରସର ପାଇଁ ଯଦି ଏକ ପ୍ରଭାବଶାଳୀ ଔଷଧ ଉପଲବ୍ଧ ହୁଏ, ତାହେଲେ ହ୍ୟୁମାନ ଚ୍ୟାଲେଞ୍ଜ ଗବେଷଣାରେ ଥିବା ରିସ୍କ ହ୍ରାସ ହୋଇପାରିବ । ଉଭୟ ଲେଭିନ ଓ ମେମୋଲିଙ୍କ ଏ ସଂପର୍କରେ ଏକମତ । ଆଉ ଜଣେ ଗବେଷକ ସୀମା ଶାହ କହିଛନ୍ତି ଯେ ହ୍ୟୁମାନ ଚ୍ୟାଲେଞ୍ଜ ଗବେଷଣାରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଗଲେ, ଗବେଷଣା ନେଇ ନୈତିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବନାହିଁ । ଚ୍ୟାଲେଞ୍ଜ ଟ୍ରାଏଲ ଗୁଡିକର ନୈତିକତା ବାବଦରେ ଏକ ଷ୍ଟାଂଡି କମିଟି ଗଠନ ଉପରେ ମତ ଦେଇଛନ୍ତି ସୀମା ଶାହ । ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ କୋରୋନା ଟୀକା ନେଇ ଥିବା ସବୁ ପ୍ରତିବନ୍ଧକ ଉପରେ ଖୁବଶୀଘ୍ର ବିଚାରବିମର୍ଶ କରି ପ୍ରସ୍ତୁତ ଟିକା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶାହ ।
ଏଠାରେ ଉଲ୍ଲେଖନୀୟ ଯେ, କୋରୋନା ଭାଇରସର କେନ୍ଦ୍ର ସ୍ଥଳ ଚୀନର ଉହାନ ସହର ହୋଇଥିଲେ ମଧ୍ୟ ଏବେ ଏହା ବିଶ୍ୱ ମହାମାରୀର ରୂପ ନେଇଛି। ଦେଶବ୍ୟାପୀ ସଂଗରୋଧରୁ ମାନ୍ଦା ଅର୍ଥନୈତିକ ଅବସ୍ଥା, ସବୁ ମହାଦେଶରେ କୋରୋନା ଭୂତାଣୁର ବ୍ୟାପକ ପ୍ରଭାବ ଅନୁଭୂତ ହେଉଛି ।