ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାର ନୂତନ ମାମଲା ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା 10 ହଜାର 363କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସ ହେତୁ ଏପର୍ଯ୍ୟନ୍ତ 339 ଲୋକ ପ୍ରାଣ ହରାଇଛନ୍ତି । ଏହାସହ 1036 ଲୋକ ଏହି ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି ।
ସେହିପରି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1211 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ 31 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ମହାରାଷ୍ଟ୍ର କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 2 ହାଜର 334 ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ 160 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 217 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ସେହିପରି ଏହି ଭାଇରସରେ ଆକ୍ରାନ୍ତ ଥିବା ରାଜ୍ୟ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟରେ 1510 ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ 28 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 31 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କୋରୋନାରେ ଆକ୍ରାନ୍ତ ଥିବା ରାଜ୍ୟ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ 1173 ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 58 ଜଣ ସୁସ୍ଥ ହୋଇଛନ୍ତି ।