ଚେନ୍ନାଇ: ସମୟ ଥିଲା ଯେବେ ଜଳ ସମ୍ଭାରରେ ପୁରି ଉଠୁଥିଲା ଦକ୍ଷିଣ ଭାରତୀୟ ରାଜ୍ୟ ସମୂହ । ଯେଉଁଠାରେ ଜଳର କେବେ ଅଭାବ ଦେଖା ଦେଇନଥିଲା ଆଜି ସେଠାରେ ଦେଖା ଦେଉଛି ଜଳକଷ୍ଟ। ଶୁଖିବାରେ ଲାଗିଛି ନଦୀସବୁ । ବିନା ଜଳରେ ଅର୍ଦ୍ଧାଧିକ ସ୍ଥାନରେ ମରୁଡି ପରିସ୍ଥିତି । ଏଠାରେ ଚାଷୀ କୂଳ ବର୍ଷକୁ 3 ଥର ବିଭିନ୍ନ ଚାଷ କରୁଥିବା ବେଳେ କ୍ରମଶଃ ଏହା 2 ଥରକୁ ହ୍ରାସ ପାଇଥିଲା । ହେଲେ ଏବେ ବର୍ଷକୁ ଥରେ ଚାଷ କରିବା ବି କଷ୍ଟକର ହୋଇ ପଡିଛି ।
ପ୍ରତିବର୍ଷ ବର୍ଷା ଋତୁରେ ନଦୀ ଜଳ ବଢି ସମୂଦ୍ରରେ ମିଶିଥାଏ । ହେଲେ କାବେରୀ ନଦୀରେ ଜଳସ୍ତର କମିବାରେ ଲାଗୁଥିବାରୁ ଅଧିକାଂଶ ସମୟରେ ସମୂଦ୍ରରେ ମିଶିବାରୁ ବଞ୍ଚିତ ରହୁଛି କାବେରୀ ଜଳ । ସର୍ଭେରୁ ଜଣା ପଡିଛି କି ପୂର୍ବରୁ କାବେରୀରେ ଯେତିକି ପରିମାଣର ଜଳ ରହିଥିଲା ଏବେ ତାହା 46 ପ୍ରତିଶତ କମିଯାଇଛି । ଯଦି ଏପରି ସ୍ଥିତି ଲାଗି ରୁହେ ତେବେ ଆଗାମୀ 10-15 ବର୍ଷ ମଧ୍ୟରେ ଶୁଖିଯିବ କାବେରୀର ଅଧା ଜଳ । ଯାହାକି ଆଗାମୀ ପୀଢି ପାଇଁ ଏକ ବିରାଟ କ୍ଷତି ଘଟାଇବ ।
ତେବେ କାବେରୀ ନଦୀର ଜଳ ବଞ୍ଚାଇବା ପାଇଁ ଇଶା ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିଲା ନିଆରା ଚିତ୍ରାଙ୍କନ ପ୍ରତିଯୋଗିତା । ବିଭିନ୍ନ ସ୍କୁଲର ପ୍ରାୟ 50,000 ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା ଏହି ପ୍ରତିଯୋଗିତା । ଏହାର ମୂଳ ଉଦ୍ଦେଶ୍ୟ ଥିଲା କାବେରୀର କ୍ଷତି ପ୍ରତି ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା । କାରଣ ପରିବେଶକୁ ବଞ୍ଚାଇବାରେ ସେମାନଙ୍କ ଭୂମିକା ଅତି ଗୁରୁତ୍ତ୍ବପୂର୍ଣ୍ଣ ।
ଆଶ୍ଚର୍ଯ୍ୟର କଥା କି ଏହି ପ୍ରତିଯୋଗିତାରେ ଅଧିକାଂଶ ପିଲାଏ ଶୁଖିଲା ନଦୀର ଚିତ୍ର ଆଙ୍କିଥିଲେ । ଯାହା ସେମାନଙ୍କ ମନରେ କାବେରୀ ନଦୀକୁ ନେଇ ରହିଥିବା ଦୃଷ୍ଟିପଟକୁ ସ୍ପଷ୍ଟ କରେ । ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ନଦୀ ଶୁଖିଲା ପଡିଥିବା ବେଳେ ପିଲାମାନେ ମଧ୍ୟ କାବେରୀ ନଦୀର ଏହି ଚିତ୍ରକୁ ବାସ୍ତବ କାବେରୀ ନଦୀ ବୋଲି ଗ୍ରହଣ କରୁଛନ୍ତି ।
ସୂଚନା ମୁତାବକ ଦେଶରେ ମୋଟ 160 ମିଲିୟନ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି । ଯେଉଁଥିରୁ ଏବେ ପ୍ରାୟ 104 ମିଲିୟନ ହେକ୍ଟର ଜମି ଜଳାଭାବରୁ ଚାଷ ଅନୁପଯୋଗୀ ପାଲଟିଛି । ଏଭଳି ପରିସ୍ଥିତି ଯଦି ଆଗକୁ ବି ଲାଗି ରୁହେ ତେବେ ଆଗାମୀ 15-25 ବର୍ଷରେ ଦେଶ ଖାଦ୍ୟାଭାବ ଭଳି ସ୍ଥିତିର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହିଁ । ଯେଉଁଥିରେ ପ୍ରାୟ 1.3 ମିଲିୟନ ଲୋକେ ଦେଶରେ ଭୋକିଲା ରହିବାର ସମ୍ଭାବନା ରହିଛି ।
ଦେଶରେ ଥିବା ନଦୀମାନଙ୍କରୁ 96 ପ୍ରତିଶତ ନଦୀରେ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେଣୁ ପ୍ରକୃତି ବଞ୍ଚାଇବାକୁ ହେଲେ ଜଙ୍ଗଲର ରହିଛି ଅନେକ ଆବଶ୍ୟକତା । ହେଲେ ବଢିଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବାକୁ ଯାଇ କ୍ଷୀପ୍ର ବେଗରେ ଲୋପ ପାଇବାରେ ଲାଗିଛି ଜଙ୍ଗଲର ପରିମାଣ । ଯାହାକୁ ପୁନରୁଦ୍ଧାର କରି ଆଗ୍ରୋଫରେଷ୍ଟ୍ରି ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ‘କାବେରୀ କଲିଂ’ ।
ଇଶା ଫାଉଣ୍ଡେସନର ନିର୍ମାତା ସାଧଗୁରୁଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇ ସାରିଛନ୍ତି । ତେବେ କ୍ୟାମ୍ପେନର ଯୋଜନା ମୁତାବକ 25 ଜଣ ସଦସ୍ୟ ବାଇକ ରାଲିରେ କାବେରୀ ବେସିନ ଉପକୂଳରେ ସଚେତନତା ବାର୍ତ୍ତା ବାଣ୍ଟିବେ । ଯେଉଁଥିରେ କୃଷକମାନଙ୍କୁ ଆଗ୍ରୋଫରେଷ୍ଟ୍ରି ପାଇଁ ପ୍ରୋତ୍ସାହିତ କରିବେ ଯୋଜନାଭୁକ୍ତ ସଦସ୍ୟ ।
ରିପୋର୍ଟ ମୁତାବକ କାବେରୀ ବେସିନ ମୋଟ 83,000 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଯେଉଁଥିର ରହିଛି କାବେରୀ ନଦୀ ଉପକୂଳବର୍ତ୍ତୀ ଘଞ୍ଚ ଜଙ୍ଗଲ । ଏହା ତାମିଲନାଡୁକୁ 40 ଓ କର୍ଣ୍ଣାଟକକୁ 26 ପ୍ରତିଶତ ଖାଦ୍ୟ ଯୋଗାଇଥାଏ । କିନ୍ତୁ କାବେରୀର ଅବକ୍ଷୟ ଯୋଗୁଁ ଏବେ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ । ତେବେ ଏହାର ଏକ ତୃତୀୟାଂଶକୁ ବି ଯଦି ଯୋଜନା ମୁତାବକ ଆଗ୍ରୋଫରେଷ୍ଟ୍ରିରେ ପରିଣତ କରାଯାଏ ତେବେ ଏହା ପ୍ରାୟ 46 ପ୍ରତିଶତ ସମସ୍ୟାର ସମାଧାନ କରିପାରିବ ।
ଏହା କୃଷକଙ୍କୁ ଜୀବିକା ଯୋଗାଇବା ସହ ଲୋକଙ୍କ ଆବଶ୍ୟକତା ଓ ସବୁଠାରୁ ମୂଳକଥା ଏହା ପରିବେଶର ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ ।