ଡେରାଡୁନ: ଉତ୍ତରାଖଣ୍ଡର ଉଚ୍ଚ ଗଢବାଲ ହିମାଳୟ ଅଞ୍ଚଳରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ବଦ୍ରିନାଥ ଧାମର ଦ୍ବାର ଖୋଲିବାର ଶୁଭ ମୁହୁର୍ତ୍ତ ପ୍ରସ୍ତୁତି ଶେଷ ହୋଇଛି ।ଏପ୍ରିଲ୍ 30ରେ ପ୍ରଭୁ ବଦ୍ରିନାଥଙ୍କ ମନ୍ଦିରର ଦ୍ବାର ଖୋଲିବାକୁ ଥିବାବେଳେ, କୋରୋନା ସଂକ୍ରମଣ ବୃଦ୍ଧି ହେତୁ ଏହି ତାରିଖ 15 ଦିନକୁ ବୃଦ୍ଧି କରାଯାଇଥିଲା । ଯାହା ବର୍ତ୍ତମାନ ମେ 15 ତାରିଖ ସକାଳ 4 ଟା 30 ସମୟରେ ଖୋଲିବ ବୋଲି ନୂଆ ଶୁଭ ସମୟ ଧାର୍ଯ୍ୟ ହୋଇଛି ।
ଉତ୍ତରାଖଣ୍ଡ ଚାରଧାମ ଦେବସ୍ଥାନମ ବୋର୍ଡର ଦାୟିତ୍ୱରେ ଥିବା ମିଡିଆ ପ୍ରଭାରୀ ହରିଶ ଗୌଡ କହିଛନ୍ତି ଯେ, ବଦ୍ରିନାଥଙ୍କ ଦ୍ୱାର ଖୋଲିବା ପାଇଁ କର୍ମଚାରୀମାନେ ବ୍ୟସ୍ତ ଅଛନ୍ତି । ସେ କହିଛନ୍ତି, "ମନ୍ଦିର ପରିସରରୁ ବରଫ ହଟାଇ ଦିଆଯାଇଛି। ମନ୍ଦିରରେ ରଙ୍ଗ ଚିତ୍ରକର କାମ ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି । ଜଳ, ବିଦ୍ୟୁତ୍ ଆଦି ବ୍ୟବସ୍ଥା ପୁନଃ ସ୍ଥାପିତ ହୋଇଛି।"
ସେ କହିଛନ୍ତି ଯେ ସାମାଜିକ ଦୂରତାର ବିଶେଷ ଧ୍ୟାନ ନେବା ବ୍ୟତୀତ ମାସ୍କ ପିୁନ୍ଧିବା ନେଇ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି । ଏହି ସମୟରେ, କେରଳରୁ ଋଷିକେଶରେ ପହଞ୍ଚିବା ପରେ ବଦ୍ରିନାଥ ଧାମର ମୁଖ୍ୟ ପୁରୋହିତ ରାୱଲ ଇଶ୍ୱରୀ ପ୍ରସାଦ ନାମ୍ବୁଦରୀ ଋଷିକେଶରେ 14 ଦିନ ଧରି କ୍ବାରେଣ୍ଟାଇନରେ ରହିଛନ୍ତି ।
ଗୌଡ କହିଛନ୍ତି ଯେ, ଋଷିକେଶରେ ଅବସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ତାଙ୍କର ପ୍ରଥମ କୋରୋନା ରିପୋର୍ଟ ନେଗେଟିଭ ଆସିଛ । ମେ 4 ତାରିଖରେ ତାଙ୍କର ଦ୍ବିତୀୟ କୋରୋନା ପରୀକ୍ଷା କରାଯିବ । ସେ କହିଛନ୍ତି ଯେ, କୋରୋନା ରୋକିବା ପାଇଁ ଜାରି କରାଯାଇଥିବା ସରକାରୀ ପରାମର୍ଶ ଅନୁଯାୟୀ ତୀର୍ଥଯାତ୍ରୀମାନଙ୍କୁ ବର୍ତ୍ତମାନ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ । ତେଣୁ ବଦ୍ରିନାଥ ଧାମରେ କବାଟ ଖୋଲିବା ସମୟରେ ସୀମିତ ସଂଖ୍ୟକ ଲୋକ ଉପସ୍ଥିତ ରହିବେ।