ଲକ୍ଷ୍ନୌ: 28 ବର୍ଷ ପରେ ଘୋଷଣା ହେବାକୁ ଯାଉଛି ଭାରତର ବହୁ ଚର୍ଚ୍ଚିତ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଚୂଡ଼ାନ୍ତ ରାୟ। ସେପ୍ଟେମ୍ବର 30ରେ ପ୍ରକାଶ ପାଇବ ରାୟ। ଲକ୍ଷ୍ନୌ ସ୍ଥିତ ସିବିଆଇ ସ୍ବତନ୍ତ୍ର ଅଦାଲତର ବିଚାରପତି ସୁରେନ୍ଦ୍ର ଯାଦବ ସକାଳ ପ୍ରାୟ 10ଟା 30 ମିନିଟ୍ ସମୟରେ ରାୟ ଶୁଣାଇବେ। ବାବ୍ରି ମସଜିଦ ଭଙ୍ଗା ମାମଲାରେ ମୋଟ ଉପରେ 49 ଜଣ ବ୍ୟକ୍ତି ଅଭିଯୁକ୍ତ ଅଛନ୍ତି, ଏମାନଙ୍କ ମଧ୍ୟରୁ 17 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ରାୟ ଶୁଣାଇବା ସମୟରେ ସମସ୍ତ 32 ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ବିଚାରପତି ସୁରେନ୍ଦ୍ର ଯାଦବ ଆଦେଶ ଦେଇଛନ୍ତି ।
ଅଭିଯୁକ୍ତଙ୍କ ମଧ୍ୟରେ ପ୍ରମୁଖ ବ୍ୟକ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନି, ଡକ୍ଟର ମୂରଲୀ ମନୋହର ଯୋଷୀ, ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏବଂ ଅନ୍ୟମାନେ। ହେଲେ ବୟସାଧିକ କାରଣରୁ ଅନେକ ଅଭିଯୁକ୍ତ ରାୟ ପ୍ରକାଶ ବେଳେ କୋର୍ଟରେ ଉପସ୍ଥିତ ରହିବା ନେଇ ଏବେ ବି ଅନିଶ୍ଚିତତା ରହିଛି। କୋରୋନା ସଂକ୍ରମଣ କାରଣ ବି ରହିଛି। ତେବେ ସାଧ୍ବୀ ରିତୁମ୍ଭରା, ବିନୟ କଟିଆର ଏବଂ ପାୱନ ପାଣ୍ଡେଙ୍କ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଅଭିଯୁକ୍ତ କୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।
ବଞ୍ଚିଥିବା ଅଭିଯୁକ୍ତ
ଲାଲକୃଷ୍ଣ ଆଡ଼ଭାନି, ମୂରଲୀ ମନୋହର ଯୋଷୀ, ସୁଧୀର କକ୍କଡ, ସତୀଶ ପ୍ରଧାନ, ରାମଚନ୍ତ୍ର ଖାତ୍ରୀ, ସନ୍ତୋଷ ଦୁବେ, କଲ୍ୟାଣ ସିଂହ, ଉମା ଭାରତୀ, ରାମବିଳାସ ବେଦାନ୍ତି, ବିନୟ କଟିଆର, ପ୍ରକାଶ ଶର୍ମା, ଗାନ୍ଧି ଯାଦବ, ଜୟଭାନ ସିଂହ, ଲାଲୁ ସିଂହ, କମଲେଶ ତ୍ରିପାଠୀ, ବ୍ରିଜ ଭୂଷଣ ସିଂହ, ରାମଜୀ ଗୁପ୍ତା, ମହନ୍ତ ନୃତ୍ୟ ଗୋପାଳ ଦାସ, ଚମ୍ପତ ରାୟ, ସାକ୍ଷୀ ମହାରାଜ, ବିନୟ କୁମାର ରାୟ, ନବୀନ ଭାଇ ଶୁକ୍ଲା, ଧରମଦାସ,ଜୟ ଭଗବାନ ଗୋଏଲ, ଅମରନାଥ ଗୋଏଲ, ସାଧ୍ବୀ ରିତୁମ୍ଭରା, ପାୱନ ପାଣ୍ଡେ, ବିଜୟ ବାହାଦୂର ସିଂହ, ଆର.ଏମ୍.ଶ୍ରୀବାସ୍ତବ, ଧର୍ମେନ୍ଦ୍ର ସିଂ ଗୁର୍ଜର, ଓମପ୍ରକାଶ ପାଣ୍ଡେ ଏବଂ ଆଚାର୍ଯ୍ୟ ଧର୍ମେନ୍ଦ୍ର।
ମୃତ୍ୟୁ ହୋଇ ସାରିଥିବା ଅଭିଯୁକ୍ତ
ପରମହଂସ ରାମଚନ୍ଦ୍ର ଦାସ, ବିନୋଦ କୁମାର ଭାଟସ, ରାମ ନାରାୟଣ ଦାସ, ଡିବି ରାୟ, ଲକ୍ଷ୍ମୀ ନାରାୟଣ ଦାସ, ହରଗୋବିନ୍ଦ ସିଂ, ରମେଶ ପ୍ରତାପ ସିଂହ, ଦେବେନ୍ଦ୍ର ବାହାଦୂର, ଅଶୋକ ସିଂଘଲ, ଗିରିରାଜ କିଶୋର, ବିଷ୍ଣୁହରି ଡାଲମିଆ, ମୋରେଶ୍ବର ସହାୟ, ମହନ୍ତ ଅବୈଧନାଥ, ମହାମଣ୍ଡଳେଶ୍ବର ଜଗଦୀଶ ମୁନି ମହାରାଜ, ବୈକୁଣ୍ଠ ଲାଲ ଶର୍ମା, ସତୀଶ କୁମାର ନାଗର ଏବଂ ବାଲା ସାହେବ ଥାକରେ।
ଡିସେମ୍ବର 6, 1992ରେ ବାବ୍ରି ମସଜିଦ୍ ଭଙ୍ଗା ଯାଇଥିଲା
ଡିସେମ୍ବର 6, 1992ରେ ଧାର୍ଯ୍ୟ ହୋଇଥିବା ସୂଚୀ ଅନୁଯାୟୀ ‘କରସେବା’ ବା ପବିତ୍ର ସେବାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାଗନେବା ପାଇଁ ହାଇକୋର୍ଟ ସମସ୍ତଙ୍କୁ ଅନୁମତି ପ୍ରଦାନ କରିଥିଲେ। ଅଯୋଧ୍ୟାରେ କେତେ ସଂଖ୍ୟାରେ ‘କରସେବକ’ ଯୋଗ ଦେବେ ତାହା କୋର୍ଟ ସ୍ଥିର କରିନଥିଲେ। ଫଳରେ କିଛି ଅବାଞ୍ଛିତ ଓ ଅସାମାଜିକ ବ୍ୟକ୍ତିଙ୍କ କାରଣରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ଏବଂ ବାବ୍ରି ମସଜିଦ ଭଙ୍ଗା ଯାଇଥିଲା। ମାମଲାର ପ୍ରଥମ ଏତଲା ବା ଏଫଆଇଆର ରାମଜନ୍ମଭୂମି ପୋଲିସ ଷ୍ଟେସନରେ ସନ୍ଧ୍ୟା 6ଟା 15 ମିନିଟରେ ଦାଖଲ ହୋଇଥିଲା, ଯେଉଁଥିରେ ଲକ୍ଷାଧିକ କରସେବକଙ୍କୁ ଅଭିଯୁକ୍ତ କରାଯାଇଥିଲା କିନ୍ତୁ କାହାର ନାମ ନିଆଯାଇନଥିଲା।
ପ୍ରଥମ ଏତଲା ଦାଖଲ ହେବାର ମାତ୍ର 10 ମିନିଟ ପରେ ଅର୍ଥାତ 6ଟା 25 ମିନିଟ ମୟରେ ରାମଜନ୍ମଭୂମି ପୋଲିସ ପୋଷ୍ଟର ତତ୍କାଳୀନ ଅଧିକାରୀ ଗଙ୍ଗା ପ୍ରସାଧ ତିୱାରିଙ୍କ ଅଭିଯୋଗକ୍ରମେ ଆଉ ଏକ ଏତଲା ଦାଖଲ କରାଯାଇଥିଲା। ଦ୍ବିତୀୟ ଏତଲାରୁ ଏହି ଘଟଣାରେ ରାଜନୈତିକ ଗୋଷ୍ଠୀର ସଂପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା। ଦ୍ବିତୀୟ ଏତଲା ପରେ ଘଟଣାର ତଦନ୍ତ ଦାୟିତ୍ବ ସ୍ଥାନୀୟ ପୋଲିସକୁ ଦିଆଯାଇଥିଲା। ତେବେ ଦ୍ବିତୀୟ ଦିନରେ ମାମଲା କ୍ରାଇମ ବ୍ରାଞ୍ଚ-ସିଆଇଡି ହାତକୁ ହସ୍ତାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଇସ୍ତଫା ଦେଇଥିଲେ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।
କ୍ରାଇମ ବ୍ରାଞ୍ଚ-ସିଆଇଡି ମାମଲାର ଯାଞ୍ଚ କରି ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ଏହାପରେ ପୂରା ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ଦିଆଯାଇଥିଲା। ସିବିଆଇ ମାମଲାର ଯାଞ୍ଚ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ 49 ଜଣଙ୍କ ନାଁରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ଦୁଇ ଦଶନ୍ଧି ଧରି ଲମ୍ବା ସମୟ ପର୍ଯ୍ୟନ୍ତ ମାମଲାର ଶୁଣାଣି ଓ ବିଚାର କାର୍ଯ୍ୟ ଚାଲିଥିଲା। ରାୟବରେଲୀ ଏବଂ ଲକ୍ଷ୍ନୌ ଦୁଇଟି ସ୍ଥାନରେ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଯେଉଁସବୁ ପ୍ରମୁଖ ନେତା ମାମଲାରେ ଅଭିଯୁକ୍ତ ଥିଲେ ସେମାନଙ୍କର ଶୁଣାଣି ରାୟବରେଲୀରେ ଏବଂ ଅଭିଯୁକ୍ତ ଅନ୍ୟମାନଙ୍କର ଶୁଣାଣି ଲକ୍ଷ୍ନୌରେ ହୋଇଥିଲା। ଇତିମଧ୍ୟରେ ସୁପ୍ରିମ କୋର୍ଟ ଶୁଣାଣିକୁ ରାୟବରେଲୀରୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରି ଦେଇଥିଲେ। ଲକ୍ଷ୍ନୌରେ ଦୁଇ ଦଶନ୍ଧିରୁ ଅଧିକ କାଳ ଲମ୍ବା ଶୁଣାଣୀ ପରେ ଏହାର ବିଚାର ଶେଷ ହୋଇଥିଲା। ଏବେ ରାୟ ସେପ୍ଟେମ୍ବର 30, 2020ରେ ପ୍ରକାଶ ପାଇବ।
ସଂକ୍ଷେପରେ ବାବ୍ରି ମସଜିଦ୍ ଭଙ୍ଗା ଘଟଣା
* ଡିସେମ୍ବର 6, 1992ରେ ବାବ୍ରି ମସଜିଦ୍ ଢାଞ୍ଚା ଭଙ୍ଗାଯିବା ପରେ ସେହିଦିନ ହିଁ ଫୈଜାବାଦରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ପ୍ରଥମ ଏତଲାରେ ଲକ୍ଷାଧିକ କରସେବକଙ୍କ ବିରୁଦ୍ଧରେ ଥିବା ବେଳେ ଦ୍ବିତୀୟ ଏତଲାରେ ଲାଲକୃଷ୍ଣ ଆଡ଼ଭାନି, ମୂରଲୀ ମନୋହର ଯୋଷୀ, ବାଲ୍ ଥାକରେ, ଉମା ଭାରତୀ ଏବଂ ଅନ୍ୟମାନଙ୍କ ସମେତ ମୋଟ 49 ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିବା ନେଇ ସେମାନଙ୍କୁ ଅଭିଯୁକ୍ତ କରାଯାଇଥିଲା।
* 1993ରେ ବାବ୍ରି ମସଜିଦ୍ ଭଙ୍ଗା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବିଜେପି ଏବଂ ଆରଏସଏସ ନେତା ଅଭିଯୁକ୍ତ ଥିବା ମାମଲାର ଶୁଣାଣି ରାୟବରେଲୀ କୋର୍ଟରେ ଏବଂ କରସେବକମାନେ ଅଭିଯୁକ୍ତ ଥିବା ଅନ୍ୟ ଏକ ମାମଲାର ଶୁଣାଣି ଲକ୍ଷ୍ନୌ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ମାସରେ ସିବିଆଇ ଦୁଇଟି ଯାକ ମାମଲାକୁ ଏକାଠି କରିଥିଲା ଏବଂ ଲାଲକୃଷ୍ଣ ଆଡ଼ଭାନି ଏବଂ ଅନ୍ୟ ନେତାମାନଙ୍କୁ ଅପରାଧମୂଳକ ଷଡ଼ଯନ୍ତ୍ର କରିଥିବା ନେଇ ଅଭିଯୁକ୍ତ କରି ଏକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା।
* 1996ରେ ଉତ୍ତର ପ୍ରଦେଶ ସରକାର ଉଭୟ ମାମଲାର ଶୁଣାଣି ମିଳିତ ଭାବେ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ଲକ୍ଷ୍ନୌସ୍ଥିତ ସିବିଆଇ ସ୍ବତନ୍ତ୍ର ଅଦାଲତ ମାମଲାରେ ଅପରାଧମୂଳକ ଷଡ଼ଯନ୍ତ୍ର ଧାରା ସାମିଲ କରିଥିଲା। ଏହାକୁ ଆଡ଼ଭାନି ଏବଂ ଅନ୍ୟ କେତେଜଣ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
* ମେ 4, 2001ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଆଡ଼ଭାନି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଥିବା ଅପରାଧମୂଳକ ଷଡ଼ଯନ୍ତ୍ର ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।
* 2003ରେ ସିବିଆଇ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ। ଲାଲକୃଷ୍ଣ ଆଡ଼ଭାନିଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ନଥିବା ରାୟବରେଲୀ କୋର୍ଟ ଅନୁଭବ କରିଥିବା ଦର୍ଶାଇଥିଲେ। ଏଥିରେ ହସ୍ତକ୍ଷେପ କରି ହାଇକୋର୍ଟ ଆଡ଼ଭାନି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଅପରାଧମୂଳକ ଷଡ଼ଯନ୍ତ୍ର ଅଭିଯୋଗ ସହ ମୂଳ ମାମଲାର ବିଚାର ଜାରି ରଖିଥିଲେ।
* ମେ 23, 2010ରେ ଆଲାହାବାଦ ହାଇକୋର୍ଟ ଲାଲକୃଷ୍ଣ ଆଡ଼ଭାନି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଥିବ ଅପରାଧମୂଳକ ଷଡ଼ଯନ୍ତ୍ର ଅଭିଯୋଗକୁ ରଦ୍ଦ କରି ଦେଇଥିଲେ। 2012ରେ ସିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଅପରାଧମୂଳକ ଷଡ଼ଯନ୍ତ୍ର ଅଭିଯୋଗ ଦର୍ଶାଇବା ସହିତ ବିଚାର ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
* ଏପ୍ରିଲ 2017ରେ ସୁପ୍ରିମ କୋର୍ଟ ଦେଇଥିବା ରାୟରେ ଦୁଇ ବର୍ଷ ମଧ୍ୟରେ ଶୁଣାଣି ସାରିବାକୁ ସିବିଆଇ ସ୍ବତନ୍ତ୍ର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ରାୟବରେଲୀ ଏବଂ ଲକ୍ଷ୍ନୌ କୋର୍ଟରେ ଚାଲିଥିଲା, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ଯାକ ମାମଲାକୁ ମିଶାଇବାକୁ ଆଦେଶ ଦେବା ସହ ସେମାନଙ୍କର ଶୁଣାଣି ଲକ୍ଷ୍ନୌରେ କରି ବିଚାର ସାରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ।
* ମେ 21, 2017ଠାରୁ ମାମଲାର ଦୈନିକ ଶୁଣାଣି ଆରମ୍ଭ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କର ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା। କୋରୋନା ମହାମାରୀ କାରଣରୁ ଲାଲକୃଷ୍ଣ ଆଡ଼ଭାନି ଏବଂ ମୂରଲୀ ମନୋହର ଯୋଷୀଙ୍କ ସମେତ ଅନେକ ଅଭିଯୁକ୍ତଙ୍କ ବୟାନ ଭିଡିଓ କନଫରେନ୍ସିଂ ଜରିଆରେ ରେକର୍ଡ କରାଯାଇଥିଲା।
* ସୁପ୍ରିମ କୋର୍ଟ ମେ 8, 2020ରେ ଅଗଷ୍ଟ 31 ସୁଦ୍ଧା ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ କୋରୋନା ମହାମାରୀ କାରଣରୁ ଏହାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବଢାଇ ଦେଇଥିଲେ।
* ସିବିଆଇ ସ୍ବତନ୍ତ୍ର ଅଦାଲତ ବିଚାରପତି ସୁରେନ୍ଦ୍ର ଯାଦବ ବାବ୍ରି ସମସ୍ତ ପକ୍ଷ, ସାକ୍ଷୀଙ୍କ ବୟାନ ଶୁଣିବା ସହିତ ମସଜିଦ୍ ଭଙ୍ଗା ମାମଲାର ଶୁଣାଣି ସେପ୍ଟେମ୍ବର 1, 2020ରେ ଶେଷ କରିଛନ୍ତି ଏବଂ ସେପ୍ଟେମ୍ବର 2ରୁ ରାୟ ଲେଖିବା ଆରମ୍ଭ କରିଥିଲେ।
ଏହି ଐତିହାସିକ ମାମଲାର ରାୟ ସେପ୍ଟେମ୍ବର 30ରେ ପ୍ରକାଶ କରିବେ ବୋଲି ବିଚାରପତି ସୁରେନ୍ଦ୍ର ଯାଦବ ସେପ୍ଟେମ୍ବର 16ରେ କହିଥିଲେ।