ପାନଜୀ: କୋରୋନା ସଂକ୍ରମିତ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ନିରନ୍ତର ସୁଧାର ଆସୁଛି । ଅଗଷ୍ଟ 12ରେ କୋରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ । ଏବେ ତାଙ୍କର ଶ୍ବାସକ୍ରିୟାରେ କୌଣସି ଅସୁବିଧା ହେଉନଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଶୀଘ୍ର ସୁଧାର ଆସୁଛି ବୋଲି ଗୋଆର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶନିବାର କହିଛନ୍ତି ।
କୋରୋନା ସଂକ୍ରମଣ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କୁ ଅଗଷ୍ଟ 12ରେ ଗୋଆରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଉପରେ ଅଗଷ୍ଟ 28ରେ କରାଯାଇଥିବା RT-PCR ପରୀକ୍ଷଣରେ ତାଙ୍କ ଶରୀରରେ କୋଭିଡ୍ ଭୂତାଣୁ ଥିବା ଜଣାପଡିଥିଲା । 48 ଘଣ୍ଟା ପରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।
ଏହି ସପ୍ତାହ ଆରମ୍ଭରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଏବଂ ସଶସ୍ତ୍ର ବାହିନୀର କମାଣ୍ଡର ଟିମ୍ ଗୋଆ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାର ଆବଶ୍ୟକତା ଯାଞ୍ଚ କରିଥିଲେ । କିନ୍ତୁ ଘରୋଇ ଡାକ୍ତରଖାନାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଯାଉଥିବା ଚିକିତ୍ସାକୁ ନେଇ ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ