ଅମରାବତୀ: ପ୍ରଚଣ୍ଡ ଖରାରେ ତାତୁଛି ସାରା ଦେଶ । ତେବେ ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ କଥା ଭାବିବାକୁ ଲୋକଙ୍କ ପାଖରେ ସମୟ ନଥିବା ବେଳେ ପଥଚାରୀଙ୍କ କଥା ଚିନ୍ତା କରି ଚର୍ଚ୍ଚାରେ ଏହି ବ୍ୟକ୍ତି । ଡହଡହ ଖରାରୁ ଲୋକଙ୍କୁ ତ୍ରାହି ଦେବାକୁ ରାସ୍ତା କଡରେ ବାଣ୍ଟୁଛନ୍ତି ଦହିପାଣି । ଆନ୍ଧ୍ରପ୍ରଦେଶ ବିଜୟୱାଡାର ସମାଜସେବୀ ସତ୍ୟନାରାୟଣ ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ 15 ବର୍ଷ ହେବ ସେ ଏହି କାମ କରିଆସୁଛନ୍ତି । ଖରା ଦିନ ଆସିଲେ ସେ ତାଙ୍କ କାମ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ରାସ୍ତାକଡରେ କିଛି ଲୋକଙ୍କ ସହାୟତାରେ ସେ ପଥଚାରୀଙ୍କୁ ଦହିପାଣି ଓ ଥଣ୍ଡାପାଣି ବଣ୍ଟନ କରିଥାନ୍ତି ।
ତାଙ୍କର ଏଭଳି କାମକୁ ସ୍ଥାନୀୟ ଲୋକଙ୍କ ସମେତ ବାହାରୁ ଆସୁଥିବା ଯାତ୍ରୀ ମଧ୍ୟ ଖୁବ ପ୍ରଶଂସା କରିଥାନ୍ତି । ଲୋକଙ୍କୁ ଖରାରୁ ଟିକିଏ ତ୍ରାହି ମିଳିବ ଭାବି ପ୍ରଥମେ ସତ୍ୟ ଆରମ୍ଭ କରିଥିଲେ ଏହି କାମ । ବର୍ତ୍ତମାନ ଏହା ଅଭ୍ୟାସରେ ପରିଣତ ହେଲାଣି । ଖରା ଦିନ ଆରମ୍ଭ ହେବା କ୍ଷଣି ସେ ମଧ୍ୟ ନିଜ କାମରେ ଲାଗିପଡନ୍ତି । ଏବେ ବି ଲୋକଙ୍କ ଭିତରେ ମାନବିକତା ବଞ୍ଚିରହିଛି ବୋଲି ସେ ପ୍ରମାଣ କରିଦେଖାଇଛନ୍ତି ।