ଭୋପାଲ: ଲକଡାଉନ ପରେ ମଦ ଦୋକାନରେ ଅଦ୍ଭୁତପୂର୍ବ ଭିଡ ଦେଖିବାକୁ ମିଳିଥିଲା । ପୋଲିସର ମଧ୍ୟ ଏହା ଉପରେ କଡା ନଜର ରହିଥିଲା । ମଧ୍ୟପ୍ରଦେଶ ବିନ୍ଦରରେ ଥିବା ଏକ ପୋଲିସ ଷ୍ଟେଟନରେ 950 ବୋତଲ ଦେଶୀ ମଦ ଜବତ କରି ରଖାଯାଇଥିଲା । କିନ୍ତୁ କିଛି ଦୂର୍ବୃତ୍ତ ପୋଲିସ ଷ୍ଟେସନ ଷ୍ଟ୍ରଙ୍ଗ ରୁମରୁ ଏହି ମଦ ବୋଦଲ ଚୋରାଇ ନେଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ପୋଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।
ଜିଲ୍ଲା ପୋଲିସ ଅଧୀକ୍ଷକ ନାଗେନ୍ଦ୍ର ସିଂ କହିଛନ୍ତି ଯେ ମିହୋନା ପୋଲିସ ଷ୍ଟେସନର ଷ୍ଟ୍ରଙ୍ଗ ରୁମରୁ ଯେଉଁ ଦେଶୀ ମଦ ନିଖୋଜ ହୋଇଛି ତାହାକୁ ଲକଡାଉନରେ ବିକ୍ରି ହୋଇଥିବା ନେଇ ସୂଚନା ମିଳିଛି । ମଙ୍ଗଳବାର ରାତିରେ ସେ ଯେବେ ପୋଲିସ ଷ୍ଟେସନକୁ ଯାଇଥିଲେ 950 ବୋତଲ ନିଖୋଜ ଥିବା ସେ ଦେଖିବାକୁ ପାଇଥିଲେ । ତେବେ ଏନେଇ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ସହ ଛାନଭିନ ଆରମ୍ଭ ହୋଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଗତ ଚାରି ବର୍ଷ ମଧ୍ୟରେ ମିହୋନା ପୋଲିସ ଦ୍ୱାରା 3,400 ଦେଶୀ ମଦ ବୋତଲ ଜବତ କରାଯାଇଛି । ଏଥି ମଧ୍ୟରୁ 2,200 ବୋତଲ ସ୍ଥାନୀୟ କୋର୍ଟର ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବାବେଳେ 1200 ବୋତଲ ପୋଲିସ ଷ୍ଟେସନରେ ରଖାଯାଇଥିଲା । ତେବେ ପୋଲିସ ଅଧିକାରୀ କହିଛନ୍ତି ଯେ ସେ ଗସ୍ତ ସମୟରେ କେବଳ 250 ବୋତଲ ପାଇଥିଲେ ।
ବିଶେଷ ସୁତ୍ରରୁ ସୂଚନା ମିଳିଛି ଯେ, ଲକଡାଉନରେ ମଦ ଦୋକାନ ବନ୍ଦ ଥିବାବେଳେ ମଦ ବୋତଲ କିଣିବାକୁ ସାଧାରଣ ଦାମରୁ 4 ଗୁଣ ଅଧିକ ଦାମ ଦେଇ କିଣାଯାଇଛି ।