ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଏହାଭିତରେ ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି ସୁରକ୍ଷା କର୍ମୀଙ୍କ କୋରୋନା ସଂକ୍ରମିତ ହେବା । ପ୍ରାୟ ପ୍ରତିଦିନ ସୁରକ୍ଷା କର୍ମୀ କୋରୋନା ପଜିଟିଭ ହେଉଥିବା ରିପୋର୍ଟ ରେକର୍ଡ କରାଯାଉଛି । ରବିବାର ସୁଦ୍ଧା ଦେଶରେ ମୋଟ 64 ସିଏସ୍ଏଫ୍ କର୍ମଚାରୀଙ୍କ ସମେତ 550 ସେଣ୍ଟ୍ରାଲ୍ ଆର୍ମଡ ପୋଲିସ୍ ଫୋର୍ସ (CAPF) କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜିଟିଭ୍ ରହିଛି ।
ଏହି 64 ସିଏସ୍ଏଫ୍ କର୍ମଚାରୀଙ୍କ ମଧ୍ୟରୁ 33 ଜଣ ମୁମ୍ବାଇ, 22 ଜଣ ଦିଲ୍ଲୀ, 5 ଜଣ କୋଲକାତା, ଦୁଇଜଣ ଗ୍ରେଟର ନୋଏଡା ଏବଂ ଦୁଇଜଣ ଅହମଦାବାଦର ବୋଲି ଜଣାପଡିଛି । ଗତ 24 ଘଣ୍ଟା ମଧ୍ୟରେ ସିଆଇଏସଏଫରରେ 18 ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।
ମୁମ୍ବାଇରେ 33 ସଂକ୍ରମିତ ଯବାନଙ୍କ ମଧ୍ୟରୁ 29 ଜଣ ମୁମ୍ବାଇ ବିମାନବନ୍ଦରରେ, ଦୁଇ ଜଣ ମୁମ୍ବାଇ ପୋର୍ଟରେ ଏବଂ ଜଣେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡରେ ମୁତୟନ ରହିଥିଲେ । ଦିଲ୍ଲୀର ସଂକ୍ରମିତ ମାମଲା ମଧ୍ୟରୁ ଦିଲ୍ଲୀ ବିମାନବନ୍ଦରରେ ତିନି ଜଣ ଏବଂ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନରେ 19 ଜଣ ସୁରକ୍ଷାକର୍ମୀ କୋରୋନା ପଜିଟିଭ ରହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଦେଶରେ 1.62 ଲକ୍ଷରୁ ଅଧିକ ସିଆଇଏସ୍ଏଫ୍ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି । ଦେଶର ପରମାଣୁ ପ୍ରତିଷ୍ଠାନ, ବିମାନବନ୍ଦର, ପୋର୍ଟ , ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ସମ୍ବେଦନଶୀଳ ସରକାରୀ ଭବନ, ଶିଳ୍ପାନୁଷ୍ଠାନ, ଐତିହ୍ୟ ସ୍ମାରକୀ ସ୍ଥଳରେ ସିଆଇଏସଏଫ ଯବାନ ନିୟୋଜିତ ରହିଥାନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ସିଆଇଏସ୍ଏଫ୍ ଉପରେ ଦିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଦିଲ୍ଲୀ ମେଟ୍ରୋ , ଭିଆଇପି ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ସେବା ଅନ୍ତର୍ଭୁକ୍ତ ରହିଛି ।
@IANS