ଥିରୁଅନନ୍ତପୁରମ: ସ୍ମାର୍ଟ ଯୁଗର ସ୍ମାର୍ଟ ଚୋର । କାନ୍ଥରେ ଏକ ଛୋଟ ଗାତ ଖୋଳି 3.5 କିଲୋଗ୍ରାମର ସୁନା ଅଳଙ୍କାର ଚୋରି ନେଲେ ଚୋର। କେରଳ ତ୍ରିସୁର ଜିଲ୍ଲାର କାଇପାମଙ୍ଗଲାମରେ ଥିବା ଏକ ଅଳଙ୍କାର ଶୋ’ରୁମରେ ଏଭଳି ଉପାୟରେ ସୁନା ଚୋରି ହୋଇଥିବା ସୂଚନା ମିଳିଛି। ଚୋରମାନେ ଶୋ’ରୁମର କାନ୍ଥରେ ଏକ ଗାତ ଖୋଳି 3.5 କିଲୋଗ୍ରାମ ସୁନା ଚୋରି କରିଛନ୍ତି ।
ଶୁକ୍ରବାର ସକାଳେ ଶୋ’ରୁମ ଖୋଲିବା ପରେ ମାଲିକ ସଲିମ ଚୋରି ବିଷୟରେ ଜାଣିଥିଲେ। ଅଳଙ୍କାର ଶୋ’ରୁମ ଗୁରୁବାର ରାତି 9 ଟାରେ ବନ୍ଦ ହୋଇଥିଲା । ଏହାପରେ ଚୋରମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ଚୋରମାନେ ଅଳଙ୍କାର ଶୋ' ରୁମରେ ପ୍ରବେଶ କରିବା ପାଇଁ ଗୋଟିଏ କାନ୍ଥରେ 2 ଫୁଟର ଏକ ଗାତ ଖୋଳିଥିଲେ। ଏହାପରେ ସେମାନେ ନିଜ ଯୋଜନାକୁ ସଫଳ କରିଥିଲେ । ତେବେ ଚୋରି ପରେ ପ୍ରମାଣ ନଷ୍ଟ କରିବାକୁ ସେମାନେ ଶୋ’ରୁମରେ ଲଙ୍କା ଗୁଣ୍ଡ ଛିଞ୍ଚିଥିଲେ।
ତେବେ ଡିଏସପି ଭାର୍ଗେସଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡଗ୍ ସ୍କ୍ବାଡ ଏବଂ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ