ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ମଧ୍ୟରେ ଦେଇ ଗତ 10 ବର୍ଷ ମଧ୍ୟରେ 21 ହଜାରରୁ ଉର୍ଦ୍ଧ୍ବ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିବା ସଂସଦରେ ଗୃହମନ୍ତ୍ରାଳୟ ପକ୍ଷରୁ ଉତ୍ତର ରଖାଯାଇଛି । ନାଗରିକତା ଦିଆଯାଇଥିବା 21 ହଜାରଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶ ନାଗରିକ ।
ସଂସଦରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, 2010ରୁ 2019 ମଧ୍ୟରେ ପ୍ରାୟ 21 ହଜାର 408 ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି । ଏଥିରେ 15 ହଜାର କେବଳ ବାଂଲାଦେଶରୁ ହିଁ ଥିଲେ । 2015ରେ ଭାରତ-ବାଂଲାଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ବାଂଲାଦେଶର 53ତମ ଏନକ୍ଲେଭରେ ଭାରତ ସାମିଲ ହୋଇଥିଲା । ଏହିସମୟରେ ହିଁ ଏହି ବାଂଲାଦେଶୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯାଇଥିବା ସେ କହିଛନ୍ତି ।
ଅନ୍ୟପକ୍ଷେ 2016ରୁ 2018 ମଧ୍ୟରେ 286 ଲୋକ ଭାରତୀୟ ନାଗରିକତା ଛାଡିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଜ୍ୟସଭାରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି । 2016ରେ 19 ଜଣ, 2017ରେ 60ଜଣ ଓ 2018ରେ 22 ଅକ୍ଟୋବର ସୁଦ୍ଧା 207 ଭାରତୀୟ ନାଗରିକତା ଛାଡିଥିବା ନିଜ ଉତ୍ତରରେ କହିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ।