ହାଇଦ୍ରାବାଦ: 1999 ଜୁଲାଇ 26ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାର୍ଗିଲ ଦିବସ ଭାବେ ପାଳନ କରାଯାଇଥାଏ । ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା । 1999 ମେ 3ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଆଜି ହେଉଛି ଏହି ବିଜୟ ଦିବସର ବିଂଶତମ ବାର୍ଷିକୀ । ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଶହୀଦ ଯବାନଙ୍କୁ ମନେପକାଇବା ପାଇଁ ଜୁଲାଇ 26କୁ 20 ବର୍ଷ ହେଲା ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରେ 1999 ମେ-ଜୁଲାଇ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା । ପାକିସ୍ତାନ ଆର୍ମି ଚିଫ ଜେନେରାଲ ପରଭେଜ ମୁଶାରଫଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅଜାଣତରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଦିନ ଥିଲା ମେ 3 ତାରିଖ 1999 । ଛଦ୍ମବେଶୀ ପାକିସ୍ତାନ ସେନା ଭାରତର ଅନୁପ୍ରବେଶ କରିଥିବା ଖବର ଦେଇଥିଲେ ମେଷ ପାଳକ ।
ଶୀତ ଦିନେ ପ୍ରବଳ ବରଫପାତ ଫଳରେ ଦୁର୍ଗମ ପୋଷ୍ଟ ଛାଡି ଆସିଥିଲେ ଭାରତୀୟ ସେନା । ଏହାର ଫାଇଦା ନେଇ ଏଲଓସି ଅତିକ୍ରମ କରି 10ରୁ 40 କିଲୋମିଟର ଭିତରକୁ ପଶି ଆସି ଭାରତୀୟ ପୋଷ୍ଟ ଓ ବଙ୍କର ଅକ୍ତିଆର କରିଥିଲା ପାକିସ୍ତାନ ସେନା । ଲକ୍ଷ୍ୟ ଥିଲା ଲେହ, ଲଦାଖକୁ ସଂଯୋଗ କରୁଥିବା ଏନଏଚ୍ 1 ଡେଲଟା, ରାଷ୍ଟ୍ରୀୟ ରାଜମାର୍ଗକୁ ନିୟନ୍ତ୍ରଣରେ ନେବା ।
ହେଲେ ଶତ୍ରୁ ଉପରେ ଘାତକ ପ୍ରହାର କରିଥିଲା ଭାରତୀୟ ସେନା । ଗର୍ଜିଥିଲା ବୋଫର୍ସ କମାଣ । ଭାରତୀୟ ବାୟୁସେନାର ମିଗ୍-27, ମିଗ୍-29 ଯୁଦ୍ଧ ବିମାନ ଶତ୍ରୁ ଶିବିର ଉପରେ କରିଥିଲା ଆକାଶରୁ ଅଗ୍ନିବର୍ଷା । ନୌ -ସେନାର ପ୍ରୟାସ ବି ଥିଲା ଦୃଢ । ପ୍ରାଣକୁ ଖାତିର ନକରି କର ବା ମର ନୀତିରେ ଶତ୍ରୁ ଉପରେ ଆକ୍ରମଣ କରୁଥିଲେ ଭାରତୀୟ ବୀର ଯବାନ ।
ଶେଷରେ ଜୁଲାଇ 26 ତାରିଖରେ ସେନାର ବୀରତ୍ବ ଆଗରେ ଶତ୍ରୁ ହାତ ଟେକି ଦେଲା । ତୋଲେୋଲିଙ୍ଗ, ଦ୍ରାସ, ଟାଇଗର ହିଲ୍, ବାଟାଲିକ ସେକ୍ଟରରେ ଉଡିଲା ତ୍ରିରଙ୍ଗା । ସେନା ପକ୍ଷରୁ ସ୍ୱଷ୍ଟ କରାଯାଇଥିବା ସୂଚନା ଅନୁସାରେ ଏହି ଯୁଦ୍ଧରେ ଭାରତର 527 ଯବାନ ଶହୀଦ ହୋଇଥିବା ବେଳେ, 600ରୁ ଅଧିକ ପାକିସ୍ତାନୀ ନିହତ ହୋଇଥିଲେ । କାର୍ଗିଲ ବିଜୟ ପରେ ଭାରତୀୟ ସେନା 1999 ଜୁଲାଇ 26କୁ ବିଜୟ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲା ।
ଏହି ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍ ବିକ୍ରମ ବତ୍ରା, ରାଇଫଲମ୍ୟାନ୍ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଶହୀଦ ଯବାନଙ୍କ ଅଦମ୍ୟ ବୀରତ୍ବର କଥା, ଗାଥା ଚିର ଦିନ ପାଇଁ ସ୍ମରଣୀୟ । ବିଜୟ ଦିବସରେ ଶହୀଦ ଯବାନଙ୍କୁ ଶତ ଶତ ବାର ପ୍ରଣାମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ