ଲକ୍ଷ୍ନୌ: 2 ପାକିସ୍ତାନୀ ମହିଳାଙ୍କୁ ମିଳିଲା ଭାରତର ନାଗରିକତ୍ବ ଅଧିକାର । 30 ବର୍ଷର ଦୀର୍ଘ ଅପେକ୍ଷା ପରେ ଦୁହେଁ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ରହୁଥିବା ପାକିସ୍ତାନୀ ମହିଳା ରାଣା ମୁଖ୍ତାର ଏବଂ ଶହଲାଙ୍କୁ ଶନିବାର ଜିଲ୍ଲା ଏଡିଏମ ମହେନ୍ଦ୍ର କୁମାର ସିଂହ ଭାରତୀୟ ନାଗରିକତାର ପ୍ରମାଣ ପତ୍ର ହସ୍ତାନ୍ତର କରିଛନ୍ତି ।
ରାଣା ମୁଖ୍ତାର ଏବଂ ଶହଲା ବରେଲିରେ ବିବାହ କରି ଭାରତ ଆସିଥିଲେ । ରାଣା ମୁଖ୍ତାର 1887ରେ ବରେଲିର କାକର ଟୋଲାର ସୈୟଦ କମର ଅଲ୍ଲୀଙ୍କୁ ବିବାହ କରିଥିଲେ । ସେହିପରି ଶାହଲାଙ୍କ ବିବାହ 1990ରେ ବରେଲିର ଛିପିଟୋଲିର ରିସ ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ଦୁହେଁ ଭାରତ ଆସିଥିଲେ ସୁଦ୍ଧା ସେମାନଙ୍କୁ ନାଗରିକତ୍ବ ଅଧିକାରରୁ ବଞ୍ଚିତ ହେବାକୁ ପଡିଥିଲା । ନାଗରିକତ୍ବ ଅଧିକାର ପାଇଁ ସେମାନେ ଦୀର୍ଘ 30 ବର୍ଷ ହେବ ସଙ୍ଘର୍ଷ କରିଥିଲେ । ଶେଷରେ ସେମାନଙ୍କୁ ଏହି ଅଧିକାରପ୍ରାପ୍ତ ହୋଇଛି ।
ତେବେ ମୋଦି ସରକାରଙ୍କ ଡିଜିଟାଲୀକରଣ ଏହି ଅଧିକାର ପାଇବାରେ ଖୁବ୍ ସାହାଯ୍ୟ କରିଥିବା ସେମାନେ କହିଛନ୍ତି । ଡିଜିଟାଲ ଇଣ୍ଡିଆ ଦ୍ବାରା ସେମାନଙ୍କୁ ନାଗରିକତ୍ବ ହାସଲ କରିବାର ସମସ୍ୟ ଦସ୍ତାବିଜ୍ ସହଜରେ ମିଳିଯାଇଥିଲା ବୋଲି ସେମାନେ କହିଛନ୍ତି ।