ନୂଆଦିଲ୍ଲୀ: କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରି ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକାର ୧୭ ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ଗତକାଲି ଆଶ୍ବସ୍ତି ମିଳିବା ପରେ ଆଜି ସମସ୍ତ ବିଧାୟକ ବିଜେପିରେ ଯୋଗଦେଇଛନ୍ତି । ଆସନ୍ତା ଡିସେମ୍ବର ୫ରେ ହେବାକୁ ଥିବା ଉପ-ନିର୍ବାଚନରେ ସମସ୍ତ ୧୭ ଜଣ ଅଯୋଗ୍ୟ ବିଧାୟକ ବିଧାନସଭା ନିର୍ବାଚନ ଲଢିବେ ବିଜେପି ଟିକେଟରେ । ଏଥିପାଇଁ ନଭେମ୍ବର ୧୮ ସୁଦ୍ଧା ସେମାନେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।
ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ କର୍ଣ୍ଣାଟକ ଶାଖା ସଭାପତିଙ୍କ ଉପସ୍ଥିତିରେ ସମସ୍ତ 17 ଜଣ ବିଧାୟକ ଯୋଗଦେଇଛନ୍ତି । ଏମାନଙ୍କର ଯୋଗଦାନ ଆଗାମୀ ଦିନରେ ଦଳକୁ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।