ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଗ୍ରାଫ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦେଶ କୋରୋନା ସଂକ୍ରମଣରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ଏପରିସ୍ଥଳେ ଦେଶରେ କୋରୋନା ନମୁନା ପରୀକ୍ଷା ମାତ୍ରାରେ ଦ୍ରୁତ ବୃଦ୍ଧି କରିବା ପାଇଁ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଦେଶରେ ଯେତେ ଅଧିକ ଟେଷ୍ଟ ହେବ ସେତେ ଅଧିକ କୋରୋନାରୁ ରକ୍ଷା ମିଳିପାରିବ । ଏହିକ୍ରମରେ ଦେଶରେ କୋଭିଡ ନମୁନା ପରୀକ୍ଷା କ୍ଷମତା ଆଗାମୀ 12 ସପ୍ତାହରେ ଦିନକୁ 10 ଲକ୍ଷକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ଏମ୍ସର ରାଜକୁମାରୀ ଅମୃତ କୌର (RAK) OPD ବ୍ଲକ ଉଦଘାଟନ କରିବା ଅବସରରେ ସେ ଏନେଇ ସୂଚନା ଦେଇଛନ୍ତି ।
ଆସନ୍ତା 12 ସପ୍ତାହ ମଧ୍ୟରେ ଦିନକୁ 10 ଲକ୍ଷ ନମୁନା ପରୀକ୍ଷା ଦକ୍ଷତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଧୀରେ ଧୀରେ ଦେଶ ମହାମାରୀ ବିରୋଧରେ ଯୁଦ୍ଧ ଜିତିବା ଦିଗରେ ଗତି କରୁଛି ।
ସେ କହିଛନ୍ତି ଯେ କୋରୋନା ରୋଗୀଙ୍କ ମଧ୍ୟରୁ 2 ପ୍ରତିଶତରୁ କମ୍ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି ଅଛନ୍ତି । ଜାନୁଆରୀ 1 ରୁ ବର୍ତ୍ତମାନ 1,234 ପର୍ଯ୍ୟନ୍ତ ଲ୍ୟାବ ନେଟୱାର୍କକୁ କୋରୋନା ଟେଷ୍ଟିଂ ପାଇଁ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ 3.26 ଲକ୍ଷ ରୁ ଉର୍ଦ୍ଧ୍ବ କୋରୋନା ନମୁନା ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟରେ ଏହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ସେହିପରି କୋରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୦୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କୋରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୯୧୫ ହୋଇଛି । ଦେଶରେ ମୋଟ କୋରୋନା ସଂକ୍ରମଣ ରିପୋର୍ଟ 968876ରେ ପହଞ୍ଚିଛି ।