ଅଯୋଧ୍ୟା: ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ଦେଶଠୁ ନେଇ ବିଦେଶ ପର୍ଯ୍ୟନ୍ତ ସବୁଠାରେ ଲୋକ ଏହି ପ୍ରତିଷ୍ଠା ଦିନକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହାରି ଭିତରେ ପ୍ରଭୁ ରାମଙ୍କ ମନ୍ଦିର ପାଇଁ 400 କିଗ୍ରାର ଏକ ତାଲା ନିର୍ମାଣ କରୁଥିଲେ ଦମ୍ପତ୍ତି । ସେମାନଙ୍କର ଇଚ୍ଛା ଥିଲା ଯେ, ରାମ ମନ୍ଦିର ନିର୍ମାଣ ପରେ ସେମାନେ ଏହାକୁ ଅଯୋଧ୍ୟାକୁ ନେବେ । ଏହା ମଧ୍ୟରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ସେପଟେ ସ୍ବାମୀଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ ପତ୍ନୀ ଏହି ତାଲାକୁ ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ବରଙ୍କୁ ଦେଇଛନ୍ତି । ଏହାସହ ତାଲାର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରି ଏହାକୁ ଅଯୋଧ୍ୟାକୁ ପଠାଇବା ପାଇଁ ଆବେଦନ କରିଛନ୍ତି ।
ଉତ୍ତର ପ୍ରଦେଶ ଅଲିଗଡ଼ ଜିଲ୍ଲାର ସୁରେନ୍ଦ୍ର ନଗର ବାସିନ୍ଦା ସତ୍ୟ ପ୍ରକାଶ ଶର୍ମା ନିଜକୁ ଉତ୍ସର୍ଗୀକୃତ କରି ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଏକ 400 କିଗ୍ରାର ତାଲା ପ୍ରସ୍ତୁତ କରୁଥିଲେ । ତାଙ୍କୁ ଏହି କାର୍ଯ୍ୟରେ ପତ୍ନୀ ରୁକ୍ମିଣୀ ଦେବୀ ସହଯୋଗ କରୁଥିଲେ । ସତ୍ୟ ପ୍ରକାଶ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଏହାସହ ତାଙ୍କର ଏହି ବିଶେଷ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ଏବଂ ଯୋଗୀ ପ୍ରଶଂସା କରିଥିଲେ । ସେ ଏହି ବିଶାଳ ତାଲାକୁ ଜାନୁଆରୀ 22 ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ । ତାଲା ନିର୍ମାଣରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଭୁ ରାମଙ୍କ ଚିତ୍ର ମଧ୍ୟ ଏହି ତାଲା ଉପରେ ଖୋଦିତ କରାଯାଇଥିଲା । ଏହି ତାଲାକୁ ନେଇ ରାମ ଭକ୍ତମାନେ ମଧ୍ୟ ବହୁତ ଉତ୍ସାହିତ ଥିଲେ । କିନ୍ତୁ ଏହାରି ମଧ୍ୟରେ ସତ୍ୟ ପ୍ରକାଶ ଶର୍ମା ଗତ 11 ଡିସେମ୍ବର 2023 ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ଏହି କାରଣରୁ ତାଙ୍କର ଇଚ୍ଛା ପୂରଣ ହୋଇନଥିଲା ।
ଏହା ମଧ୍ୟ ପଢ଼ନ୍ତୁ.......ନୂଆ ରୂପରେ ଅଯୋଧ୍ୟା; ମେୟର କହିଲେ ଶେଷ ହୋଇଛି 179ଟି ପ୍ରକଳ୍ପ
ସେପଟେ ସ୍ବାମୀଙ୍କ ଅଧୁରା ଇଚ୍ଛାକୁ ପୂରଣ କରିବା ପାଇଁ ପତ୍ନୀ ରୁକ୍ମିଣୀ ଦେବୀ ସୋମବାର ଏହି ତାଲାକୁ ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ବର ଏବଂ ହିନ୍ଦୁ ମହାସଭାର ରାଷ୍ଟ୍ରିୟ ସଚିବ ଡ. ଅନ୍ନପୂର୍ଣ୍ଣା ଭାରତପୁରୀଙ୍କୁ ଦେଇଛନ୍ତି । ଏହାସହ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବର୍ତ୍ତମାନ ଏହି ତାଲାର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ଅସମର୍ଥ । ତେଣୁ, ଏହି ଅସମ୍ପୁର୍ଣ୍ଣ ତାଲାକୁ ନେଇ ଏହାର ନିର୍ମାଣ ଶେଷ କରି ଏହାକୁ ଅଯୋଧ୍ୟାରେ ପହଞ୍ଚାଇ ତାଙ୍କ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାକୁ କହିଛନ୍ତି । ସେପଟେ ତାଲାର ନିର୍ମାଣ କାର୍ଯ୍ୟ ଶେଷ କରି ଏହାକୁ ଅଯୋଧ୍ୟାକୁ ପଠାଇବା ପାଇଁ ମହାମଣ୍ଡଳେଶ୍ବର, ରୁକ୍ମିଣୀ ଦେବୀଙ୍କୁ ଆଶ୍ବାସନା ଦେଇଛନ୍ତି । ମହାମଣ୍ଡଳେଶ୍ବର କହିଛନ୍ତି ଯେ, ସେ 22 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବେ । ତାଲା ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିପାଇଁ କାରିଗରମାନେ ନିୟୋଜିତ ହୋଇଛନ୍ତି । ସେମାନେ ଦିନରାତି କାମ କରିୁଛନ୍ତି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହାକୁ ସମାପ୍ତ କରିବା ପରେ ଅଯୋଧ୍ୟାକୁ ନିଆଯିବ । ସେ ନିଜେ ଏହି ତାଲା ନେଇ ଅଯୋଧ୍ୟା ଯିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ