ମୁମ୍ବାଇ: ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପଟୋଲେଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ମହାରାଷ୍ଟ୍ରରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ସୁଟିଂରେ ସହଯୋଗ କରିବୁ କହି କଂଗ୍ରେସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅଠାୱଲେ । କିଛିଦିନ ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ବିଗ ବି ଓ ଅକ୍ଷୟ କୁମାରଙ୍କୁ ମହାରାଷ୍ଟ୍ରରେ ଫିଲ୍ମ ସୁଟିଂ ପାଇଁ ଅନୁମତି ନ ଦିଆଯିବାକୁ ଧମକ ଦେଇଥିଲେ । ଦେଶରେ ତୈଳ ବୃଦ୍ଧି ଘଟିବା ପରେ ବି ଏହି ଦୁଇ ଅଭିନେତାଙ୍କ ନୀରବତାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ପ୍ରଶ୍ନ ଉଠାଇଥିଲେ ।
ପୂର୍ବରୁ ୟୁପିଏ ତଥା ମନମୋହନ ସିଂଙ୍କ ସରକାର ସମୟରେ ଅମିତାଭ ଓ ଅକ୍ଷୟ ତୈଳ ଦର ବୃଦ୍ଧିକୁ ନେଇ ଟ୍ବିଟ କରିଥଲେ । ମାତ୍ର ଏବେ ଏହି ମାମଲାରେ ବଲିଉଡର ଏହି ଦୁଇ ଷ୍ଟାର ଚୁପ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ନାନା ପଟୋଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ