ଗୌହାଟୀ: ନିକଟରେ ଭାବୀସ୍ବାମୀଙ୍କୁ ବାନ୍ଧି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଙ୍ଘମ ଏବେ ପୁଣି ଚର୍ଚ୍ଚାରେ । ଆସାମ ନଅଗାଁ ଥାନାରେ ସବଇନ୍ସପେକ୍ଟର ଜୁନମୋନି ରାଭା ଦୁର୍ନୀତି ଜାଲରେ ଫସିଛନ୍ତି । ତାଙ୍କୁ ଦୁଇଦିନିଆ ପଚରାଉଚରା ପରେ ଗିରଫ କରାଯାଇ 14 ଦିନିଆ ନ୍ୟାୟିକ ହେପାଜତକୁ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୂର୍ବତନ ପ୍ରେମିକଙ୍କ ସହ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଏହା ବି ପଢନ୍ତୁ... ଦିନ କେଇଟା ପରେ ହାତ ଧରିଥାନ୍ତେ, ଭାବୀସ୍ବାମୀଙ୍କୁ ବାନ୍ଧିଲେ ମହିଳା ପୋଲିସ
ଦୁଇ କଣ୍ଟ୍ରାକ୍ଟର ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ରାଭା ମାଜୁଲିରେ ପୋଷ୍ଟ ହୋଇଥିବାବେଳେ ସେ ତାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ରାଣା ପୋଗାଗଙ୍କ ସହ ପରିଚିତ କରାଇଥିଲେ । ଏହା ପରେ ସେ ରାଣାଙ୍କ ସହିତ ଡିଲ୍ କରିଥିଲେ । ଏହି ଡିଲ୍ ବେଳେ କଣ୍ଟ୍ରାକ୍ଟରଙ୍କୁ ତାଙ୍କ ପ୍ରେମିକ ଠକିଥିବା ଅଭିଯୋଗ ହୋଇଥିଲା । ଏହାପରେ ରାଭା ପ୍ରେମିକ ପୋଗାଗଙ୍କ ବିରୋଧରେ ଏଫ୍ଆଇର ରୁଜୁ କରିଥିଲେ। ଏଥିରେ ONGC ରେ ଚାକିରି ଏବଂ କଣ୍ଟ୍ରାକ୍ଟ୍ରି ଦେବା ପ୍ରତିଶ୍ରୁତି କରି କିଛି ଲୋକଙ୍କୁ ଠକି ଥିବା ଅଭିଯୋଗ ହୋଇଥିଲା । ପରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ପୋଗାଗଙ୍କୁ ମାଜୁଲି ଜେଲରେ ରଖାଯାଇଛି ।
ସୂତ୍ରରୁ ପ୍ରକାଶ ଯେ, ଲେଡି ସିଙ୍ଘମ ରାଭାଙ୍କ ବିରୋଧରେ ପୋଗାଗଙ୍କ ସହ ମିଶି ଠକେଇ ଓ ଦୁର୍ନୀତି କରିଥିବା ନେଇ ଅନେକ ଅଭିଯୋଗ ରହିଛି। ଏହି ଅଭିଯୋଗକୁ ଆଧାର କରି ଉକ୍ତ ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଅକ୍ଟୋବରରେ ରାଭାଙ୍କ ପ୍ରେମିକ ପୋଗାଗଙ୍କ ସହ ନିର୍ବନ୍ଧ କରିଥିଲେ । ନଭେମ୍ବର ୨୦୨୨ରେ ଉଭୟ ବିବାହ କରିଥାନ୍ତେ । ତେବେ ଏହା ପୂର୍ବରୁ ପ୍ରମିକ ପୋଗାଗଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା । ତାଙ୍କୁ ଗିରଫ କରିଥିଲେ ରାଭା । ଏ ଦୁର୍ନୀତିରେ ଲେଡି ସିଙ୍ଘମଙ୍କ ହାତ ଥିବା ଜଣାପଡିଛି ।