ଗୌହାଟୀ: ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ଡଙ୍ଗା ଦୁର୍ଘଟଣା । ଆଜିବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏନଡିଆରଏଫ ଓ ଏସଡିଆରଏଫ ଦ୍ବାରା ଉଦ୍ଧାର ଅପରେସନକୁ ଜୋରଦାର କରାଯାଉଛି । ଏପରିକି ବାୟୁସେନାର ହେଲିକପ୍ଟର ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଏହି ଡଙ୍ଗା ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଏବେବି ନିଖୋଜ ରହିଛନ୍ତି । ଜୋରହାଟ ଡଙ୍ଗା ଦୁର୍ଘଟଣାରେ ଉଦ୍ଧାର ସମସ୍ତଙ୍କ ବିବରଣୀ ରହିଛି । ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ବୋଲି ସୂଚନା ଦେଇଛନ୍ତି ଡେପୁଟି କମିଶନର ଅଶୋକ କୁମାର ବରମନ ।
ସେପଟେ ଗୁରୁବାର ଦିନ ଏହି ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏହାସହ ସେମାନଙ୍କ ସ୍ବାସ୍ଥବସ୍ଥା ମଧ୍ୟ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ରହିଛନ୍ତି । ୮ ଜଣ ଗୁରୁତର ଥିବା ଯାତ୍ରୀଙ୍କୁ ବର୍ତ୍ତମାନ ଜୋରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ବୁଧବାର ଦିନ ଗୋଟିଏ ମୋଟର ବୋଟ ଯାତ୍ରୀଙ୍କୁ ନେଇ ମଞ୍ଜୁଲୀରୁ ନିମାତିଘାଟ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବୋଟ ନିମାତିଘାଟରୁ ଫେରୁଥିଲା । ଏହି ସମୟରେ ନଦୀ ମଝିରେ ଦୁଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଟ ଦୁଇଟି ବୁଡିଯାଇଥିଲା । ଉଭୟ ବୋଟରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୁଆଙ୍କୁ ମିଶାଇ ୧୨୦ ଜଣ ଯାତ୍ରୀ ରହିଥିଲେ ।
@ANI