“କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ କୃଷି ନୀତି କୃଷକମାନଙ୍କୁ ଅଧିକ ସଙ୍କଟ ଘେରକୁ ଟାଣି ନେବା ଭଳି ମନେହୁଏ । ସମ୍ପ୍ରତି ସଙ୍କଟରେ ପଡିଥିବା କୃଷକମାନଙ୍କୁ ଉଦ୍ଧାର କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଥିବା ବେଳେ, ଏହି ନୂତନ ଆଇନ କାରଣରୁ କୃଷକମାନେ ବଡ଼ ବଡ଼ ବ୍ୟାବସାୟିକ ସଂସ୍ଥା ଏବଂ କମ୍ପାନୀର ଦୟାର ପାତ୍ର ହୋଇ ରହିଯିବେ ।” ଏହା କହନ୍ତି ବିଖ୍ୟାତ କୃଷି ଅର୍ଥନୀତିଜ୍ଞ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡି.ନରସିଂହା ରେଡ୍ଡି ।
ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ୍ ସୋସିଆଲ୍ ସାଇନ୍ସେସ୍ର ଡିନ୍ ଏବଂ ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ପଦବୀରୁ ଅବସର ନେବା ପରେ ପ୍ରଫେସର ରେଡ୍ଡି ଏବେ ଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ଡେଭଲପ୍ମେଣ୍ଟରେ ଭିଜିଟିଂ ପ୍ରଫେସର ରୂପେ କାର୍ଯ୍ୟରତ । 2005 ଏବଂ 2016 ମସିହାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ କୃଷି କମିଶନରେ ସେ ସଦସ୍ୟ ରହିଥିଲେ । ଅନେକ ଗବେଷଣା ଆଧାରିତ ଲେଖାର ପ୍ରଣେତା ପ୍ରଫେସର ନରସିଂହା ରେଡ୍ଡି, ସମ୍ପ୍ରତି ପ୍ରଣୀତ ନୂତନ କୃଷି ଆଇନ ସଂପର୍କରେ ଈଟିଭି ଭାରତକୁ ନିଜସ୍ବ ମତାମତ ଦେଇଛନ୍ତି । ଏଠାରେ ବିସ୍ତୃତ ବିବରଣୀ ପ୍ରଦାନ କରାଗଲା ।
- କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଯୋଗୁଁ କୃଷକମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ?
ନୂତନ କୃଷି ଆଇନଗୁଡ଼ିକ କୃଷକଙ୍କ ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଧକ୍କା ସଦୃଶ ହେବ । କୃଷକଙ୍କ ସ୍ବାର୍ଥର ସୁରକ୍ଷା ନିମନ୍ତେ ସରକାର କୃଷିଭିତ୍ତିକ ବଜାରର ବିକାଶ କରିବେ ବୋଲି ଆଶା କରାଯାଉଥିବା ବେଳେ ସରକାର କୃଷି ବଜାର ବ୍ୟବସ୍ଥାକୁ ନିୟନ୍ତ୍ରଣ ବିହୀନ କରିବା ଦିଗରେ ଆଇନ ପ୍ରଣୟନ କରିଛନ୍ତି । ଏହା ବାସ୍ତବରେ ବିପଜ୍ଜନକ । ଦେଶର ସଂଖ୍ୟାଗରିଷ୍ଠ କୃଷକମାନଙ୍କ ପାଇଁ ଏହା ଆଦୌ ଲାଭଦାୟକ ହେବ ନାହିଁ ।
ଆଜି ପର୍ଯ୍ୟନ୍ତ ଆମ ପାଖରେ ନ୍ୟୂନତମ ସମର୍ଥନ ମୂଲ୍ୟ ପ୍ରଦାନ କରୁଥିବା ଏକ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ରହିଆସିଥିଲା । ନୂତନ ନୀତି ସମୂହ ଯୋଗୁଁ କୃଷି ଉତ୍ପାଦର ଦର ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଓ ଯୋଗାଣ ସ୍ଥିତି ନିର୍ଣ୍ଣାୟକ ହେବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନକୁ ଅପ୍ରାସଙ୍ଗିକ କରିଦିଆଯାଇଛି । ବେଆଇନ ସାମଗ୍ରୀ ମହଜୁଦ ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଏକ ଅମୋଘ ଅସ୍ତ୍ର ଥିଲା । କମ ଦରରେ ଅସୀମ ପରିମାଣର ସାମଗ୍ରୀ କିଣି ବେଆଇନ ଭାବେ ମହଜୁଦ ରଖିବା ଭଳି ଅନୈତିକ ବାଣିଜ୍ୟିକ ପ୍ରଥା କବଳରୁ ଏହା ଚାଷୀ ଓ ଉପଭୋକ୍ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା ।
ଅନିୟନ୍ତ୍ରିତ ବଜାର ବ୍ୟବସ୍ଥାର ଫାଇଦା ସକାଶେ ଏହି ଆଇନକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି । ଏହି ସବୁ ନୂତନ ଆଇନ ଲାଗୁ କରାଗଲେ ସରକାରୀ ପୁଞ୍ଜିନିବେଶ ହ୍ରାସ ପାଇବ। ସବୁ ନୀତିନିୟମ ଉଠିଯିବ । ଭାରତୀୟ ଖାଦ୍ୟ ନିଗମ ବା ଏଫ୍ସିଆଇର ଭୂମିକା ସୀମିତ ହୋଇଯିବ । କୃଷି ଉତ୍ପାଦ କିଣିବାର ଅଧିକାର ସଂପୂର୍ଣ୍ଣ ରୂପେ ଘରୋଇ ସଂସ୍ଥା ହାତରେ ରହିବ । ଶସ୍ୟ କିଣିବାଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ପର୍ଯ୍ୟନ୍ତ, କୃଷି ଉତ୍ପାଦ ସହ ସଂପର୍କିତ ସବୁ କାର୍ଯ୍ୟକଳାପ ବଡ଼ ବଡ଼ ବ୍ୟବସାୟୀଙ୍କ ଇଙ୍ଗିତରେ ପରିଚାଳିତ ହେବ ।
ସେମାନେ ଏହି କୃଷି ଉତ୍ପାଦକୁ ଅଧିକ ଦରରେ ବିକିବା ପାଇଁ କେବଳ କୌଣସି ନା କୌଣସି ବ୍ରାଣ୍ଡ୍ର ନାଁ ଯାହା ଦେବେ । କୃଷି କ୍ଷେତ୍ରର ମୌଳିକ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗ ଧୀରେ ଧୀରେ କମିଯିବ । ଏକଥା ସମସ୍ତେ ଜାଣନ୍ତି ଯେ, ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ପ୍ରକ୍ରିୟାକରଣ କାରଖାନା ନିୟନ୍ତ୍ରଣ କରୁଥିବା ସଂଗଠନ କିମ୍ବା ବ୍ୟକ୍ତିମାନେ ହିଁ କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରନ୍ତି ।
ନୂତନ ଆଇନ ଲାଗୁ ହେଲେ ଯେଉଁ ସବୁ ଘରୋଇ ପଣ୍ୟାଗାର ଗଢ଼ି ଉଠିବ, ସେମାନେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ରଖିବା ପାଇଁ ମନଇଚ୍ଛା ଏବଂ ଅତ୍ୟଧିକ ଦର ଦାବି କରିବେ । ଯଦି ଚାଷୀ ଏହି ପଣ୍ୟାଗାରରେ ନିଜ ଉତ୍ପାଦ ରଖି ବିକ୍ରି ଦର ବଢ଼ିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ତେବେ ସେ ଚାଷବାସରେ ବିନିଯୋଗ କରିଥିବା ଅର୍ଥ ତୁଳନାରେ ଅଧିକ କିଛି ପାଇବେ ନାହିଁ । ପଣ୍ୟାଗାର ଯଦି ସରକାରଙ୍କ ନିୟନ୍ତ୍ରଣରେ ରହେ, ତେବେ ଚାଷୀମାନେ ସେମାନଙ୍କୁ ପୋଷେଇଲା ଭଳି ଦରରେ ଉତ୍ପାଦିତ ସାମଗ୍ରୀ ରଖିପାରିବେ । ପଣ୍ୟାଗାରରେ ମହଜୁଦ ଥିବା ସାମଗ୍ରୀ ଭିତ୍ତିରେ ସେମାନେ ଋଣ ବି ପାଇପାରିବେ । ନୂତନ ଆଇନ ଯୋଗୁଁ ଏହି ସବୁ ସୁବିଧା ସୁଯୋଗ ଅସମ୍ଭବ ହୋଇଯିବ ।
- ନୂତନ ଆଇନ ବଳରେ ଚାଷୀ ତାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ଯେ କୌଣସି ବଜାରରେ ଉପଯୁକ୍ତ ମୂଲ୍ୟ ବିନିମୟରେ ବିକ୍ରି କରିପାରିବେ । ଏହା ଚାଷୀଙ୍କ ପାଇଁ କ୍ଷତିର କାରଣ ହେବ ବୋଲି ଆପଣ କେମିତି କହିବେ ?
ଦେଶର ପ୍ରାୟ 85 ପ୍ରତିଶତ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ବର୍ଗ ଅନ୍ତର୍ଭୁକ୍ତ । ବଜାର ଯଦି ଗାଁଠାରୁ ବହୁ ଦୂରରେ ହୋଇଥିବ, ତେବେ ଚାଷୀ ତାଙ୍କ ଗାଁର ବେପାରୀଙ୍କୁ ହିଁ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିଦେବେ । ଭଲ ଦରରେ ବିକିବା ଲାଗି ଏହି ଚାଷୀମାନେ କିଭଳି ନିଜ ସାମଗ୍ରୀକୁ ଦୂରବର୍ତ୍ତୀ ସ୍ଥାନକୁ ନେଇପାରିବେ ? ଜଣେ ନାମମାତ୍ର ଚାଷୀ ତାଙ୍କ ଦ୍ବାରା ଉତ୍ପାଦିତ 10 କୁଇଣ୍ଟାଲ ଧାନ କି 10 ବସ୍ତା କପାକୁ ଦୂର ସ୍ଥାନରେ ଥିବା ବଜାରକୁ ବୋହି ନେବା ପାଇଁ କେମିତି ଗୋଟିଏ ଟ୍ରାକ୍ଟର ଲଗାଇ ପାରିବେ ? ସେହି ବଜାରରେ ଭଲ ଦର ପାଇବା ପର୍ଯ୍ୟନ୍ତ ଏଭଳି ଜଣେ ଚାଷୀ ଅପେକ୍ଷା କରିପାରିବେ କି ? ଆଜି ମଧ୍ୟ ତେଲଙ୍ଗାନାର ଚାଷୀମାନେ ଭଲ ଦର ପାଇବା ପାଇଁ ନିଜ ଉତ୍ପାଦିତ ସାମଗ୍ରୀକୁ ଅଧିକ ଦୂରବର୍ତ୍ତୀ ବଜାରକୁ ନେଇ ବିକ୍ରି କରିବା ସ୍ଥିତିରେ ନାହାନ୍ତି । କୃଷି ବଜାରର ମଣ୍ଡିଗୁଡ଼ିକ ବନ୍ଦ ହୋଇଗଲେ ଚାଷୀଙ୍କ ଅବସ୍ଥା ଦୟନୀୟ ହୋଇଯିବ ।
- କେନ୍ଦ୍ର ସରକାର କହୁଛନ୍ତି ଯେ, ଏହି ସବୁ ନୂତନ ଆଇନ ଯୋଗୁଁ କେବଳ ପଞ୍ଜାବ ଓ ହରିଆଣାରେ କାର୍ଯ୍ୟରତ କମିଶନ ଏଜେଣ୍ଟମାନଙ୍କ ବ୍ୟତୀତ କୌଣସି ଚାଷୀ କ୍ଷତି ସହିବେ ନାହିଁ । ଆପଣ କ’ଣ କହନ୍ତି ?
ତାହା ଆଦୌ ସତ ନୁହେଁ । ସାରା ଦେଶରେ ଏହି ଆଇନଗୁଡ଼ିକର କୁପ୍ରଭାବ ଅନୁଭୂତ ହେବ । ପଞ୍ଜାବର ସମସ୍ୟା କିଛିଟା ଭିନ୍ନ । ପଞ୍ଜାବରେ ମୋଟ ଫସଲରୁ ପ୍ରାୟ 85 ପ୍ରତିଶତ ଧାନ ଓ ଗହମ । ସେମାନଙ୍କ ଦ୍ବାରା ଉତ୍ପାଦିତ ପାଖାପାଖି 95 ପ୍ରତିଶତ ସାମଗ୍ରୀ ବାବଦରେ ସେମାନେ ନ୍ୟୂନତମ ସମର୍ଥନ ମୂଲ୍ୟ ପାଆନ୍ତି । ପଞ୍ଜାବରେ ବଦଳ ଚାଷ କହିଲେ ଗହମ ପରେ ଧାନଚାଷ କରିବାକୁ ବୁଝାଏ । ଏହି ଫସଲ ବାବଦରେ ନିୟମିତ ଭାବେ ନ୍ୟୂନତମ ସମର୍ଥନ ମୂଲ୍ୟ ପାଉଥିବାରୁ ସେମାନେ ଏହି ଚାଷ କରନ୍ତି । ବିଡ଼ମ୍ବନାର କଥା ଯେ, ପଞ୍ଜାବର ଚାଷୀମାନେ ଧାନଚାଷ କରନ୍ତି, କିନ୍ତୁ ଏହାକୁ ଖାଦ୍ୟ ରୂପରେ ବ୍ୟବହାର କରନ୍ତି ନାହିଁ । ନିଜ ଘର ପାଇଁ କିଛି ନ ରଖି ପୂରା ଫସଲକୁ ସେମାନେ ବିକି ଦିଅନ୍ତି । ଅନ୍ୟ ରାଜ୍ୟର ସ୍ଥିତି ଏକାଭଳି ନୁହେଁ । ଚାଷୀମାନେ ନିଜ ଆବଶ୍ୟକତା ପୂରଣ ପାଇଁ ସାଇତି ରଖି ସାରିବା ପରେ ବଳକା ଧାନକୁ ବିକ୍ରି କରନ୍ତି ।
ଆନ୍ଧ୍ର ପ୍ରଦେଶର 40 ପ୍ରତିଶତ ଜମିରେ ଧାନ ବୁଣା ହୁଏ । ତେଲଙ୍ଗାନାରେ ବ୍ୟାପକ କପାଚାଷ ହେଉଥିଲେ ହେଁ ଗତ ବର୍ଷ ଏବଂ ଏ ବର୍ଷ ଧାନବୁଣା ଅନେକାଂଶରେ ବୃଦ୍ଧି ପାଇଛି । ଏ ସମସ୍ୟା କେବଳ ଧାନ ଓ ଗହମ ଚାଷୀଙ୍କ କ୍ଷେତ୍ରରେ ସୀମିତ ହୋଇ ରହିନାହିଁ । ମୁଁ ଆପଣଙ୍କୁ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲା କଥା କହୁଛି, ଯେଉଁଠାରେ ଚୀନାବାଦାମ ହିଁ ମୁଖ୍ୟ ଫସଲ । ଗତ କେଇ ଦଶନ୍ଧି ହେଲା ଆମେ ଶୁଣି ଆସୁଛୁ ଯେ ଚୀନାବାଦମ ବଦଳରେ ଅନ୍ୟ କୌଣସି ବିକଳ୍ପ ଫସଲକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ସେହି ଜିଲ୍ଲାର ଚାଷୀମାନେ ବିକଳ୍ପ ଫସଲ ରୂପରେ ଅମୃତଭଣ୍ଡା ଏବଂ ଅନ୍ୟାନ୍ୟ ଉଦ୍ୟାନଜାତ ଫସଲକୁ ଆପଣେଇ ନେଇଛନ୍ତି । ଏହି ସବୁ ଫସଲ ବାବଦରେ ଚାଷୀମାନଙ୍କୁ ଯଥେଷ୍ଟ ମୂଲ୍ୟ ମିଳୁନାହିଁ । ମହଜୁଦ କରିବା ଏବଂ ବଜାରରେ ବିକ୍ରି କରିବା ଲାଗି କୌଣସି ବନ୍ଦୋବସ୍ତ ନାହିଁ । ତେଲଙ୍ଗାନାରେ କପା ପାଇଁ ସମର୍ଥନ ମୂଲ୍ୟ ରହିଛି । ତଥାପି, କପାଚାଷୀମାନେ ସବୁ ବର୍ଷ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ସ୍ଥିତିକୁ ସୁଧାରିବା ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ସରକାର ଏମିତି ଆଇନ ପ୍ରବର୍ତ୍ତନ କଲେ ଯେ ବଜାର ନିୟନ୍ତ୍ରଣ ବିହୀନ ହୋଇଯିବା କାରଣରୁ ଘରୋଇ ସଂସ୍ଥା ହାତକୁ ଚାଲିଯିବ । ଏହି ଆଇନର କୁପ୍ରଭାବ ସବୁ ରାଜ୍ୟରେ ଅନୁଭୂତ ହେବ ।
- କୁହାଯାଉଛି ଯେ, ନୂତନ ଆଇନ ଯୋଗୁଁ ଦୁଇ ପ୍ରକାର ବଜାର ସୃଷ୍ଟି ହେବ । ଏହା ବି କୁହାଯାଇଛି ଯେ ସେ କ୍ଷେତ୍ରରେ ଭିନ୍ନ ଭିନ୍ନ ନୀତି ଲାଗୁ ହେବ । ଏହା କେମିତି ସମ୍ଭବ ହେବ ?
ହଁ, କୃଷି ବଜାର କମିଟି ଗଠିତ ହେବ । ହେଲେ ବଜାର ପରିଚାଳିତ ମଣ୍ଡି ବାହାରେ ଜିନିଷ କିଣିବା ଲାଗି ବେସରକାରୀ ବ୍ୟକ୍ତିମାନଙ୍କୁ ଅନୁମତି ପ୍ରଦାନ କରାଯିବ । ଏହାର ଅର୍ଥ ସେଠାରେ ଦୁଇ ପ୍ରକାର ବଜାର ରହିବ । ବେସରକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ନ୍ୟୂନତମ ସମର୍ଥନ ମୂଲ୍ୟ କିପରି ଲାଗୁ କରାଯିବ ? କେନ୍ଦ୍ର ସରକାର ଏମିତି କିଛି ଆଇନ ପ୍ରଣୟନ କରିନାହାନ୍ତି ଯେ ଯାହା ବଳରେ ବ୍ୟବସାୟୀମାନେ ଏକ ନିର୍ଦ୍ଧାରିତ ମୂଲ୍ୟରେ କୃଷିଜାତ ସାମଗ୍ରୀ କିଣିବାକୁ ବାଧ୍ୟ ହେବେ । ତା ବଦଳରେ ନୂଆ ଆଇନରେ ମୁକ୍ତ ବଜାର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ବଜାର ପରିସର ଭିତରେ ନିୟନ୍ତ୍ରିତ ବଜାର ଓ କାରବାର ରହୁଥିବା ବେଳେ ଏହା ବାହାରେ ଅନିୟନ୍ତ୍ରିତ ବଜାର କାର୍ଯ୍ୟ କରିବ । ପ୍ରତିଟି ବଜାର ପାଇଁ ଭିନ୍ନ ଭିନ୍ନ ନୀତି ଲାଗୁ ହେବ । ଏହା ଫଳରେ ବ୍ୟବସାୟୀମାନେ ନିୟନ୍ତ୍ରିତ ବଜାରକୁ ଛାଡ଼ି ଅନିୟନ୍ତ୍ରିତ ବଜାରରେ କାରବାର କରିବାକୁ ପସନ୍ଦ କରିବେ । ବର୍ତ୍ତମାନର ବଜାର ମଣ୍ଡିରେ ବ୍ୟବସାୟୀମାନେ ଚାଷୀଙ୍କଠାରୁ ଭିନ୍ନ ଭିନ୍ନ ଦରରେ ସାମଗ୍ରୀ କିଣିବାକୁ କେନ୍ଦ୍ର କରି ପରସ୍ପର ସହ ମୁହାଁମୁହିଁ ହେଉଥିବା ଅଭିଯୋଗ ହେଉଛି । ଏହି ଆଇନ ଲାଗୁ ହେବା ପରେ ସେମାନେ ସେହି କାମକୁ ବଜାର ବାହାରେ କରିବେ । ବଜାର ପରିସରରେ ବିଶୃଙ୍ଖଳା ହେଲେ ଆମେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବୁ । କିନ୍ତୁ କୃଷି ବଜାର ପରିସର ବାହାରେ କିଛି ଘଟୁଥିଲେ ସେ ସଂପର୍କରେ କେହି କୌଣସି ଅଭିଯୋଗକୁ ଶୁଣିବେ ନାହିଁ ।
ବଜାର ପରିଚାଳିତ ମଣ୍ଡି ବାହାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଦର, ଓଜନ, ନିହିତ ଜଳୀୟ ଅଂଶ ପରିମାଣ, ଗ୍ରେଡ୍ ନିରୂପଣ ଇତ୍ୟାଦି କ୍ଷେତ୍ରରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏବେ ବିଭିନ୍ନ ଆଦିବାସୀ ଅଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଚାଷୀମାନଙ୍କୁ ଏଭଳି ଶୋଷଣ କରାଯାଉଛି । ନୂଆ ଆଇନ ଲାଗୁ ହେଲେ ସବୁ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେବେ । ନୂତନ କୃଷି ନୀତିରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କୃଷି ବଜାର ବା ମଣ୍ଡି ଉଚ୍ଛେଦ ନକରି ସରକାର ନ୍ୟୂନତମ ସମର୍ଥନ ମୂଲ୍ୟ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । କେବଳ ପଞ୍ଜାବ, ହରିଆଣା ଏବଂ ପୂର୍ବ ଉତ୍ତର ପ୍ରଦେଶକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ କୃଷିଜାତ ଦ୍ରବ୍ୟ ବିପଣନ କମିଟି (ଏପିଏମ୍ସି) ପକ୍ଷରୁ ଚାଷୀମାନଙ୍କ ପାଖରୁ ମାତ୍ର 20 ପ୍ରତିଶତ ଉତ୍ପାଦ କ୍ରୟ କରାଯାଏ । ତଥାପି, ସେତିକି ସାମଗ୍ରୀ ପାଇଁ ହେଲେ ବି ଚାଷୀମାନେ ନ୍ୟୂନତମ ସମର୍ଥନ ମୂଲ୍ୟ ଦାବି କରିବାକୁ ସମର୍ଥ । ନୂଆ ଆଇନ ଲାଗୁ ହେଲେ, ସରକାର କହିବେ କି ନ୍ୟୂନତମ ସମର୍ଥନ ମୂଲ୍ୟ ରହିଛି ସତ, ହେଲେ ନିୟନ୍ତ୍ରଣମୁକ୍ତ ବଜାରରେ ଏହାକୁ ଲାଗୁ କରାଯାଇ ପାରିବ ନାହିଁ ।
- କେନ୍ଦ୍ର ସରକାର କହୁଛନ୍ତି କି ପୂର୍ବତନ ୟୁପିଏ ସରକାର ସ୍ବାମୀନାଥନ୍ କମିଟି ରିପୋର୍ଟକୁ ଏଡ଼ାଇ ଯାଇଥିବା ବେଳେ ସେମାନେ ଏହାକୁ ସଂପୂର୍ଣ୍ଣ ଭାବରେ ଲାଗୁ କରିଛନ୍ତି ?
ଏହା ସଂପୂର୍ଣ୍ଣ ମିଥ୍ୟା ପ୍ରଚାର । ସ୍ବାମୀନାଥନ୍ ଯେଉଁ ସବୁ ପ୍ରସ୍ତାବ ଦେଇଥିଲେ ଆଜି ସେବୁର ସଂପୂର୍ଣ୍ଣ ବିପରୀତ ଘଟୁଛି । ନ୍ୟୂନତମ ସମର୍ଥନ ମୂଲ୍ୟ କିପରି ହିସାବ କରିବାକୁ ହେବ ସେ ସଂପର୍କରେ କମିଶନ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଏବଂ ଏଥିରେ ଅଧିକ 50 ପ୍ରତିଶତ ଯୋଗ କରି ଚାଷୀମାନଙ୍କୁ ସାମଗ୍ରୀର ଦର ଦେବାକୁ ସୁପାରିସ କରିଥିଲେ । ଦର ହିସାବ କ୍ଷେତ୍ରରେ ସେମାନେ କମିଶନଙ୍କ ପ୍ରସ୍ତାବକୁ ବିକୃତ କରି ଦର୍ଶାଉଛନ୍ତି । ଏହା କିପରି କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା ସହିତ ସମାନ ହେବ ? କୃଷିଜାତ ସାମଗ୍ରୀର ଦର ନିର୍ଦ୍ଧାରଣ କ୍ଷେତ୍ରରେ ଚାଷୀଙ୍କ ପୁଞ୍ଜି ବିନିଯୋଗ ଉପରେ ସୁଧ ଏବଂ ଜମି ଉପଯୋଗ ବାବଦ ମୂଲ୍ୟ ସମେତ ସମସ୍ତ ବିଷୟ ବିଚାର କରି କମିଶନ ଦର ନିର୍ଦ୍ଧାରଣ କରିଥିଲେ । ସ୍ବାମୀନାଥନ କମିଶନଙ୍କ ସୁପାରିସ କେବଳ ନ୍ୟୂନତମ ସମର୍ଥନ ମୂଲ୍ୟ ନିର୍ଦ୍ଧାରଣରେ ସୀମିତ ନୁହେଁ । ପଣ୍ୟାଗାର ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁଯୋଗ ସଂପର୍କରେ ମଧ୍ୟ କମିଶନ ଅନେକ ସୁପାରିସ କରିଛନ୍ତି । କେନ୍ଦ୍ର ଏବେ ଯାହା କରୁଛି, ତାହା କମିଶନଙ୍କ ସୁପାରିସର ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ।
- ଏହି ସବୁ ଆଇନ କୃଷକମାନଙ୍କ ସପକ୍ଷରେ ହୋଇ ନଥିବାରୁ ବିଭିନ୍ନ ରାଜ୍ୟ ସରକାର ଏଗୁଡ଼ିକୁ ଲାଗୁ ନକରି ସ୍ଥଗିତ ଅବସ୍ଥାରେ ରଖିପାରିବେ କି ?
ଏଥିରେ ରାଜ୍ୟ ସରକାରମାନଙ୍କର କୌଣସି ଭୂମିକା ନାହିଁ । କୃଷି ଏକ ରାଜ୍ୟ ଅଧୀନରେ ଥିବା ବିଷୟ । ବିହନ ଯୋଗାଣରୁ ଆରମ୍ଭ କରି ଶସ୍ୟ କିଣିବା ପର୍ଯ୍ୟନ୍ତ, ସବୁ କିଛି ରାଜ୍ୟ ସରକାରଙ୍କ କାର୍ଯ୍ୟ ପରିସରଭୁକ୍ତ । କିନ୍ତୁ, କେନ୍ଦ୍ର ସରକାର ତାଙ୍କ ସପକ୍ଷରେ ଥିବା ଏକ ଆଇନର ସୁଯୋଗ ନେଇ ଏହି ନୂତନ ଆଇନଗୁଡ଼ିକ ପ୍ରଣୟନ କରିଛନ୍ତି । ପୂର୍ବରୁ କେନ୍ଦ୍ର ପକ୍ଷରୁ ଏକ ଆଦର୍ଶ ନୀତି ପ୍ରସ୍ତୁତ କରାଯାଇ ଏହାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥିଲା ଏବଂ କୌଣସି ନୂତନ ଆଇନ ପ୍ରଣୟନ କରିବାକୁ ହେଲେ ଏହି ନୀତି ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଥିଲା । ହେଲେ ପୂର୍ବ ପ୍ରଥାର ବିରୁଦ୍ଧାଚରଣ କରି କେନ୍ଦ୍ର ସରକାର ନିଜେ ହିଁ ଏହି ସବୁ ନୂତନ ଆଇନ ପ୍ରଣୟନ କରିଛନ୍ତି । ରାଜ୍ୟ ସରକାରମାନେ ଏହାକୁ ଅନୁସରଣ କରିବେ । ବିହନ ହେଉ କି ସାର, ଶସ୍ୟ ଋଣ ହେଉ କି ଶସ୍ୟକିଣା କି ଆଉ ଯାହା କିଛି, ଚାଷୀ ନିଜର ସବୁ ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । କେନ୍ଦ୍ର ସରକାର ରାଜ୍ୟର କ୍ଷମତାରେ ହସ୍ତକ୍ଷେପ କରୁଛନ୍ତି । ନିୟନ୍ତ୍ରିତ ବଜାର ନ ରହିଲେ ରାଜ୍ୟ ସରକାରଙ୍କର ମଧ୍ୟ କୌଣସି ନିୟନ୍ତ୍ରଣ ରହିବ ନାହିଁ।
କେନ୍ଦ୍ର ପକ୍ଷରେ ଏଭଳି କରିବା ଆଦୌ ସମୀଚୀନ ନୁହେଁ, ଯେମିତି କି ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ । କେନ୍ଦ୍ର ସରକାର ଏଭଳି କେତେକ ନୂତନ ବ୍ୟାବସାୟିକ କେନ୍ଦ୍ର ସୃଷ୍ଟି କରିଛନ୍ତି, ଯେଉଁଗୁଡ଼ିକ କି କୃଷି ବଜାର କମିଟିର କାର୍ଯ୍ୟ ପରିସର ଭିତରେ ରହିନାହିଁ । ଏଥିପାଇଁ କେତେକ ରାଜ୍ୟ ସରକାର ଯୁକ୍ତି କରୁଛନ୍ତି ଯେ, ଯେଉଁ ସବୁ ସ୍ଥାନରେ କୃଷିଜାତ ସାମଗ୍ରୀ ବିକ୍ରି ହେବ, ସେସବୁ କୃଷି ବଜାର କମିଟିର କାର୍ଯ୍ୟ ପରିସରଭୁକ୍ତ ହୋଇ ରହିବ । ନୂତନ ଆଇନ ଗଢ଼ିବା ସମୟରେ କେନ୍ଦ୍ର ସରକାର କୃଷକମାନଙ୍କ ପରାମର୍ଶ ଲୋଡ଼ିନାହାନ୍ତି । ଏମିତି କି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିନାହାନ୍ତି । ଆସନ୍ତାକାଲି କେବଳ ଚାଷୀମାନେ ହିଁ ସଂକଟରେ ପଡ଼ିବେ । ବିଭିନ୍ନ ରାଜ୍ୟକୁ ଏହାର ପରିଣତି ଭୋଗିବାକୁ ପଡ଼ିବ । ଉଦାରୀକରଣ ନୀତି ସଂପ୍ରସାରଣ ଆଳରେ କେନ୍ଦ୍ର ସରକାର ଏହି ଆଇନଗୁଡ଼ିକୁ ପ୍ରଣୟନ କରି ବଡ଼ ବଡ଼ ବ୍ୟବସାୟୀଙ୍କୁ ଏଥିରେ ପ୍ରମୁଖ ସ୍ଥାନ ଦେଇଛନ୍ତି । ଏହି କାରଣରୁ ହିଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସଂପୂର୍ଣ୍ଣ ଭାବରେ ଏଡ଼ାଇ ଯାଇଛନ୍ତି ।
- କୃଷକମାନଙ୍କୁ ଆଶ୍ବସ୍ତ କରିବା ଲାଗି କେନ୍ଦ୍ର ସରକାର କି ପ୍ରକାର ପଦକ୍ଷେପ ନେବା ଉଚିତ ହେବ ?
କୃଷି କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ଉଚିତ । ଆସନ୍ତା ଦଶ ବର୍ଷ ଭିତରେ ଭିତ୍ତିଭୂମିର ବିକାଶ ନିମନ୍ତେ ବଡ଼ ବଡ଼ କମ୍ପାନିକୁ 1 ଲକ୍ଷ କୋଟି ଟଙ୍କା ଦେବା ପରିବର୍ତ୍ତେ ସରକାର ଏହି କାମ ନିଜ ହାତକୁ ନେବା ଉଚିତ । କୃଷି କ୍ଷେତ୍ର ସହ ସଂପର୍କିତ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଚିତ । ଏହି ସବୁ କ୍ଷେତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା 25 ପ୍ରତିଶତକୁ ବୃଦ୍ଧି କରାଯିବା ଉଚିତ । ଆମ ଦେଶରେ ମୁଣ୍ଡ ପିଛା 2.5 ଏକର ଜମିର ମାଲିକାନା ରହିଛି । ଏଭଳି କ୍ଷୁଦ୍ର ଜମିରୁ ଚାଷୀ ତାଙ୍କର ଆବଶ୍ୟକତା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ଆୟ କରିପାରିବେ ନାହିଁ । ଗୋଟିଏ କୃଷକ ପରିବାରର ମୁଣ୍ଡ ପିଛା ବାର୍ଷିକ ଆୟ 1 ଲକ୍ଷ 25 ହଜାର ଟଙ୍କା । ପଞ୍ଜାବରେ ଏହା 3 ଲକ୍ଷ 40 ହଜାର ଟଙ୍କା । 2004-05ରୁ 2017-18 ବର୍ଷ ମଧ୍ୟରେ ପ୍ରାୟ 5 କୋଟି ଲୋକ ଚାଷକାମ ଛାଡ଼ି ଦେଇଛନ୍ତି । ନିକଟରେ ଲକ୍ଡାଉନ୍ ଘୋଷଣା କରାଯିବା ପରେ ଲକ୍ଷ ଲକ୍ଷ ଲୋକ ପାଦରେ ଚାଲି ଚାଲି ବହୁ ପଥ ଅତିକ୍ରମ କରି ନିଜ ନିଜ ଗାଁରେ ପହଞ୍ଚିଥିଲେ ।
ଏମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ । ଦେଶରେ କୃଷି କ୍ଷେତ୍ରରୁ ହାରାହାରି ଆୟ ପରିମାଣ 1 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅନ୍ୟ କ୍ଷେତ୍ରରେ ହାରାହାରି ଆୟ ପରିମାଣ 15 ପ୍ରତିଶତ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ମାତ୍ର 2 ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭର କରନ୍ତି । ତଥାପି ସେହି ଦେଶ ନିଜ ଆବଶ୍ୟକତା ତୁଳନାରେ ଦେଢ଼ ଗୁଣ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ସମର୍ଥ । ସେହିଭଳି ଜାପାନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଅଧିକ । ଦେଶର ପାଖାପାଖି 15 ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭର କରନ୍ତି ।
ଆମ ଦେଶରେ ବି କୃଷି ସହ ସଂଯୁକ୍ତ କ୍ଷେତ୍ର ଉପରେ ଧ୍ୟାନ ନିବେଶ କରିବା ଉଚିତ । ପ୍ରାୟ 3 ଏକର ଜମିର ମାଲିକାନା ଥିବା ଜଣେ ଚାଷୀ ତାଙ୍କ ପରିବାରର ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା କେମିତି ପୂରଣ କରିବେ ? ଚାଷୀ ପରିବାର ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ସୁଲଭ ଉପଲବ୍ଧ କରାଇବା ଉଚିତ । ହେଲେ ନୂତନ ଆଇନଗୁଡ଼ିକ ଚାଷୀଙ୍କ ସମସ୍ୟା ନିବାରଣ ବଦଳରେ ସେମାନଙ୍କୁ ଆହୁରି ଦୟନୀୟ ସ୍ଥିତି ଭିତରକୁ ଟାଣି ନେବା ପାଇଁ ଉଦ୍ଦିଷ୍ଟ ।