କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଏହାରି ମଧ୍ୟରେ କୁଚବିହାରରେ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ।
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗରେ ସ୍ଥିତି ଏପରି ଯେ, ଏଠାରେ ଜୟ ଶ୍ରୀରାମ କହିବା ମଧ୍ୟ ଅପରାଧ ହୋଇଯାଇଛି । ତେବେ ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ କୁହାଯିବନି ତ କଣ ପାକିସ୍ତାନରେ କୁହାଯିବ ? ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ଶାହ ।
ଏହାପରେ ରାଲିକୁ ସମ୍ବୋଧନ କରି ଜୟ ଶ୍ରୀରାମର ନାରା ଦେଇଥିଲେ । ସେ କହିଛନ୍ତି, ମମତା ଦିଦିଙ୍କୁ ଏହା ଅପମାନ ଲାଗୁଛି । ସାରା ଦେଶ ଓ ବିଶ୍ବରେ ଥିବା କୋଟି କୋଟି ଭାରତୀୟ ଆମ ଆରାଧ୍ୟ ଶ୍ରୀରାମଙ୍କୁ ସ୍ମରଣ କରି ଗର୍ବ ଅନୁଭବ କରୁଛନ୍ତି । ହେଲେ ମମତା ବାନାର୍ଜୀଙ୍କୁ କଷ୍ଟ ହେଉଛି । ତେବେ ନିର୍ବାଚନ ସମୟ ପାଖେଇ ଆସିବା ବେଳକୁ ମମତା ଦିଦି ମଧ୍ୟ ଜୟ ଶ୍ରୀରାମ କହିବେ ବୋଲି ଜୋର ଦେଇ କହିଛନ୍ତି ଶାହ ।
ଅମିତ ଶାହ କହିଛନ୍ତି, ତୃଣମୂଳ କଂଗ୍ରେସର ଗୁଣ୍ଡା ପଶ୍ଚିମବଙ୍ଗରେ ବିଜେପିକୁ କ୍ଷମତାକୁ ଆସିବାରୁ ରୋକିପାରିବେ ନାହିଁ । ସେ କହିଛନ୍ତି, ପରିବର୍ତ୍ତନ ଯାତ୍ରା ମୁଖ୍ୟମନ୍ତ୍ରୀ ବିଧାୟକ କିମ୍ବା ମନ୍ତ୍ରୀଙ୍କୁ ବଦଳାଇବା ପାଇଁ ନୁହେଁ, ଏହା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ବୋଲି କହିଛନ୍ତି ଶାହ ।