ଲକ୍ଷ୍ନୌ: ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିବା ଏବଂ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦିବାସ୍ବପ୍ନ ଦେଖୁଛନ୍ତି । ଆଜି ଏପରି ଢଙ୍ଗରେ ଅଖିଲେଶଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର ପ୍ରଦେଶର ଜାଲାଉନର ଓରାଇ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ 'ଜନ ବିଶ୍ୱସ ଯାତ୍ରା'ର ଜନ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଏପରି ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଶାହା କହିଛନ୍ତି, ସମାଜବାଦୀ ପାର୍ଟି ସ୍ୱପ୍ନ ଦେଖୁଛି ଯେ, ସେ ପୁଣିଥରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ ଏବଂ ସେମାନେ ରାମ ଜନ୍ମଭୂମିରେ ଚାଲିଥିବା ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ପ୍ରୟାସରେ ଲାଗି ପଡିବେ । ତେବେ ଅଖିଳେଶ ଯାଦବ ଓ ତାଙ୍କ ଦଳ ଜାଣି ରଖିବା ଉଚିତ ଯେ, ରାମ ମନ୍ଦିରର ନିର୍ମାଣ କେହି ବି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ଶାହ ।
ଶାହା ଆହୁରି ଅଭିଯୋଗ କରିଛନ୍ତି ଯେ,ଏସପି (SP) ଏବଂ ବହୁଜନ ସମାଜ ପାର୍ଟି (BSP) ଉଭୟ ହେଉଛନ୍ତି ଜାତିଭିତ୍ତିକ ଦଳ ଏବଂ ଏସପି ସରକାରଙ୍କ ଅଧୀନରେ ପରିବାରବାଦ, ପକ୍ଷପାତ ଓ ପଳାୟନ ରହିଛି, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଦୃଶ୍ୟମାନ ବୋଲି କହିଛନ୍ତି ଶାହ । ଶାହା କହିଛନ୍ତି, ଯୋଗୀ ସରକାର 86 ଲକ୍ଷ କୃଷକଙ୍କ 36,000 କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ବିଜେପି ଶାସନରେ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ପାଞ୍ଚଟି ଏକ୍ସପ୍ରେସୱେ ନିର୍ମାଣ ହୋଇଛି । ରାଜ୍ୟରେ 70 ବର୍ଷରେ କେବଳ 12 ଟି ମେଡିକାଲ କଲେଜ ଥିବା ବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ସରକାରରେ 30 ଟି ମେଡିକାଲ୍ କଲେଜ ନିର୍ମାଣ ହେବା ସମ୍ଭବପର ହୋଇଛି । ପୂର୍ବରୁ ମେଡିକାଲ କଲେଜରେ ମୋଟ ମାତ୍ର 1,900 ଟି ସିଟ୍ ଥିବାବେଳେ ବର୍ତ୍ତମାନ ଏହା 3,800କୁ ବୃଦ୍ଧି ହେବାରେ ସଫଳ ହୋଇଛି । ତେବେ ଏସବୁ କେବଳ ବିଜେପି ପାଇଁ ସମ୍ଭବ ହୋଇପାରିଛି ଏବଂ ବିଜେପି ଏକ ଦଳ ଯାହା ବିକାଶ ପାଇଁ କାମ କରେ ବୋଲି କହିଛନ୍ତି ଶାହ ।
ଆସନ୍ତା ବର୍ଷ ପ୍ରାରମ୍ଭରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜନୀତି ଓ ନିର୍ବାଚନୀ ଉଷ୍ମତା ମଧ୍ୟ ଜୋର ଧରିବାରେ ଲାଗିଲାଣି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଆରମ୍ଭ କରିସାରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶରେ 2017 ବିଧାନସଭା ନିର୍ବାଚନରେ କ୍ଷମତା ହାତେଇବାରେ ସଫଳ ହୋଇଥିଲା ଭାରତୀୟ ଜନତା ପାର୍ଟି । 403 ସିଟ୍ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ମଧ୍ୟରୁ 312 ଟି ସିଟ୍ ହାସଲ କରି ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟମନ୍ତ୍ରୀତ୍ବରେ ସରକାର କରିଥିଲା ଦଳ । ସେହିପରି ସମାଜବାଦୀ ପାର୍ଟି (SP) 47 ଟି ଆସନ ଓ ବହୁଜନ ସମାଜବାଦୀ ପାର୍ଟି (BSP) 19 ଟି ଆସନ ଜିତିବାରେ ସଫଳ ହୋଇଥିଲା ବେଳେ କଂଗ୍ରେସ କେବଳ ଗୋଟିଏ ଆସନରେ ସମୀତ ରହିଥିଲା ।
@ANI