ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ (UAE)ରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ଗାଇଡଲାଇନ ଜାରି କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express) । ଏନେଇ ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ବିଶ୍ବର ବିଭିନ୍ନ ରାଷ୍ଟ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଭାରତରେ ଭୟାବହତା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବିମାନ ପରିଚାଳନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଗାଇଡଲାଇନରେ ଉଲ୍ଲେଖ କରିଛି , କୋଭିଡ ଟୀକାକରଣର ପ୍ରାଥମିକ ସିଡ୍ୟୁଲ ଅନୁଯାୟୀ ସଂଯୁକ୍ତ ଆରବ ଏମିନେଟ" (UAE)ରୁ ଭାରତକୁ ଆସୁଥିବା ବିଦେଶ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ନେଇଥିବା ଆବଶ୍ୟକ । ବିମାନ ମଧ୍ୟରେ ସମସ୍ତ ଯାତ୍ରୀ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ବିମାନରେ ଏବଂ ପ୍ରବେଶ ପଥରେ ଯାତ୍ରୀମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବେ । 12 ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ରାଣ୍ଡମ ଟେଷ୍ଟିଂ ଆବଶ୍ୟକ ମୁହେଁ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ସେଲ୍ଫ-ମନିଟରିଂ ସମୟରେ ପିଲାଙ୍କ ଶରୀରରେ ଯଦି କୋଭିଡ ଲକ୍ଷଣ ଦେଖାଯାଏ, ତେବେ ପ୍ରୋଟକଲ ଅନୁଯାୟୀ ସେମାନଙ୍କ ଟେଷ୍ଟ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ: କର୍ଣ୍ଣାଟକରେ ୧୯ ବିଦେଶ ଫେରନ୍ତା କୋରୋନା ସଂକ୍ରମିତ, ନୂଆ ଭାରିଏଣ୍ଟ ନେଇ ସରକାରଙ୍କ ଆଲର୍ଟ
କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ପକ୍ଷରୁ କୁହାଯାଇଛି ଯେ, ପ୍ରତିଦିନ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯିବ । ସମ୍ପୃକ୍ତ ଏୟାର ଲାଇନ୍ସ ଯାତ୍ରୀମାନଙ୍କୁ ଚିହ୍ନଟ କରିବେ ଓ ନମୂନା ସଂଗ୍ରହ ପରେ ସେମାନଙ୍କୁ ଯିବାକୁ ଅନୁମତି ଦିଆଯିବ । ଯଦି କୌଣସି ଯାତ୍ରୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ନମୂନା ଜିନୋମ୍ ସିକ୍ବେନ୍ସିଂ ପାଇଁ INSACOG ଲାବୋଟୋରୀ ନେଟୱାର୍କକୁ ପଠାଯିବ ।
ଏହା ମଧ୍ୟ ପଢ଼ନ୍ତୁ: Encounter in Jammu: ସିଦ୍ଧ୍ରାରେ ସୁରକ୍ଷାକର୍ମୀକୁ ସଫଳତା, 3 ଆତଙ୍କୀ ସଫା
ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କୋଭିଡ ନେଇ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜାପାନ, ଆମେରିକା, ଦକ୍ଷିଣ କୋରିଆ, ବ୍ରାଜିଲ, ଫ୍ରାନ୍ସ ଓ ଚୀନରେ ସଂକ୍ରମଣ ହାର ଅଧିକ ରହିଛି । ଚୀନରେ କୋଭିଡ ସଂକ୍ରମଣ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ତେଣୁ ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ନିୟମିତ RT-PCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ ସମୟସମୟରେ ଏହାର ସମୀକ୍ଷା କରାଯାଇ ପରବର୍ତ୍ତୀ ସମୟରେ ସଂଶୋଧନ କରାଯିବ ବୋଲି କୁହାଯାଇଛି ।