କୋଲକାତା: ନିଜ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ମିଥୁନ ଏନେଇ କୋଲକାତା ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଥିବା ଦେଖିବାକୁ ମିଳିଛି । ଏଥିରେ ସେ ଗତ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ମିନିକତାଲା ଥାନାରେ ହୋଇଥିବା ଏକ ଏତଲା ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଛନ୍ତି ।
ଗତ ବିଧାନସଭା ନିର୍ବାଚନ ପ୍ରଚାରବେଳେ କିଛି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କଲା ବେଳେ ମିଥୁନ ନିଜ ଅଭିନୀତ କେତେକ ଚଳଚ୍ଚିତ୍ରର ସଂଳାପ ଆବୃତି କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହା ଆପତ୍ତି ଜନକ ମନ୍ତବ୍ୟ ଓ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ବୋଲି ଦର୍ଶାଇ ତାଙ୍କ ବିରୋଧରେ ସ୍ଥାନୀୟ ମନିକତାତାତା ଥାନାରେ ଏତଲା ହୋଇଥିଲା । ଏତଲା ଆଧାରରେ ମିଥୁନଙ୍କ ବିରୋଧରେ ଆଇପିସି 153(A), 504, 505 ରେ ମାମଲା ରଜୁ କରିଥିଲା ପୋଲିସ ।
ତେବେ ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନିର୍ବାଚନ ସଭାରେ ତାଙ୍କ ଦ୍ବାରା କୌଣସି ଆଚରଣ ବିଧି ଉଲଙ୍ଘନ ହୋଇନଥିବା କହିଛନ୍ତି ମିଥୁନ । ସେ କେବଳ ନିଜ ପ୍ରଶଂସକଙ୍କ ପାଇଁ ନିଜ ଅଭିନୀତ କିଛି ଚଳଚ୍ଚିତ୍ରର ସଂଳାପ ଦୋହରାଇଥିଲେ ବୋଲି ନିଜ ପିଟିସନରେ ଦର୍ଶାଇବା ସହ ଏତଲା ପ୍ରତ୍ୟାହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଛନ୍ତି । ତେବେ ଆସନ୍ତାକାଲି ମିଥୁନଙ୍କ ଆବେଦନର ଶୁଣାଣି କରିପାରନ୍ତି କୋର୍ଟ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ