କୋରାପୁଟ: 6 ବର୍ଷ ପରେ ପୁଣି ଦାନମାଝୀ ଘଟଣାର ପୁନରାବୃତ୍ତି ଘଟିଛି । 35 ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ମୃତ ପତ୍ନୀଙ୍କୁ କାନ୍ଧରେ ବୋହି 4 କିଲୋମିଟର ଚାଲିଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ପୋଲିସ ନଜରକୁ ଆସିବା ପରେ ପୋଲିସ ମାନବିକତା ଦେଖାଇବା ସହ ଆମ୍ବୁଲାନ୍ସରେ ସେମାନଙ୍କୁ ଘରକୁ ପଠାଇଛି । ଘଟଣାଟି ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଥିଲେ ମଧ୍ୟ ମୃତଦେହ କାନ୍ଧେଇ ଥିବା ବ୍ୟକ୍ତି ଜଣକ ଓଡିଆ । ତାଙ୍କ ଘର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ହୋଇଥିବା ଜଣାପଡିଛି ।
ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୋରୋଡ ଗାଁର ଏଡୁ ଗୁରୁ । ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ତଳେ ଗୁରୁଙ୍କ ପତ୍ନୀଙ୍କ ଦେହ ଅସୁସ୍ଥ ହୋଇଥିଲା । ଏଡୁ ଗୁରୁ ତାଙ୍କୁ ସପ୍ତାହ ପୂର୍ବରୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କୌଣସି ଉନ୍ନତି ନହେବାରୁ ଗତକାଲି(ବୁଧବାର) ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଗୁରୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଗୁରୁ । ଏହା ପରେ ଗାଁରେ ଶେଷକୃତ୍ୟ ସମ୍ପନ୍ନ କରିବାରୁ ନିଷ୍ପତ୍ତି ନେଇଥିଲେ ।
ଅଟୋରେ ପତ୍ନୀଙ୍କୁ ନେଇ ଗାଁକୁ ଯିବାକୁ ବାହାରିଥିଲେ ମାତ୍ର ଅଟୋ ଡ୍ରାଇଭର ତାଙ୍କୁ ଅଧାବାଟରେ ଛାଡି ଦେଇଥିବା । ସେ କଣ କରିବେ କିଛି ଜାଣି ପାରିନଥିଲେ । ବାଟରେ କିଛି ବ୍ୟକ୍ତିଙ୍କୁ ସେ ସାହାଯ୍ୟ ମାଗିଥିଲେ ହେଲେ ସେ ତେଲୁଗୁ ଜାଣିନଥିବାରୁ ତାଙ୍କ କଥା କେହି ବୁଝିପାରିନଥିଲେ । ଅନ୍ୟପଟେ ଅନ୍ୟ ଗାଡି କରି ସ୍ତ୍ରୀକୁ ଗାଁକୁ ନେବାକୁ ଗୁରୁଙ୍କ ପକେଟରେ ଟଙ୍କା ନଥିଲା । ଫଳରେ ଅସହାୟ ହୋଇ ପତ୍ନୀଙ୍କୁ କାନ୍ଧରେ ବୋହି ଯିବାକୁ ବାହାରିଥିଲେ ଗୁରୁ । 4 କିଲୋମିଟର କାନ୍ଧରେ ବୋହି ଯାତ୍ରା କରିଥିଲେ ଏଡୁ ଗୁରୁ । ଏହାପରେ ବିଜୟନଗରରେ କିଛି ଲୋକ ଏହା ଦେଖି ଜ୍ଞାନତ୍ୟାଡ ପୋଲିସକୁ ସୂଚନା ଦେଇଥିଲେ ।
ପୋଲିସ ଏସଆଇ କିରଣ କୁମାର ଓ ସିଆଇ ତିରୁପତି ରାଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଏଡୁ ଗୁରୁଙ୍କ ସହ କଥା ହୋଇ ତାଙ୍କ ସମସ୍ୟା ବୁଝିଥିଲେ । ତାଙ୍କୁ କିଛି ଖାଇବାକୁ ଦେଇଥିଲେ । ପରେ ଏକ ଆମ୍ବୁଲାନ୍ସ ଡକାଇ 125 କିଲୋମିଟର ଦୂର ତାଙ୍କ ଘରକୁ ପଠାଇଥିଲେ । ପୀଡିତଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ପାଚିପେଣ୍ଟ ସିଆଇ ଓ ଏସଏସଆଇ କହିଛନ୍ତି । ପୋଲିସଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଏହି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି । 2016 ମସିହାରେ ଓଡିଶାରେ ସମାନ ଘଟଣା ଘଟିଥିଲା । କଳାହାଣ୍ଡି ଜିଲ୍ଲାର ଦାନମାଝୀ ନାମକ ଜଣେ ବ୍ୟକ୍ତି ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି 10କିମି ବାଟ ଚାଲିଥିଲେ । ଏହି ଘଟଣା ରାଜ୍ୟସରକାରଙ୍କ ବ୍ୟବସ୍ଥାକୁ ପଦାରେ ପକାଇଥିଲା । ସେତେବେଳେ ଖବରର ଶିରୋନାମା ପାଲଟିଥିଲା ଘଟଣା । ଜାତୀୟ ଅର୍ନ୍ତଜାତୀୟ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।
ଇଟିଭି ଭାରତ, କୋରାପୁଟ